ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ବୁଧବାର ଖୋର୍ଦ୍ଧାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଖୋର୍ଦ୍ଧା, ବେଗୁନିଆ ତଥା ଜଟଣୀ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ସେ ରାଜ୍ୟରେ କାର୍ଯ୍ୟକାରୀ ଥିବା ସବୁ ସରକାରୀ ଯୋଜନାର ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
“ଓଡ଼ିଶାରେ ଏବେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଯୋଜନାର ସଫଳତାକୁ ବିରୋଧୀମାନେ ଗ୍ରହଣ କରି ପାରୁନାହାନ୍ତି। ଚଳିତ ନିର୍ବାଚନରେ ଓଡ଼ିଶାବାସୀ ସେମାନଙ୍କୁ ଏହାର ଜବାବ ଦେବେ। ଓଡ଼ିଶାରେ ଆମେ ପୁଣି ସରକାର ଗଢ଼ି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବୁ”, କହିଛନ୍ତି ନବୀନ ପଟ୍ଟନାୟକ।
ନବୀନ ପଟ୍ଟନାୟକ ନିଜ ସମ୍ବୋଧନରେ ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉଛି କି ନାହିଁ ବୋଲି ଉପସ୍ଥିତ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ। ବିଜେପି ନେତାମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବୋଲି ଏଠାରେ ସେ ଅଭିଯୋଗ କରିଥିଲେ। ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଅନୁରୋଧ କରିଥିଲେ।

ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡିର ସ୍ଥାନୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଖୋର୍ଦ୍ଧାର ହାବେଳି ପଡ଼ିଆରେ ହୋଇଥିବା ଏହି ସଭାରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, ଖୋର୍ଦ୍ଧାରୁ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆରୁ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ, ଜଟଣୀରୁ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।
Tags: #OdishaAssemblyElections2024 #NaveenPatnaik #ElectionCampaign #BJD #Khordha #Odisha