ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।

ସୁନୀଲ କୁମାର ପୃଷ୍ଟି ବୁଧବାର ସକାଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ ଅଧ୍ୟାପିକା ଗୀତା ଦୀକ୍ଷିତ ଓ ଏକମାତ୍ର ପୁତ୍ର ସୃଜନ ସାରସ୍ୱତ ଉପସ୍ଥିତ ଥିଲେ।

ସୁନୀଲ କୁମାର ପୃଷ୍ଟିଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବୁଧବାର ଅପରାହ୍ଣରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଠାରେ ରାଜ୍ୟ ସାହିତ୍ୟ ଜଗତର ଅନେକ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

୧୯୬୩ ମସିହାରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁନୀଲ କୁମାର ପୃଷ୍ଟି। ରାୟଗଡ଼ାରେ ଶିକ୍ଷା ଶେଷ କରିବା ପରେ ସେ କିଛିଦିନ ଅଧ୍ୟାପନାରେ ଯୋଗ ଦେଇଥିଲେ। ପରେ ଅଧ୍ୟାପନାରୁ ବିଦାୟ ନେଇ ସେ ପରେ ପୂର୍ଣ୍ଣ ଭାବରେ ସାହିତ୍ୟ ଓ ସମ୍ପାଦନାରେ ମନୋନିବଶେ କରିଥିଲେ।

‘ଚିହ୍ନା ଚିହ୍ନା ନିର୍ଜନତା’, ‘ଦେହଦେଉଳ’, ‘ପୁଅ ପାଇଁ ପ୍ରାର୍ଥନା’, ‘ତନୁଲତାର କବିତା’ ଓ ‘ଅସଫଳ କବିତା’ ଆଦି କବିତା ରଚନା ପାଇଁ ତାଙ୍କୁ ବେଶ୍ ଖ୍ୟାତି ମିଳିଥିଲା। କବିତା ରଚନାରେ ସ୍ୱକୀୟ ବିଶେଷତ୍ଵ ପାଇଁ ସ୍ୱୀକୃତ ସୁନୀଲ କୁମାର ପୃଷ୍ଟି ପରେ ତାଙ୍କର ନିର୍ବାଚିତ କବିତା ସଂକଳନ ‘ପାଞ୍ଚଟି ପୃଥିବୀ’ ମଧ୍ୟ ଲେଖିଥିଲେ।

ସେହିପରି ସୁନୀଲ କୁମାର ପୃଷ୍ଟି ପତ୍ରିକା ସମ୍ପାଦନା କ୍ଷେତ୍ରରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ଗୁଣବତ୍ତା ଓ ମନନଶୀଳତା ତାଙ୍କ ସମ୍ପାଦନାର ମୂଳକଥା ଥିଲା। ସେ ପ୍ରଥମେ ‘ନବରବି’ ସାହିତ୍ୟ ପତ୍ରିକାର ସମ୍ପାଦନା ସହ ସଂପୃକ୍ତ ହୋଇଥିଲେ। ‘ଅନୁପମ ଭାରତ’ ଦୈନିକ ପତ୍ରିକା, ‘ସଚିତ୍ର ବିଜୟା’, ‘ଜହ୍ନମାମୁ’ ଆଦି ପତ୍ରିକା ପାଇଁ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଏହାପରେ ସେ ‘ସାହିତ୍ୟ ପୃଥିବୀ’ପତ୍ରିକାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ଶେଷ ସମୟରେ ସେ ମାସିକ ପତ୍ରିକା ‘ଶିଶିର’ ସହିତ ଯୋଡ଼ି ହୋଇଥିଲେ।

ନିଜର ସାହିତ୍ୟ କୃତି ପାଇଁ ସୁନୀଲ କୁମାର ପୃଷ୍ଟି ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଝଙ୍କାର ବିଷୁବ ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ପ୍ରଦତ୍ତ ‘ସୁବ୍ରତ ସ୍ମାରକୀ’ ପୁରସ୍କାର ସମେତ ସେ ଏକାଧିକ ଆନୁଷ୍ଠାନିକ ସ୍ୱୀକୃତି ଲାଭ କରିଥିଲେ। ଅଜସ୍ର ପାଠକୀୟ ଶ୍ରଦ୍ଧା ତାଙ୍କ ରଚନାକୁ ସ୍ମରଣୀୟ ରଖିବ।

Tags: #SunilKumarPrusty #Poet #Editor #Poetery #Odisha

LEAVE A REPLY

Please enter your comment!
Please enter your name here