ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭାରତରେ ଲୋକସଭା ନିର୍ବାଚନ ଲାଗି ଶନିବାର ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ଭୋଟରମାନେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶରେ ମୋଟ ୮୮୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହାସହ ଓଡ଼ିଶାର ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୮୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।
ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ପ୍ରାୟ ୧୧ କୋଟି ୧୩ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୧୪ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ୧୧ ଲକ୍ଷ ୪୦ ହଜାର ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।
ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ନେତା ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ, ମନୋଜ ତିୱାରୀ, ମେନକା ଗାନ୍ଧୀ, ମନୋହର ଲାଲ୍ ଖଟ୍ଟର, ନବୀନ ଜିନ୍ଦଲ ଏବଂ ରାଓ ଇନ୍ଦ୍ରଜିତ ସିଂହ ରହିଛନ୍ତି। ଏହାସହ ପିଡିପି ସୁପ୍ରିମୋ ମେହବୁବା ମୁଫତି, କଂଗ୍ରେସ ନେତା କହ୍ନେୟା କୁମାର ପ୍ରମୁଖ ନିର୍ବାଚନ ଲଢୁଛନ୍ତି।
ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଲୋକସଭା ଆସନରେ ଚାଲିଛି ମତଦାନ
- ଉତ୍ତରପ୍ରଦେଶ – ୧୪
- ହରିୟଣା – ୧୦
- ବିହାର – ୮
- ଝାଡ଼ଖଣ୍ଡ – ୪
- ଓଡ଼ିଶା -୬
- ପଶ୍ଚିମବଙ୍ଗ – ୮
- ଦିଲ୍ଲୀ – ୭
- ଜମ୍ମୁ କଶ୍ମୀର – ୧
Tags: #IndianGeneralElections #Voting #Voters #ECI #India

















