ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ଯୁକ୍ତ ୨ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଛାତ୍ରୀ ସମୀକ୍ଷା ନନ୍ଦ। ସେ ଯୁକ୍ତ ୨ କଳା ବିଷୟରେ ୯୩.୧୬ ପ୍ରତିଶତ ନମ୍ବର ରଖିଛନ୍ତି। ତାଙ୍କର ଏହି ଉପଲବ୍ଧି ପାଇଁ ସେ ଉତ୍ସାହିତ ଅଛନ୍ତି। ତେବେ ଏହି ସଫଳତା ଲାଗି ସେ କେମିତି ପରିଶ୍ରମ କରିଥିଲେ ଏବଂ କ’ଣ ଷ୍ଟ୍ରାଟେଜି କରିଥିଲେ, ସେ ବାବଦରେ ଓଡ଼ିଶାଲାଇଭକୁ ବିସ୍ତୃତ ଭାବେ କହିଛନ୍ତି ସମୀକ୍ଷା। 

ମାଟ୍ରିକ ସରିବା ପରେ ସମୀକ୍ଷା ନନ୍ଦ କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ କଳାରେ ପଢ଼ିଥିଲେ। ସେ ଏହି ପରୀକ୍ଷାରେ ୬୦୦ରୁ ୫୫୯ ନମ୍ବର ରଖି ବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ତାଙ୍କୁ ସଫଳତା ମିଳିଛି ବୋଲି ସେ କହିଛନ୍ତି।

“ଯୁକ୍ତ ୨ କଳାରେ ଥିବା ବିଷୟଗୁଡ଼ିକ ପାଇଁ ମତେ ବିଶେଷ ଅସୁବିଧା ହୋଇନଥିଲା। ମୁଁ ଧର୍ଯ୍ୟର ସହ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ମତେ ମୋର ଶିକ୍ଷକ ଓ ପରିବାର ଲୋକେ ବହୁତ ଉତ୍ସାହିତ କରିଥିଲେ”, କହିଛନ୍ତି ସମୀକ୍ଷା ନନ୍ଦ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ମୋ ପାଠପଢ଼ାର ପଦ୍ଧତିକୁ ସରଳ ରଖିଥିଲି। ଦିନକୁ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲି। ପରୀକ୍ଷା ସମୟରେ ସବୁ ବିଷୟକୁ ଭଲ ଭାବେ ରିଭିଜନ କରିଥିଲି। ସବୁ ବିଷୟଗୁଡ଼ିକ ପାଇଁ ନୋଟ୍ସ ବନଉଥିଲି। ଏହା ହିଁ ମତେ ପରୀକ୍ଷାରେ ଭଲ କରିବା ପାଇଁ ସାହାଯ୍ୟ କଲା।”

ସେ ଆହୁରି କହିଛନ୍ତି, “ଯେକୌଣସି କାର୍ଯ୍ୟ କରିବା ପାଇଁ ମଣିଷ ଟିକେ ଚାପଗ୍ରସ୍ତ ହେବା ଭଲ। ଏହା ସଫଳତା ପାଇବାରେ ସହାୟକ ହୁଏ। ହେଲେ ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ହେଲେ ସମୟ ସମୟରେ ବିଫଳତା ମିଳିଥାଏ। ଏଥିପାଇଁ ମନ ସ୍ଥିର କରି କାର୍ଯ୍ୟରେ ଆଗକୁ ବଢ଼ିବା ଦରକାର।”

ଆଗକୁ ଜଣେ ଭଲ ଅଧ୍ୟାପିକା ହୋଇ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସମୀକ୍ଷା। ଏ ଦିଗରେ ସେ ଆଗକୁ ଆହୁରି ପରିଶ୍ରମ କରିବେ ବୋଲି କହିଛନ୍ତି।

ସମୀକ୍ଷାଙ୍କ ଯୁକ୍ତ ୨ ପରୀକ୍ଷାରେ ସଫଳତାରେ ତାଙ୍କ ପରିବାର ଲୋକେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଏଥିପାଇଁ ଏବେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି।

Tags: #SamikhyaNanda #PlustwoSuccess #plustwoArtsExam #Education #Careers #Odisha

LEAVE A REPLY

Please enter your comment!
Please enter your name here