ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗୁରୁବାର ସେ ଫୁଲବାଣୀରେ ଦଳୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ। ଏହାପୂର୍ବରୁ ସେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଏକ ପ୍ରେସବାର୍ତ୍ତା କରି ବିଜେଡି ଓ ବିଜେପି ଉଭୟ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଅପରାହ୍ଣ ୨ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ କଂଗ୍ରେସ ଭବନକୁ ଯାଇ ଦଳର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ। ସେ ଏଠାରେ ଏକ ପ୍ରେସ ବାର୍ତ୍ତା କରିଥିଲେ।

“ଓଡ଼ିଶାର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଏଠାକର ସରକାର ଧ୍ୟାନ ଦେଉନାହାନ୍ତି। ଓଡ଼ିଶାର ୪୧ ପ୍ରତିଶତ ଲୋକ ଆଜି ବେରୋଜଗାର ରହିଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଆଜି ଏଠାରେ ଚାଷୀ ହତାଶ। ରାଜ୍ୟରେ ଆବଶ୍ୟକୀୟ ବଜାର ନାହିଁ କି ଭଲ ଜଳସେଚନ ଓ ଶୀତଳ ଭଣ୍ଡାରର ସୁବିଧା ମଧ୍ୟ ନାହିଁ। ଆମେ କ୍ଷମତାକୁ ଆସିଲେ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି ମିଳିବ। ରାଜ୍ୟର ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଆମେ କାମ କରିବୁ। ବିଜେଡି ଓ ବିଜେପି ଉଭୟ ରାଜ୍ୟର ବିକାଶ ପାଇଁ କିଛି କରିନାହାନ୍ତି”, କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ଭୁବନେଶ୍ୱରରେ କାର୍ଯ୍ୟକ୍ରମ ସାରି ମଲ୍ଲିକାର୍ଜୁନ ଖଡଗେ ଫୁଲବାଣୀ ଅଭିମୁଖେ ବାହାରିଥିଲେ। ଗୁଡ଼ାରି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହାପରେ ସେ ସ୍ଥାନୀୟ କାରୋନେସନ ପଡ଼ିଆରେ ଦଳୀୟ ସମାବେଶରେ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ନିର୍ବାଚନୀ ସମାବେଶରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ମଲ୍ଲିକାର୍ଜୁନ ଖଡଗେ। ଦେଶରେ ଏବଂ ଓଡ଼ିଶାରେ ମହଙ୍ଗା ଓ ବେରୋଜଗାରୀ ସମସ୍ୟାକୁ ନେଇ ସେ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ। ବିଭିନ୍ନ ଦୁର୍ନୀତିକୁ ନେଇ ସେ ଉଭୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସଭାସ୍ଥଳୀରେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମାଲୁଭାଟି ବିକ୍ରମାର୍କା, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କନ୍ଧମାଳ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମିର ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବିଭିନ୍ନ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaAssemblyElections2024 #MallikarjunKharge #ElectionCampaign #Congress #Phulbani #Odisha 

LEAVE A REPLY

Please enter your comment!
Please enter your name here