ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର। ଏହି ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସାମିଲ ରହିଛି। ଶେଷ ଦିନରେ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରଚାରକୁ ଜୋରଦାର କରିବେ ବୋଲି ଆଶା କରାଯାଉଛି।

ଶେଷ ପର୍ଯ୍ୟାୟରେ ରାଜ୍ୟର ଅନେକ ହେଭିୱେଟ୍ ନେତା ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେଡିରୁ ଅଂଶୁମାନ ମହାନ୍ତି ମଇଦାନରେ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା, ବିଜେପିରୁ ଗୀତାଞ୍ଜଳି ସେଠୀ ଏବଂ କଂଗ୍ରେସର ସିପ୍ରା ମଲ୍ଲିକ ନିର୍ବାଚନ ଲଢ଼ୁଛନ୍ତି।

ବାଲେଶ୍ଵର ଲୋକସଭା ଆସନ ପାଇଁ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ବିଜେଡିରୁ ଲେଖାଶ୍ରୀ ସମନ୍ତସିଂହାର ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ଏହାସହ ଭଦ୍ରକରେ ବିଜେଡିରୁ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ମୁହାଁମୁହିଁ ହେବେ।

ଅନ୍ୟପଟେ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡିର ବରିଷ୍ଠ ନେତା ସୁଦାମ ମାର୍ଣ୍ଡି ଓ ବିଜେପିରୁ ନବ ଚରଣ ମାଝି ମଇଦାନରେ ରହିଛନ୍ତି। ଯାଜପୁର ଲୋକସଭା ଆସନରେ ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିରୁ ରବୀନ୍ଦ୍ର ନାରାୟଣ ବେହେରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ସେହିପରି ଜଗତସିଂପୁର ଲୋକସଭା ଆସନ ପାଇଁ ବିଜେପିରୁ ବିଭୁ ପ୍ରସାଦ ତରାଇ ଏବଂ ବିଜେଡିରୁ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଦାବିଦାର ରହିଛନ୍ତି।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନରେ ବିଧାନସଭା ପାଇଁ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାନ୍ଦବାଲିରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଣ୍ଡାରିପୋଖରୀରୁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସାମିଲ ରହିଛନ୍ତି। ସେହିପରି ବିଜେଡିର ପ୍ରାର୍ଥୀଙ୍କ ମଧ୍ୟରେ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଜଳେଶ୍ଵରରୁ ଅଶ୍ଵିନୀ କୁମାର ପାତ୍ର, ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶନୀ ନିର୍ବାଚନ ଲଢୁଛନ୍ତି।

Tags: #OdishaAssemblyElection2024 #BJD #BJP #Congress #ElectionCampaign #ECI #Odisha

LEAVE A REPLY

Please enter your comment!
Please enter your name here