ଓଡ଼ିଶାଲାଇଭ୍ ବ୍ୟୁରୋ

ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିବା ପରେ ଅଇଁଠାପାଲି ପିଏଚଡି ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଯୋଜନା ଦ୍ଵାରା ଲୋକେ ଉପକୃତ ହେଉଛନ୍ତିକି ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପଚାରି ଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ବିଜେଡି ସୁପ୍ରିମୋ ସମ୍ବଲପୁର ଭୋଟରଙ୍କୁ ଅନୁରୋଧ କରିଥିଲେ।

ବିଜେଡି ସରକାରକୁ ଆସିବାର ମାସେ ପରେ ଅର୍ଥାତ ଜୁଲାଇ ମାସରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ। ଏହା ଦ୍ଵାରା ପ୍ରାୟ ୯୦ ପ୍ରତିଶତ ପରିବାର ଉପକୃତ ହେବେ ବୋଲି ନବୀନ ପଟ୍ଟନାୟକ କହିଥିଲେ।

ସମ୍ବଲପୁରରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ନବୀନ ପଟ୍ଟନାୟକ କହିଥିଲେ, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମିଛ ପ୍ରଚାର କରୁଛନ୍ତି। ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ବିରୋଧୀଙ୍କୁ ବିଶ୍ଵାସ ନକରି ଶଙ୍ଖଚିହ୍ନରେ ଭୋଟ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ।

ଶୁକ୍ରବାର ଦିନ ନବୀନ ପଟ୍ଟନାୟକଙ୍କର ମାରଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରର ଅଇଁଠାପାଲି, ନାକଟିଦେଉଳ ଏବଂ ରେଢ଼ାଖୋଲରେ ପ୍ରଚାର କରିବା ପରେ ନବୀନ ପଟ୍ଟନାୟକ ଅନୁଗୁଳ ଏବଂ ଢେଙ୍କାନାଳ ଯାଇ ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Tags: #Politics #OdishaPolitics #CMNaveenPatnaik #Sambalpur #ElectionCampaign #Bhubaneswar #OdishaAssemblyElections2024 #Odisha #BJD

Comment