ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ଜୋରଦାର ହେବ ରାଜନୈତିକ ଲଢ଼େଇ, ବିଜେପି ଦୁର୍ଗ ରକ୍ଷା କରିବ ନା ଛଡ଼ାଇ ନେବ ବିଜେଡି?

ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ। ନିର୍ବାଚନ ସମୟ ଆସିଲେ ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳେ ରୋଚକ ଲଢ଼େଇ। ଏଥର ମଧ୍ୟ ଜୋରଦାର ହେଉଛି ରାଜନୈତିକ ଲଢ଼େଇ। ବିଜେଡି, ବିଜେପି ଓ କଂଗ୍ରେସ ଏଥର ନିର୍ବାଚନ ମଇଦାନରେ ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିଥିବାରୁ ସାରା ରାଜ୍ୟବାସୀଙ୍କ ନଜର ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି।

ବିଜେଡିରୁ ପ୍ରଣବ ପ୍ରକାଶ ଦାସ, ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସରୁ ନଗେନ୍ଦ୍ର କୁମାର ପ୍ରଧାନ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ରାଜନୀତିରେ ଏହି ତିନି ଦଳର ପ୍ରାର୍ଥୀଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ସମ୍ବଲପୁର ହାତେଇବା ଲାଗି ବିଜେଡି, ବିଜେପି ଓ କଂଗ୍ରେସ ଗୋଟି ଚାଳନା କରୁଛନ୍ତି। ତେବେ ସମ୍ବଲପୁର ଭୋଟର କାହା ଉପରେ ଭରସା କରୁଛନ୍ତି ତାହା ହିଁ ଦେଖିବାର କଥା।

ସମ୍ବଲପୁରରେ ପଦ୍ମ ଫୁଟିବ?

ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା। ରାଜ୍ୟ ତଥା ଜାତୀୟ ସ୍ତରର ରାଜନୀତିରେ ତାଙ୍କର ଭଲ ପ୍ରଭାବ ରହିଛି। ଓଡ଼ିଶା ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ଏଥର ସମ୍ବଲପୁର ଲୋକସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ସେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ।

୨୦୦୪ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ ଦେବଗଡ଼ ଲୋକସଭା ଆସନରୁ ସାଂସଦ ରହିଥିଲେ। ହେଲେ ୨୦୦୮ରେ ବିଭିନ୍ନ ନିର୍ବାଚନମଣ୍ଡଳୀର ଯେଉଁ ସୀମା ନିର୍ଦ୍ଧାରଣ କରାଯାଇଥିଲା ସେଥିରେ ଦେବଗଡ଼କୁ ସମ୍ବଲପୁର ଲୋକସଭା ଆସନ ସହିତ ମିଶାଇ ଦିଆଯାଇଥିଲା।

ସବୁଠୁ ବଡ଼ କଥା ହେଉଛି, ସମ୍ବଲପୁରର ବିଭିନ୍ନ ବିଧାନସଭା କ୍ଷେତ୍ର ସହିତ ଧର୍ମେନ୍ଦ୍ର ଏବଂ ତାଙ୍କ ପରିବାରର ଭଲ ସମ୍ପର୍କ ରହିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଦେବଗଡ଼ ଲୋକସଭା ଆସନରୁ ଏକାଧିକ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ଏଥର ଧର୍ମେନ୍ଦ୍ର ମୋଦୀ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ଆଧାର କରି ତାଙ୍କ ପରିବାରର ପୁରୁଣା ସମ୍ପର୍କକୁ ଯୋଡ଼ି ସେ ଭୋଟରଙ୍କ ପାଖକୁ ଯାଉଛନ୍ତି।

୨୦୧୯ରେ ସମ୍ବଲପୁର ଲୋକସଭା ଆସନ ବିଜେପି ହାତକୁ ଯାଇଥିଲା। ନୀତେଶ ଗଙ୍ଗଦେବ ସାଂସଦ ହୋଇଥିଲେ। ଏଥର ନୀତେଶଙ୍କୁ ବାଦ୍ ଦେଇ ଧର୍ମେନ୍ଦ୍ର ନିଜେ ଟିକେଟ ନେଇଛନ୍ତି। ତେଣୁ ସମ୍ବଲପୁରରେ ପୁଣିଥରେ ପଦ୍ମ ଫୁଟିବ ବୋଲି ସେ ଆଶାବାଦୀ ଅଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଭାବ

ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପ୍ରଭାବଶାଳୀ ନେତା। ତାଙ୍କର ସାଙ୍ଗଠନିକ ଦକ୍ଷତା ମଧ୍ୟ ରହିଛି। ଛାତ୍ର ଜୀବନରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ଧର୍ମେନ୍ଦ୍ର ଓଡ଼ିଶାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ଜିତିଥିଲେ। ବିହାର ଓ ମଧ୍ୟପ୍ରଦେଶରୁ ବିଜେପି ସମର୍ଥନରେ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ।

୨୦୧୪ ଏବଂ ୨୦୧୯ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୨୦୨୪ରେ ପୁଣିଥରେ ଧର୍ମେନ୍ଦ୍ର ସିଧାସଳଖ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ରାଜନୀତି ପାଣିପାଗ ସରଗରମ ହୋଇଛି।

କ୍ଷମତା ଛଡ଼ାଇ ନେବ କି ବିଜେଡି?

