ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ସେ ବାରିପଦା, ବାଲେଶ୍ଵର ଓ କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସବୁ ସଭାରେ ସେ ନିଜ ସମ୍ବୋଧନରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

“ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି। ହେଲେ ରାଜ୍ୟ ସରକାରଙ୍କ ଯୋଗୁଁ ଏହାପ୍ରତି ବିପଦ ସୃଷ୍ଟି ହୋଇଛି। ରାଜ୍ୟ ପାଖରେ ସବୁ ଥାଇ ମଧ୍ୟ ଏଠାକର ଲୋକ ଆଜି ଗରିବ ଅଛନ୍ତି। ଏଥର ଓଡ଼ିଶାରେ ବିଜେଡି ସରକାରର ଅନ୍ତ ହେବାକୁ ଯାଉଛି। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ଥର ବିଜେପି ନେତୃତ୍ଵରେ ହେବ ଡବଲ ଇଞ୍ଜିନ ସରକାର। ଆମେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବୁ”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ରାଜ୍ୟ ସରକାର ଜାଣିଶୁଣି ଓଡ଼ିଶାର ଲୋକଙ୍କୁଠାରୁ ଲୁଚାଇ ରଖୁଛନ୍ତି। ବିଜେପିର ସରକାର ହେଲେ ଆମେ ଏହାର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବୁ। ଓଡ଼ିଶାବାସୀ ଏଥର ରାଜ୍ୟର ବିକାଶ ପାଇଁ ଭୋଟ୍ ଦେଇଛନ୍ତି। ଆମେ ରାଜ୍ୟବାସୀଙ୍କ ସବୁ ଆକାଂକ୍ଷା ପୂରଣ କରିବୁ।”

ଏହି ସବୁ ସମାବେଶରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କିଛି ଷଡ଼ଯନ୍ତ୍ର ରହିଛି ବୋଲି ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ସ୍ଵତନ୍ତ୍ର କମିଟି ଗଠନ କରି ଏହାର ଯାଞ୍ଚ କରାଯିବ ବୋଲି ସେ କହିଥିଲେ।

ବୁଧବାର ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ବାରିପଦା, ବାଲେଶ୍ଵର ଓ କେନ୍ଦ୍ରାପଡ଼ାରେ ହୋଇଥିବା ଏହିସବୁ ସଭାରେ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଏହାସହ ଏଠାରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।        

Tags: #OdishaAssemblyElections2024 #NartendraModi #PrimeMinister #ElectionCampaign #BJP #Odisha 

LEAVE A REPLY

Please enter your comment!
Please enter your name here