ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଆହୁରି ଘନୀଭୂତ ହୋଇ ମେ’ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ନପଡ଼ିଲେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହି ଲଘୁଚାପ କ୍ଷେତ୍ରଟି ଏବେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଲଘୁଚାପଟି ବାୟୁମଣ୍ଡଳର ୫.୮ କିଲୋମିଟର ଯାଏଁ ବ୍ୟାପିଛି।   

ତେବେ ମେ’ ୨୩ ତାରିଖରୁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ହୋଇଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାକୁ ନେଇ କୌଣସି ଆକଳନ କରାଯାଇନାହିଁ। ତେବେ ମେ’ ୨୪ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା ସାମିଲ ରହିଛି।

Tags: #LowPressure #BayofBengal #Rain #Cyclone #IMD #MCBBSR #Weather #Odisha

LEAVE A REPLY

Please enter your comment!
Please enter your name here