ଦିନ ଥିଲା ସମ୍ବଲପୁର ଲୋକସଭା ଆସନ ବିଜେଡିର ଗଡ଼ ଥିଲା। ୧୯୯୮ରୁ ୨୦୦୪ ନିର୍ବାଚନ ଯାଏଁ ବିଜେଡି ଟିକେଟରେ ପ୍ରସନ୍ନ ଆଚାର୍ଯ୍ୟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେଡି ଏହି ଆସନକୁ ପୁଣି ଅକ୍ତିଆର କରିଥିଲା। ନଗେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

୨୦୧୯ରେ ଏହି ଆ ବିଜେପି ଖାତାକୁ ଚାଲି ଯାଇଥିଲା। ପ୍ରଶାସକରୁ ରାଜନେତା ହୋଇଥିବା ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି ଟିକେଟ ଦେଇଥିଲେ ମଧ୍ୟ ଏହାକୁ ରଖି ପାରିନଥିଲା ଦଳ। ବିଜେପି ଏହି ଆସନକୁ ଛଡ଼ାଇ ନେଇଥିଲା। ଏଥର ଏହି ଆସନକୁ ନିଜ ହାତମୁଠାରେ ରଖିବା ଲାଗି ବିଜେଡି ଜୋରଦାର ଉଦ୍ୟମ କରୁଛି। ସେଥିପାଇଁ ୨୦୨୪ରେ ସମ୍ବଲପୁର ଲୋକସଭା ଆସନରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ।

ସମ୍ବଲପୁର ଲୋକସଭା ଆସନ ହାତେଇବା ଲାଗି ବିଜେଡି ଏଥର ରଣନୀତି ପ୍ରସ୍ତୁତ କରିଛି। ଏହି କ୍ଷେତ୍ର ଅଧୀନରେ ଆସୁଥିବା ରେଢ଼ାଖୋଲ ଏବଂ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛି ବିଜେଡି। ରୋହିତ ପୂଜାରୀଙ୍କୁ ରେଢ଼ାଖୋଲ ବଦଳରେ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି। ଏପଟେ ରେଢ଼ାଖୋଲରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରି ବିଜେଡି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି।

ଦମ୍ ଦେଖାଇବେ ପ୍ରଣବ

ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ୨୦୦୯ରେ ଯାଜପୁର ବିଧାନସଭା ଆସନରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି। ୨୦୧୪ ଏବଂ ୨୦୧୯ରେ ମଧ୍ୟ ସେ ବିଜୟ ପତାକା ଉଡ଼ାଇଛନ୍ତି। ପ୍ରଣବଙ୍କର ବିଧାନସଭା ନିର୍ବାଚନ ଲଢ଼ିବାର ଅଭିଜ୍ଞତା ରହିଛି।

ପ୍ରଥମ ଥର ପାଇଁ ସେ ଯାଜପୁର ଛାଡ଼ି ସମ୍ବଲପୁର ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।  ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ତାଙ୍କର ସାରା ରାଜ୍ୟରେ ସଙ୍ଗଠନ ରହିଥିବାରୁ ଏହାକୁ ଆଧାର କରି ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପିର ଧର୍ମେନ୍ଦ୍ର ଏବଂ କଂଗ୍ରେସର ନଗେନ୍ଦ୍ରଙ୍କୁ ପ୍ରଣବ ଚେକ୍ ଦେଇ କେମିତି ନିର୍ବାଚନ ବୈତରଣୀ ପାର୍ ହେଉଛନ୍ତି ତାହା ଦେଖିବାର କଥା।

’ଣ ରହିବ କଂଗ୍ରେସର ସ୍ଥିତି?

ସମ୍ବଲପୁର ଲୋକସଭା ଆସନରେ କଂଗ୍ରେସର ସଙ୍ଗଠନ ସୁଦୃଢ଼ ରହିଥିଲା। ୧୯୮୦ରୁ ୧୯୮୪, ୧୯୯୧ରୁ ୧୯୯୬ରେ କଂଗ୍ରେସ ପ୍ରାର୍ଥୀ କୃପାସିନ୍ଧୁ ଭୋଇ ବିଜୟୀ ହୋଇଥିଲେ। ସେହିପରି ୨୦୦୯ ନିର୍ବାଚନରେ ଅମରନାଥ ପ୍ରଧାନ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ୨୦୧୪ରେ ଚିତ୍ର ବଦଳି ଯାଇଥିଲା। କଂଗ୍ରେସ ଏଠାରେ ତୃତୀୟ ସ୍ଥାନରେ ରହିଥିଲା।

