ସଙ୍ଗୀତା ମାନସିଂହ ଓ ଅଭିଷେକ ରାୟ

୨୦୨୪ ନିର୍ବାଚନରେ ଓଡ଼ିଶାରେ ବଦଳିଛି ରାଜନୈତିକ ସ୍ଥିତି, ବିଜେଡି ଗଡ଼ ଭାଙ୍ଗିବା ଲକ୍ଷ୍ୟରେ ରହିଛି ବିଜେପି।

ଓଡ଼ିଶା ହେଉଛି ପୂର୍ବ ଭାରତର ଗେଟ୍‌-ୱେ। ତେଣୁ ଓଡ଼ିଶା ଦଖଲ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିବା ପରଠୁ ଓଡ଼ିଶା ଉପରେ ଏହି ଜାତୀୟ ଦଳ ଅଧିକ ଫୋକସ୍‌ କରୁଛି। ୨୦୧୯ରୁ ଆରମ୍ଭ ହୋଇଥିବା ଅଭିଯାନ ୨୦୨୪ ନିର୍ବାଚନରେ ଜୋରଦାର ହୋଇଛି।

୨୦୨୪ରେ ଓଡ଼ିଶାରେ ବିଜେଡି ଗଡ଼ ଭାଙ୍ଗି ବିଜେପି ସରକାର ପ୍ରତିଷ୍ଠା ଲାଗି ବିଜେପି ଉଦ୍ୟମ କରୁଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଚାଣକ୍ୟ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚଳିତ ନିର୍ବାଚନ ବେଳେ ବିଜେପିର ଜାତୀୟ ସ୍ତରର ନେତାମାନେ ଯେଉଁଭଳି ଓଡ଼ିଶା ଆସି ରୋଡ ସୋ’ ଓ ସମାବେଶ ଆଦି କରୁଛନ୍ତି ସେଥିରୁ ଜଣାପଡୁଛି ବିଜେପି ଫୋକସରେ ଓଡ଼ିଶା ରହିଛି।

ମୋଦୀ-ଶାହଙ୍କ ଫୋକସରେ ଓଡ଼ିଶା

୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ବିଜେପିର ଦବଦବା ସାରା ଦେଶରେ ଧୀରେ ଧୀରେ ବଢ଼ିଛି। ମୋଦୀ ଲହରକୁ ଆଧାରକରି ବିଭିନ୍ନ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିଛି। ହେଲେ ଓଡ଼ିଶାରେ ତାହା ସମ୍ଭବ ହୋଇନାହିଁ। ମୋଦୀ ଲହର ବଦଳରେ ଓଡ଼ିଶାରେ ନବୀନ ମ୍ୟାଜିକ୍‌ ଅଧିକ କାମ କରିଥିଲା।

୨୦୧୪ ବିଧାନସଭା ନିର୍ବାଚନରେ ଓଡ଼ିଶାର ମାତ୍ର ୧୦ଟି ଆସନରେ ପଦ୍ମ ଫୁଟିଥିଲା। ସେହିପରି ଗୋଟିଏ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା। ଏହାପରେ ଓଡ଼ିଶା ପାଇଁ ବିଜେପି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଏହାର ଫଳାଫଳ ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା।

ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବା ସହ ବିଜେପି ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ଏହାକୁ ଆଧାରକରି ବିଜେପି ଶିବିର ଉତ୍ସାହିତ ହୋଇଯାଇଥିଲା। ୨୦୧୯ରେ ଓଡ଼ିଶାରେ ବିଜେପି ମିଶନ ୧୨୦ର ନାରା ଦେଇଥିଲା। ମୋଦୀ, ଶାହଙ୍କଠାରୁ ଆରମ୍ଭ କରି କେନ୍ଦ୍ର ନେତାମାନେ ବାରମ୍ବାର ଓଡ଼ିଶା ଆସିଥିଲେ। ହେଲେ ସରକାର ଗଠନ କରିବାରେ ବିଜେପି ସଫଳ ହୋଇ ନଥିଲା। କେବଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା। ୮ଟି ଲୋକସଭା ଆସନ ବିଜେପି ହାତକୁ ଯାଇଥିଲା।

