ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ସମୀର ରଞ୍ଜନ ଦାଶ। ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ସେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ବିଜେପିରେ ମିଶିଥିଲେ।

“ମୁଁ ୨୦୦୬ ମସିହାରୁ ବିଜେଡିରେ ରହି ନିଜର ଦାୟିତ୍ଵ ତୁଲାଇ ଆସୁଥିଲି। ହେଲେ ଦଳ ଆଜି ମୋ ଉପରୁ ବିଶ୍ବାସ ହରାଇଛି। ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ମୁଁ ଆଜି ବିଜେପିରେ ମିଶିଛି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି। ଏଥର ନିମାପଡ଼ାରୁ ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଅନେକ ଭୋଟରେ ବିଜୟୀ ହେବେ”, କହିଛନ୍ତି ସମୀର ରଞ୍ଜନ ଦାଶ।

ରବିବାର ସକାଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ସେ ତାଙ୍କର ବହୁ ସମର୍ଥକଙ୍କ ସହ ଆସି ବିଜେପିରେ ସାମିଲ ହୋଇଥିଲେ।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତର ୩ଥର ବିଧାୟକ ହୋଇଛନ୍ତି। ସମୀର ବିଜେଡି ଟିକେଟରେ ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା, ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।

ସମୀର ରଞ୍ଜନ ଦାଶ ୧୯୯୮ ମସିହାରୁ ୨୦୦୬ ଯାଏଁ ବିଜେପିରେ ଥିଲେ। ଏଣୁ ଆଜି ତାଙ୍କର ଘରବାହୁଡ଼ା ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Tags: #OdiahaAssemblyElections2024 #SamirRanjanDash #Politician #BJP #BJD #Politics #Odisha

LEAVE A REPLY

Please enter your comment!
Please enter your name here