ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଚଳିତ ନିର୍ବାଚନ ପାଇଁ ବୁଧବାର ନୟାଗଡ଼ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଭରିଥିଲେ।

ଏହି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉଛି କି ନାହିଁ ବୋଲି ଉପସ୍ଥିତ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ। ଏହାସହ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି ବୋଲି ସେ କହିଥିଲେ। ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଲୋକମାନଙ୍କୁ ନିବେଦନ କରିଥିଲେ।

ସେହିପରି ଏଠାରେ ନୟାଗଡ଼ରୁ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାରରେ ନୟାଗଡ଼ ଜିଲ୍ଲାରେ ଅନେକ ଉନ୍ନତି ହୋଇଥିବା ସେ କହିଥିଲେ।

ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡିର ସ୍ଥାନୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ ସଭାସ୍ଥଳରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ରେ ବିଜେଡିର ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଏବଂ ୪୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaAssemblyElections2024 #NaveenPatnaik #ElectionCampaign #BJD #Nayagarh #Odisha

LEAVE A REPLY

Please enter your comment!
Please enter your name here