୨୦୧୯ ନିର୍ବାଚନ ପ୍ରଚାର ବେଳେ ଅମିତ ଶାହ ବିଜେଡି ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହି କଡ଼ା ସମାଲୋଚନା କରିଥିଲେ। ମୋଦୀ ମଧ୍ୟ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ। ବିଜେଡି ନେତା ମଧ୍ୟ ପାଲଟା ଆକ୍ରମଣ କରିବାକୁ ପଛାଇ ନଥିଲେ। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି-ବିଜେପି ଭିତରେ ନୂଆ ସମ୍ପର୍କ ତିଆରି ହୋଇଥିଲା। ବିଜେପିର ଶୀର୍ଷ ନେତୃବୃନ୍ଦ ବିଜେଡିର କାର୍ଯ୍ୟକ୍ରମକୁ ପ୍ରଶାଂସା କରିଥିବା ବେଳେ ବିଜେଡି ଲୋକସଭାରେ ବିଭିନ୍ନ ବିଲକୁ ସମର୍ଥନ ଦେଇଥିଲା।

୨୦୨୪ ନିର୍ବାଚନ ବେଳେ ପୁଣି ବିଜେପି-ବିଜେଡି ଭିତରେ ବୟାନବାଜି ଚାଲିଛି। ବିଜେପି ନେତାମାନେ ସିଧାସଳଖ ନବୀନଙ୍କ ନାଁ ନେଇ ସମାଲୋଚନା କରୁଛନ୍ତି। ବିଭିନ୍ନ ନିର୍ବାଚନମଣ୍ଡଳୀରେ ରୋଡ୍‌ ସୋ’ ଓ ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ବିଜେଡିର ଅଭେଦ୍ୟ ଗଡ଼କୁ ଭାଙ୍ଗି ବିଜେପି ସରକାର ପ୍ରତିଷ୍ଠା କରିବାକୁ ଜୋରଦାର ଉଦ୍ୟମ କରୁଛି।

ବିଜେଡିର ୨୪ ବର୍ଷର ଶାସନ

୨୦୦୦ରୁ ୨୦୨୪, ଦୀର୍ଘ ୨୪ ବର୍ଷ ହେଲା ଓଡ଼ିଶାର ଶାସନ ଦାୟିତ୍ଵରେ ରହିଛି ବିଜୁ ଜନତା ଦଳ (ବିଜେଡି)। ପାଞ୍ଚପାଳି ହେଲା ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏଥର ମଧ୍ୟ ବିଜେଡି ୨୦୧୯ ଅପେକ୍ଷା ଅଧିକ ଆସନ ପାଇବାକୁ ଲକ୍ଷ୍ୟ ରଖିଛି।

ବିଜେଡିର ଭୋଟ ହାର ବଢ଼ିବା କଥା ଆଲୋଚନା କରିବା ବେଳେ ତତ୍କାଳୀନ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କ କଥା ସାମ୍ନାକୁ ଆସେ। ୨୦୦୪ ଏବଂ ୨୦୦୯ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପଛରେ ପ୍ୟାରୀମୋନ ମହାପାତ୍ରଙ୍କର ବଡ଼ ଭୂମିକା ରହିଥିବା କୁହାଯାଉଛି। ହେଲେ ୨୦୧୨ ମେ’ ୨୯ରେ ହୋଇଥିବା ମିଡନାଇଟ୍‌ ଅପରେସନ ଘଟଣାରେ ପ୍ୟାରୀ ଦଳରୁ ବିଦା ହୋଇଥିଲେ। ପ୍ୟାରୀ ଯିବା ପରେ ବିଜେଡି ନିର୍ବାଚନ ରାଜନୀତିରେ ଭଲ ପ୍ରଦର୍ଶନ କରିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରିଥିଲା ବିଜେଡି। ୨୦୧୪ରେ ବିରୋଧୀଙ୍କୁ ଚକମା ଦେଇ ପୁଣି ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଥିଲା।