୨୦୧୯ ନିର୍ବାଚନରେ କଂଗ୍ରେସ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଥିଲା। ଅମରନାଥ ପ୍ରଧାନଙ୍କ ଜାଗାରେ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ସେ ବି ତୃତୀୟ ସ୍ଥାନରେ ରହିଥିଲେ। ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ୨୦୧୪ରେ ବିଜେଡି ସାଂସଦ ଥିବା ନଗେନ୍ଦ୍ର ପ୍ରଧାନ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନଗେନ୍ଦ୍ର ଏଥର କେମିତି ବିଜେଡି ଓ ବିଜେପିକୁ ସାମ୍ନା କରୁଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ରାସେଶ୍ୱରୀ ଓ ନୀତେଶଙ୍କ ଉପରେ ନଜର

ନିର୍ବାଚନ ତାରିଖ ଯେତିକି ପାଖଉଛି ସେହି ଅନୁସାରେ ରାଜନୀତିର ଚିତ୍ର ରୋଚକ ମୋଡ଼ ନେଉଛି। ବିଜେଡି କ୍ୟାମ୍ପ ଛାଡ଼ି ଅନେକ ନେତା ବିଜେପି ଯାଉଥିବା ବେଳେ ବିଜେପି ଶିବିରରୁ ଅନେକ ନେତା ବିଜେଡି ଆସୁଛନ୍ତି। ଏହାରି ଭିତରେ ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଏବଂ ସାଂସଦ ନୀତେଶ ଗଙ୍ଗଦେବଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୪ରେ ରାସେଶ୍ୱରୀ ବିଜେଡି ଡିକେଟରେ ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ରେ ସେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ। ୨୦୨୪ରେ ସେ ପୁଣିଥରେ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ। ହେଲେ ବିଜେଡି ରାସେଶ୍ୱରୀଙ୍କ ସ୍ଥାନରେ ରୋହିତ ପୁଜାରୀଙ୍କୁ ଟିକେଟ ଦେଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ରାସେଶ୍ୱରୀ ଶେଷରେ ବିଜେଡି ଛାଡ଼ିଛନ୍ତି। ଏହି ନିର୍ବାଚନରେ ସେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ୨୦୧୯ରେ ସମ୍ବଲପୁରରୁ ସାଂସଦ ଥିବା ନୀତେଶ ଗଙ୍ଗଦେବଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ମଧ୍ୟ ଅରୁନ୍ଧତୀଙ୍କୁ ଦେବଗଡ଼ ବିଧାନସଭା ଆସନରୁ ଟିକେଟ ଦେଇ ନୀତେଶଙ୍କ ସମର୍ଥନ ଆଶା କରିଥିଲା ବିଜେଡି। ହେଲେ ସେମିତି କିଛି ଘଟିଲା ନାହିଁ । ନୀତେଶ ବିଜେପିରେ ରହିଥିବା ସ୍ପଷ୍ଟ କରିବା ପରେ ରାଜନୀତି ପାଣିପାଗ ବଦଳି ଯାଇଥିଲା।

ଶେଷରେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟିଥିଲା ବିଜେଡି। ହେଲେ ଏବେ ବି ଅରୁନ୍ଧତୀ ଦେବୀ ଓ ତାଙ୍କ ପୁଅ ବିଜେଡିରେ ଥିବା ବେଳେ ନୀତେଶ ବିଜେପିରେ ଅଛନ୍ତି। ତେଣୁ ଦେବଗଡ଼ ରାଜ ପରିବାର ଏଥର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବଲପୁର ଆସନର ସମୀକରଣ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ ତଥା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ଏବଂ ଦେବଗଡ଼କୁ ନେଇ ଗଠିତ ସମ୍ବଲପୁର ଲୋକସଭା କ୍ଷେତ୍ର। ୨୦୧୯ରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡି ୪ଟି ଓ ବିଜେପି ୩ଟି ବିଧାନସଭା ଆସନ ଦଖଲ କରିଥିଲା।

ସମ୍ବଲପୁର, ରେଙ୍ଗାଲି ଓ ଦେବଗଡ଼ ବିଜେପି ହାତମୁଠାରେ ରହିଥିବାବେଳେ କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୯ ନିର୍ବା ଫଳାଫଳକୁ ଦେଖିଲେ, ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଓ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ନୀତେଶ ଗଙ୍ଗଦେବ ୯ ହଜାର ୧୬୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଗତ ଥର ଅପେକ୍ଷା ଏଥର ସମ୍ବଲପୁର ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଆଗାମୀ ୫ ବର୍ଷ ପାଇଁ ସମ୍ବଲପୁର ଜନତା କାହାକୁ ନିଜର ନେତା ବାଛି ଦିଲ୍ଲୀ ପଠାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ମେ’ ୨୫ ତାରିଖରେ ସମ୍ବଲପୁର ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ଆଗାମୀ ୫ ବର୍ଷ ପାଇଁ ସାଂସଦ ବାଛିବେ ଭୋଟର। ଆସନ୍ତା ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Tags: #Politics #OdishaPolitics #SambalpurLokSabhaElection2024 #BJD #BJP #Congress #OdishaAssemblyElections2024

LEAVE A REPLY

Please enter your comment!
Please enter your name here