ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଭୋଟ ଗ୍ରହଣବେଳେ ବୁଥରେ ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ଗିରଫଦାରୀକୁ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଏହାକୁ ନେଇ ସୋମବାର ଶତାଧିକ ବିଜେପି କର୍ମୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରଶାନ୍ତଙ୍କ ମାମଲାରେ ସମ୍ପୃକ୍ତ ବୁଥର ସିସିଟିଭି ଯାଞ୍ଚ କରାଯାଇ, ଏହାକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି।

ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲାରେ ସିସିଟିଭି ଯାଞ୍ଚ ନକରି ତାଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଏହି ରାଜନୈତିକ ଷଡ଼ଯନ୍ତ୍ରରେ ଜଡ଼ିତଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହାସହ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲରୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ସେହିପରି ସିସିଟିଭିରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବାର ଦୃଶ୍ୟ ଥିଲେ, ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ବିଜେପି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ମାମଲାରେ ଖୋର୍ଦ୍ଧା ପୋଲିସକୁ ମଧ୍ୟ ଜୋରଦାର ବିରୋଧ କରାଯାଇଛି।

ଅନ୍ୟପଟେ ସମ୍ପୃକ୍ତ ପୋଲିଂ ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ଖୋର୍ଦ୍ଧା ଏସପି ଅବିନାଶ କୁମାର କହିଛନ୍ତି। ଏହି ମାମଲାରେ ସିସିଟିଭି ଯାଞ୍ଚ ହୋଇନଥିବା ସେ ସ୍ପଷ୍ଟ କରିଥିଲେ। ତେବେ ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। ନିର୍ବାଚନ ପ୍ରକ୍ରିୟା ପରେ ଏହାର ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ମେ’ ୨୫ ତାରିଖରେ ବେଗୁନିଆ ବିଧାନସଭା ଆସନ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ରବିବାର ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଏଠାରେ ଜାମିନ ନାମଞ୍ଜୁର ହେବାପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ବେଗୁନିଆ ୧୧୪ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀ ଏତଲା ଦେଇଥିଲେ। ଏଥିରେ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ପୋଲିସ ମୋଟ ୧୬ଟି ଦଫାରେ ମାମଲା ରୁଜୁ କରିଛି। ଆଇପିସି ଧାରା ୪୫୨, ୪୪୮, ୨୯୪, ୩୫୪, ୩୨୩, ୩୩୨, ୪୨୭, ୧୭୧(ସି), ୫୦୬(ଆଇ), ୩୫୩, ୩୪, ଭାରତୀୟ ଜନପ୍ରତିନିଧି ଆଇନର ଧାରା ୧୩୧, ୧୩୨, ୧୩୫, ୧୩୬ ଏବଂ ପ୍ରିଭେନ୍ସନ ଅଫ୍‌ ଡ୍ୟାମେଜ ଟୁ ପବ୍ଲିକ୍‌ ପ୍ରପୋର୍ଟି ଆକ୍ଟ-୧୯୮୪ର ଧାରା ୩ ଆଧାରରେ ପ୍ରଶାନ୍ତ ଗିରଫ ହୋଇଛନ୍ତି।

Tags: #PrasantaJagdev #Arrest #BJP #Politics #OdishaAssemblyElection2024 #Khordha

LEAVE A REPLY

Please enter your comment!
Please enter your name here