୨୦୧୯ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନ ବିଜେଡିର ଷ୍ଟ୍ରାଟେଜି ମେକର ସାଜିଥିବା ଚର୍ଚ୍ଚା ହୋଇଥିଲା। ସେ ପରଦା ପଛରେ ରହି ଦଳ ପାଇଁ ଗୋଟି ଚାଳନା କରୁଥିବା ଆଲୋଚନା ହୋଇଥିଲା। କିନ୍ତୁ ଏବେ ସେ ସରକାରୀ ଚାକିରିରୁ ଅବସର ନେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏବେ ସେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ବୁଲି ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଏଥର ନିର୍ବାଚନ ପାଣ୍ଡିଆନଙ୍କ ପାଇଁ ପରୀକ୍ଷାର ବେଳ ବୋଲି ରାଜନୈତକ ମହଲରେ ଚର୍ଚ୍ଚା ହେଉଛି।

ନିର୍ବାଚନକୁ ଦେଖି ନୂଆ ନୂଆ ଯୋଜନା

ପ୍ରତିଥର ନିର୍ବାଚନକୁ ଲକ୍ଷ୍ୟରେ ରଖି ନୂଆ ନୂଆ ଯୋଜନାକୁ ଅସ୍ତ୍ର କରିଛି ବିଜେଡି। ୨୦୧୯ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଓଡ଼ିଶାରେ ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଗରିବ ଲୋକଙ୍କ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ହୋଇଛି। ଏହାରି ମଧ୍ୟରେ ବିଜେଡି ସରକାର ମିଶନ ଶକ୍ତିକୁ ନୂଆ ଦିଗ ଦେବାକୁ ଚେଷ୍ଟା କରିବା ସହ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ‘ନୂଆ ଓ’ ଯୋଜନା କରିଛନ୍ତି।

୨୦୧୯ ନିର୍ବାଚନ ପରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ନାଁରେ ବଡ଼ ଯୋଜନା ଆରମ୍ଭ କରିଥିଲେ। ଗତ ନିର୍ବାଚନକୁ ଦେଖିଲେ ପ୍ରତି ଥର ବିଜେଡି ନୂଆ ନୂଆ ଯୋଜନା ଲାଗୁ କରି ଗେମଚେଞ୍ଜରର ରୋଲ୍ ପ୍ଲେ କରିଛି।

ବିଜେଡିର ନୂଆ ଷ୍ଟ୍ରାଟେଜି

ସବୁଥର ଭଳି ନର୍ବାଚନ ସମୟରେ ନୂଆ ନୂଆ ଷ୍ଟ୍ରାଟେଜି ଅପଣାଉଥିବା ବିଜେଡି ଚଳିତ ନିର୍ବାଚନ ପୂର୍ବରୁ ଆପଣେଇଛି ବିଜେପିର ଫଣ୍ଡା। ବିଜେପିକୁ କାଉଣ୍ଟର କରିବା ପାଇଁ ପ୍ରାୟ ଦେଢ଼ ବର୍ଷ ହେଲା ପ୍ରଥମ ଥର ପାଇଁ ଧାର୍ମିକ କାର୍ଡ ଖେଳୁଛି ବିଜେଡି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହେବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରମୁଖ ପୀଠଗୁଡ଼ିକର ରୂପାନ୍ତରଣ କାମ ଦ୍ରୁତ ଗତିରେ କରାଯାଇଛି। ଏଥିପାଇଁ ଶହ ଶହ କୋଟି ଟଙ୍କା ବିନିଯୋଗ ମଧ୍ୟ ହୋଇଛି।

