ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦୁଇ ଥର ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିବା ପରେ ମଙ୍ଗଳବାର ଦିନ ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେଡିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ ଦେବା ଲାଗି ଅପିଲ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନବୀନ ପଟ୍ଟନାୟକ ସିଧାସଳଖ ବର୍ତ୍ତମାନର ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କରି କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ବିଜେପିର ଭୁବନେଶ୍ଵର ସାଂସଦ କୌଣସି ବଡ଼ କାମ କରି ନାହାନ୍ତି। ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାମ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ। ଭୁବନେଶ୍ଵରର ବିକାଶ ପାଇଁ ବିଜେଡିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ରାଜଧାନୀବାସୀଙ୍କୁ ଭୋଟ ମାଗିଛନ୍ତି।
ଏପଟେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, “ମୁଁ କେବେ ବି ଲିଙ୍ଗରାଜ ଆକ୍ଟକୁ ବିରୋଧ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ବିରୋଧ କରିବା କଥା ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ତେବେ ତା’ର ପ୍ରମାଣ ଦିଅନ୍ତୁ।”
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତିକି ବଢ଼ିବାରେ ଲାଗିଛି। ଏବେ ଶାସକ ଏବଂ ବିରୋଧୀ ଖୁଲମଖୁଲା ପରସ୍ପର ପ୍ରତି ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳୁଛି।
Tags: #Politics #OdishaPolitics #SambalpurLokSabhaElection2024 #BJD #BJP # #OdishaAssemblyElections 2024