ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨ ଦିନ ଥିବାବେଳେ ଶୁକ୍ରବାର ରାଉରକେଲାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ସେ ଏଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସଭାରେ ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଚଳିତ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତି ଭରିଛନ୍ତି।
“ଓଡ଼ିଶା ସବୁବେଳେ ବିଜେପିର ଫୋକସରେ ରହି ଆସିଛି। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି। ହେଲେ କେନ୍ଦ୍ରର ଯୋଜନାଗୁଡ଼ିକୁ ବିଜେଡି ସରକାର ଓଡ଼ିଶାରେ ଲାଗୁ କରିବାକୁ ଦେଉନାହାନ୍ତି। ଓଡ଼ିଶାରେ ଏଯାଏଁ ୨୭ ଲକ୍ଷ ପରିବାରକୁ ପକ୍କା ଘର ମିଳିପାରି ନାହିଁ ଏବଂ ଅନେକ ଘରେ ପାଇପ ଯୋଗେ ପାଣିର ବ୍ୟବସ୍ଥା କରାଯାଇ ପାରିଲାନାହିଁ”, କହିଥିଲେ ଅମିତ ଶାହ।
ସେ ଆହୁରି ମଧ୍ୟ କହିଥିଲେ, “କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି, ହେଲେ ବିଜେଡି ମାଗଣା ବ୍ୟାଗ ଦେଇ ଚାଉଳକୁ ନିଜର ବୋଲି କହି ପ୍ରଚାର କରୁଛି। ରାଜ୍ୟର ସଂସ୍କୃତିକୁ ଆଜି ଅପମାନିତ କରାଯାଉଛି। ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନର ସରକାର ଦରକାର। ଆମେ ସରକାର ଗଢ଼ିଲେ ରାଜ୍ୟରେ ସବୁ ସମସ୍ୟାର ସମାଧାନ କରିବୁ।”
ଚଳିତ ବର୍ଷ ରାଜ୍ୟରେ ବିଜେପି ୧୫ରୁ ଅଧିକ ଲୋକସଭା ଆସନ ଏବଂ ୭୫ରୁ ଅଧିକ ବିଧାନସଭା ଆସନ ଜିତିବ ବୋଲି ଏହି ସମାବେଶରେ ଅମିତ ଶାହ ନିଜ ସମ୍ବୋଧନରେ କହିଥିଲେ। ଏହାସହ କେନ୍ଦ୍ରରେ ଏନଡିଏ ଏଥର ୪୦୦ ସିଟ୍ ପାର୍ କରିବ ବୋଲି ସେ ଦୋହରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ, ସୁନ୍ଦରଗଡ଼ରୁ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ, ତଳସରାରୁ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ, ବିରମିତ୍ରପୁରରୁ ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ଏବଂ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ। ଏହାସହ ବିଜେପିର ଅନେକ କର୍ମୀ ଓ ସମର୍ଥକ ସମାବେଶରେ ସାମିଲ ହୋଇଥିଲେ।
Tags: #OdishaAssemblyElections2024 #AmitShah #ElectionCampaign #BJP #Rourkela #Odisha