ବିଶେଷ କରି ଦେଖିବାକୁ ଗଲେ ଗତ ବର୍ଷକ ମଧ୍ୟରେ କ୍ଷୀପ୍ର ବେଗରେ ରୂପାନ୍ତରଣ କାମ କରାଯାଇଛି। ବିଜେପିକୁ କାଉଣ୍ଟର କରିବା ପାଇଁ ଏଭଳି ରଣନୀତି ଆପଣେଇଥିଲା ବିଜେଡି। ୨୦୨୪ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ହଠାତ ଗୋଟିଏ ନୂଆ କାର୍ଡ ଖେଳିଲେ ବିଜେଡି ସରକାର। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବା ଘୋଷଣା ଭୋଟରଙ୍କ ମୁଡ଼ ବିଜେଡି ପ୍ରତି କରିବାକୁ ପ୍ରୟାସ କରାଯାଇଛି।

କେବଳ ସେତିକି ନୁହେଁ ମିଶନ ଶକ୍ତି ମା’ଙ୍କ ଲାଗି ପେନସନ ବ୍ୟବସ୍ଥା ଏବଂ ବିଏସକେଓ୍ଵାଇ କାର୍ଡର ପରିସରକୁ ବ୍ୟାପକ କରିବାକୁ ଘୋଷଣା କରିଛି ବିଜେଡି। ମଧ୍ୟବିତ୍ତ ପରିବାର ଏବଂ ଚାକିରିଆ ଭୋଟରଙ୍କ ମନ ଜିତିବାକୁ ଏଥର ବିଜେଡି ଆପଣେଇଛି ନୂଆ ଷ୍ଟ୍ରାଟେଜି।

ଏଥର ନିର୍ବାଚନରେ କିଏ ଜିତିବ କିଏ ହାରିବ କହିବା ମୁସକିଲ। ଯେମିତି କ୍ରିକେଟ ଗ୍ରାଉଣ୍ଡରେ କଳ୍ପନା କରିବା କରିବା କଷ୍ଟକର ହୋଇପଡ଼େ କୋଉ ବଲରେ କ’ଣ ହେବ। ଏଥର ନିର୍ବାଚନରେ ମଧ୍ୟ ସମାନ ଅବସ୍ଥା। ବିଜେଡି-ବିଜେପି ମଧ୍ୟରେ ଲାଗି ଥିବା ରାଜନୈତିକ ଫାଇଟରେ କାହାକୁ ସଫଳତା ମିଳିବ ଆକଳନ କରିବା କାଠିକର ପାଠ।

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା

୨୦୨୪ ପୂର୍ବରୁ ବିଜେପି-ବିଜେଡି ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଦୁଇ ଦଳ ମଧ୍ୟରେ ପୁଣି ମେଣ୍ଟ ହେବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରାୟ ଦୁଇ ସପ୍ତାହ ଧରି ମେଣ୍ଟ ଚର୍ଚ୍ଚାକୁ ନେଇ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଉଭୟ ଦଳ ମେଣ୍ଟ ପାଇଁ ସହମତ ଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ପରେ କିନ୍ତୁ ବିଜେଡି ଓ ବିଜେପି ମୁହାଁମୁହିଁ ଲଢ଼ିବେ ବୋଲି ଘୋଷଣା କଲେ ଏବଂ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଲା। ବର୍ତ୍ତମାନ ଯେଉଁଭଳି ଭାବେ ବିଜେଡି-ବିଜେପି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି ପୂର୍ବରୁ ଏହାର ଆକଳନ କରାଯାଇନଥିଲା।

ମୋଦୀ-ଶାହଙ୍କ ଷ୍ଟ୍ରାଟେଜି

୨୦୨୪ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନର ଠିକ୍ ପୂର୍ବରୁ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଷ୍ଟ୍ରାଟେଜି ସମ୍ପର୍କରେ ଜଣାପଡ଼ିଥିଲା। ଘନ ଘନ ପ୍ରଚାର ଏବଂ ରୋଡ ସୋ’ କରି ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି ଦୁଇ ତୁଙ୍ଗ ନେତା, ଯାହା ଆଗରୁ କେବେବି ଦେଖିବାକୁ ମିଳିନଥିଲା।

