ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବପିଢ଼ିର ଦୁଇଜଣ ପ୍ରତିଭାବାନ କବି ଡକ୍ଟର ଶକ୍ତି ମହାନ୍ତି ଏବଂ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି ଯୁବ ପ୍ରତିଭା କବିତା ସମ୍ମାନ-୨୦୨୪। ଏ ନେଇ ସ୍ମୃତି କମିଟି ଆବାହକ କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ସୂଚନା ଦେଇଛନ୍ତି।

ଆଗାମୀ ଜୁଲାଇ ୬ ତାରିଖ ସନ୍ଧ୍ୟାରେ ବାଲେଶ୍ଵରସ୍ଥିତ ଭେନିଆ ପାରାଡାଇଜ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟମ ସ୍ମୃତି ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। କବି ଡକ୍ଟର ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତି ଓଡ଼ିଆ କବିତାର ପ୍ରତିଶ୍ରୁତିବଦ୍ଧ କବି ଭାବରେ ସ୍ୱୀକୃତି ପାଇଛନ୍ତି। କବିତା ସର୍ଜନା କ୍ଷେତ୍ରରେ ଉଭୟ ସକ୍ରିୟ ରହିଛନ୍ତି। ଉଭୟ ଏକାଧିକ କବିତା ସଂକଳନର ସ୍ରଷ୍ଟା ଅଟନ୍ତି।

୨୦୧୮ ମସିହାଠାରୁ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରେ ୫୦ ବର୍ଷରୁ କମ୍ ବୟସ ବର୍ଗର ଜଣେ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇ ଏହି ସମ୍ମାନ ପ୍ରଦାନ କରିବାକୁ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ପୂର୍ବରୁ କବି ପ୍ରତୀକ୍ଷା ଜେନା, କବି ସରୋଜ ବଳ, କବି ଶୁଭଶ୍ରୀ ଲେଙ୍କା, କବି କିଶୋର ପାଣିଗ୍ରାହୀ, କବି ଲିପିକା ଦାସ, କବି ଅଙ୍ଗୁରବାଳା ପରିଡ଼ା ଓ କବି ମନୋଜ କୁମାର ମେହେର ପ୍ରମୁଖ କବି ଚନ୍ଦ୍ର କୁମାର ମହାନ୍ତି ଯୁବ ପ୍ରତିଭା କବିତା ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଆସନ୍ତା ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ଉତ୍ସବରେ କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ ‘ଆମଲେଟ୍: ଏକ ଭ୍ରୁଣହତ୍ୟାର କଥା’ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଥିବା ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Tags: #KabiChandraKumarMohantyAward2024 #DrShaktiMohanty #PoetHemantDalapati #Poet #Baleswar #Odisha #Poet

Comment