ମୋଦୀ-ଶାହଙ୍କ ଷ୍ଟ୍ରାଟେଜି ହେଉଛି ପୂର୍ବଭାରତର ଗେଟ୍ ‘ଓଡ଼ିଶା’। ତେଣୁ ଓଡ଼ିଶାକୁ ନିଜ କବଜାକୁ ନେବା ଲାଗି ବିଜେପି ଚାହୁଁଛି। ସେଥିପାଇଁ ଭୁବନେଶ୍ଵର, ପୁରୀ, କଟକ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ମୟୂରଭଞ୍ଜ ଗସ୍ତ କରିଛନ୍ତି ମୋଦୀ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିର ସଫଳତାର କାହାଣୀ ବଖାଣି ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରିଛନ୍ତି।

ଚଳିତ ଥର ସୋନପୁରରୁ ପ୍ରଚାରର ଖାତା ଖୋଲିଥିଲେ ଅମିତ ଶାହ। ଥରେ ଦୁଇ ଥର ନୁହେଁ ପ୍ରତି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ପଦ୍ମ ଫୁଟେଇବାକୁ ପୂରା ଦମ ଲଗାଇଛନ୍ତି ମୋଦୀ-ଶାହ।

ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଘନ ଘନ ଓଡ଼ିଶା ଆସୁଥିବା ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ରୋଡ ସୋ’ କରିଥିଲେ। ଭୁବନେଶ୍ଵରରେ ପ୍ରଥମ ଥର ନରେନ୍ଦ୍ର ମୋଦୀ ବିଶାଳ ରୋଡ ସୋ’ କରିବା ପରେ ପୁରୀ ଏବଂ ସମ୍ବଲପୁରରେ ମଧ୍ୟ ରୋଡ ସୋ’ କରିଥିଲେ। ଗତ ନିର୍ବାଚନଗୁଡ଼ିକରେ ଏଭଳି କେବେବି ଦେଖିବାକୁ ମିଳିନାହିଁ।

ଏହାକୁ ଦେଖିଲେ ମନେ ହେଉଛି ଓଡ଼ିଶାରେ କ୍ଷମତାକୁ ଆସିବା କିମ୍ବା ବିଜେଡି ଶାସନକୁ ଦୁର୍ବଳ କରିବା ଏବେ ବିଜେପିର ମୁଖ୍ୟ ଲକ୍ଷ୍ୟ ହୋଇପଡ଼ିଛି। ବିଜେପି ଯଦି ଏଥର ନିଜ ଲକ୍ଷ୍ୟରେ ସଫଳ ହୁଏ, ତେବେ ଆସନ୍ତା ଥର ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପି ପାଇଁ ସହଜ ହୋଇଯିବ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।

ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି, ଚଳିତ ନିର୍ବାଚନରେ କିଛିବି ଘଟିପାରେ। ହୁଏତ ସରକାର ଗଢ଼ିପାରେ ବିଜେପି। ଚଳିତ ଥର ଟିକେଟ କସରତ ଏବଂ ପ୍ରାର୍ଥୀ ଚୟନକୁ ନେଇ ଅନେକ ନେତା ବିଜେଡି ଛାଡ଼ି ନିଜ ସମର୍ଥନଙ୍କ ସହ ବିଜେପିରେ ମିଶିଛନ୍ତି। ଏଥର ନିର୍ବାଚନରେ ବିଜେଡିର ଅନେକ ଟିକେଟ କଟିବାର ଆଶଙ୍କା ମଧ୍ୟ ରହିଛି। ବିଜେଡିକୁ ମିଳୁଥିବା ଅଧିକାଂଶ ସମର୍ଥନ ବିଜେପି ଖାତାରେ ଏଥର ଯୋଡ଼ି ହେବାର ସମ୍ଭାବନା ମଧ୍ୟ ରହିଛି। ଚଳିତ ନିର୍ବାଚନରେ ବିଜେଡି ତୁଳନାରେ ବିଜେପିର ସଫଳତା ପରିମାଣ ଢେର ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପିର ଭୋଟ ପରିମାଣ କ୍ରମାଗତ ବଢ଼ିଥିବା ଦେଖିବାକୁ ମିଳିଛି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ବିଜେପିର ଭୋଟ ପରିମାଣ ବଢ଼ିବା ନେଇ ଅନୁମାନ କରାଯାଉଛି। ମୋଦୀ ଏବଂ ଶାହଙ୍କ ଉଦ୍ୟମ ବିଜେପି ସପକ୍ଷରେ ଯିବ ବୋଲି କୁହାଯାଉଛି।

ଭୋଟରଙ୍କ ମାନସିକତା ଉପରେ ପ୍ରଭାବ

ବିଜେଡି ଏବଂ ବିଜେପି ଏଥର ଭୋଟରଙ୍କ ମୁଡ ନିଜ ଆଡ଼କୁ ନେବା ଲାଗି କସରତ କରୁଛନ୍ତି। ନୂଆ ନୂଆ ପ୍ରତିଶ୍ରୁତି, ଆକର୍ଷଣୀୟ ପ୍ରଲୋଭନ ଦେଖାଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ ଚଳାଇଛନ୍ତି ଦୁଇଦଳ। ପ୍ରତିଥର ନିର୍ବାଚନ ମଇଦାନରେ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବ ଏବଂ ଓଡ଼ିଆ କହୁଥିବା, ବୁଝୁଥିବା ଓଡ଼ିଶାର ପୁଅ କିମ୍ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ।

ଏପଟେ ମୋଦୀଙ୍କ ଘୋଷଣା ପରେ ପରେ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ମୁଖମନ୍ତ୍ରୀ ହେବେ ବୋଲି ଘୋଷଣା କରିଛି ବିଜେଡି। ଓଡ଼ିଶାର ଶାସନ ଭାର ପୁଣି ବିଜେଡି ହାତରେ ରହିବ ବୋଲି ଦଳ ଦମ୍ଭୋକ୍ତି ପ୍ରକାଶ କରିଛି।

ଗୋଟିଏ ଦଳର ମନ୍ତବ୍ୟକୁ ନେଇ ସାଙ୍ଗେ ସାଙ୍ଗେ କାଉଣ୍ଟର କରୁଛି ଅନ୍ୟ ଦଳ। ଓଡ଼ିଶାର ଭୋଟରମାନଙ୍କ ମାନସିକତା ଉପରେ କିପରି ପ୍ରଭାବ ପକାଇ ହେବ ତା’କୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ଉଭୟ।

ଚଳିତ ନିର୍ବାଚନର ଅଳ୍ପ ସମୟ ପୂର୍ବରୁ ଯେଉଁଭଳି ଭାବେ ନେତାମାନେ ଦଳ ବଦଳ କରିଛନ୍ତି ପୂର୍ବରୁ ଏଭଳି କେବେ ଦେଖିବାକୁ ମିଳିନଥିଲା। ଏହି ଦଳବଦଳ ପର୍ବ ଯୋଗୁଁ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି ଭୋଟର। ନେତାଙ୍କ ଚେହେରା ସହ ଚିହ୍ନ ବଦଳି ଥିବାରୁ ମତଦାନକୁ ନେଇ ଦୋଛକିରେ ଭୋଟର। ଏହାରି ମଧ୍ୟରେ ଭୋଟରଙ୍କ ଦ୍ଵନ୍ଦ୍ଵର ଫାଇଦା ନେବାକୁ ଚେଷ୍ଟା ଚଳାଇଛନ୍ତି ଉଭୟ ଦଳ। ଏହାର ଫାଇଦା ବିଜେପି ଉଠାଇବ ବୋଲି ରାଜନୀତି ପଣ୍ଡିତମାନେ ଅନୁମାନ କରୁଛନ୍ତି।

ବର୍ତ୍ତମାନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ବିଜେପି ଗଳାର କଣ୍ଟା ହୋଇରହିଛନ୍ତି। ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଏବଂ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ଆଗରେ ଠିଆ ହୋଇପାରୁନି ବିଜେପି। ଓଡ଼ିଶାରେ ସୁଦୃଢ଼ ହୋଇପାରୁନି ବିଜେପିର ସଂଗଠନ। ଓଡ଼ିଶାରେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେହି ଅନୁସାରେ ବିଜେପିକୁ ସଫଳତା ମିଳିପାରି ନାହିଁ।

ଅନ୍ୟ ପଟେ ବିଜେପି ମଧ୍ୟ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରି ନାହିଁ। ଓଡ଼ିଶାରେ ସାଧାରଣ ଲୋକ ଗ୍ରହଣ କରିବାଭଳି ବିଜେପିର ଲୋକପ୍ରିୟ ଚେହେରା ଏଯାଏଁ ତିଆରି ହୋଇପାରି ନାହିଁ ଦଳ। ବର୍ତ୍ତମାନ ମୋଦୀଙ୍କ ନାଁ ଭୋଟ ମାଗୁଛି ବିଜେପି। ଏଥର ବି ଓଡ଼ିଶାରେ ବିଜେପି ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି।

ପରୀକ୍ଷାର ବେଳ

ନବୀନଙ୍କ ଲୋକପ୍ରିୟତା ଏବଂ ତାଙ୍କ ନାଁରେ ବିଜେଡିର ଭୋଟ ବ୍ୟାଙ୍କ ବଢ଼ିଛି। ଏବେ କର୍ତ୍ତିକ ପାଣ୍ଡିଆନ ନିର୍ବାଚନ ଲାଗି ପ୍ରଚାର କରୁଥିବାରୁ ସେ ଭୋଟରଙ୍କୁ କେତେ ପ୍ରଭାବିତ କରିପାରୁଛନ୍ତି ତାହା ତାଙ୍କ ପାଇଁ ବଡ଼ ପରୀକ୍ଷାର ବିଷୟ ହେବ। ୨୦୨୪ ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ପରୀକ୍ଷାର ବେଳ।

କେନ୍ଦ୍ର ସକାର ଯେଉଁଭଳି ଭାବେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ କରୁଛନ୍ତି, ଆଗରୁ ଏତେ ପର୍ଯ୍ୟାୟରେ ନିର୍ବାଚନ ହେଉନଥିଲା। ନିର୍ବାଚନ ପର୍ଯ୍ୟାୟ ବଢ଼ିଥିବାରୁ କେନ୍ଦ୍ରରେ ଶାସନରେ ଥିବା ଦଳକୁ ଏହାର ଫାଇଦା ମିଳିବ, କାରଣ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଚାର କରିବାକୁ ସୁଯୋଗ ପାଇବେ।

ପୂର୍ବରୁ ଉତ୍ତର ଭାରତ ଏବଂ ବିହାର ଭଳି ରାଜ୍ୟ କେନ୍ଦ୍ରର ଟାର୍ଗେଟରେ ରହିଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳର ବଳ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି ବିଜେପି।

ଓଡ଼ିଶାରେ ଏବେ ବିଜେପି ପାଇଁ ଦୁର୍ଗ ଅକ୍ତିଆର କରିବାର ସମ୍ଭାବନା ଏବଂ ବିଜେଡି ପାଇଁ ଗଡ଼ ବଞ୍ଚାଇ ରଖିବାର ଚାଲେଞ୍ଜ ସୃଷ୍ଟି ହୋଇଛି।

Tags: #Politics #OdishaPolitic #BJD #BJP #IndiaPolitics #NarendraModi #AmitShah #NaveenPatnaik #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here