ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସରୁଛି ଭୋଟ ଗଣତି, ଆସିବାକୁ ଲାଗିଛି ୨୦୨୪ ନିର୍ବାଚନ ଫଳାଫଳ। ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ଅଦ୍ଭୁଦ ସ୍ଥିତି। ଓଡ଼ିଶାରେ ପଲିଟିକାଲ ମହାଲଢ଼େଇର ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାକୁ ଲାଗିଛି।

ଜାଣନ୍ତୁ କିଏ କେଉଁଠୁ ଜିତିଲେ

୨୦୨୪ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ାରେ ବାଜିମାତ କରିଛି ବିଜେପି। ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ପ୍ରାୟ ୧,୩୩୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ଟଙ୍କଧର।

ଟଙ୍କଧର ତ୍ରିପାଠୀଙ୍କୁ ୯୧,୧୦୫ ଖଣ୍ଡ ଭୋଟ ମିଳିଥିବାବେଳେ ଦୀପାଳି ପାଇଛନ୍ତି ୮୯,୭୭୭ ଖଣ୍ଡ ଭୋଟ। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅମିତା ବିଶ୍ଵାଳ ୫,୭୭୫ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।

ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ବିଜେଡି ଟିକେଟରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ହୋଇଥିଲା। ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ହରାଇ ଦୀପାଳି ଦାସ ଝାରସୁଗୁଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଥିଲେ।

ରାଉକେଲାରେ ପୁଣି ଜିତିଲେ ସାରଦା

ସାରା ରାଜ୍ୟରେ ଏଥର ବିଜେପିର ଲହର। କିନ୍ତୁ ରାଉରକେଲାରେ ହାରି ଯାଇଛନ୍ତି ବିଜେପି ହେଭିୱେଟ ନେତା ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କୁ ପରାଜିତ କରିଛନ୍ତି ବିଜେଡି ଭେଟେରାନ୍ ସାରଦା ପ୍ରସାଦ ନାୟକ।

୨୦୧୪ରେ ରାଉରକେଲା ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ। କିନ୍ତୁ ୨୦୧୯ରେ ସେ ଦଳଠାରୁ ଦୂରେଇ ରହିଥିଲେ। ପୁଣି ୨୦୨୪ରେ ପଦ୍ମ ଫୁଲ ଚିହ୍ନରେ ନିର୍ବାଚନ ଲଢୁଥିଲେ ଦିଲ୍ଲୀପ ରାୟ।  ଏଥର ସେ ସାରଦାଙ୍କଠାରୁ ୩ ହଜାର ୫୧୯ ଭୋଟରେ ହାରି ଯାଇଛନ୍ତି।

ଚଳିତ ନିର୍ବାଚନରେ ଦିଲ୍ଲୀପ ରାୟଙ୍କୁ ମୋଟ ୬୧ ହଜାର ୧୦୮ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜୟୀ ପ୍ରାର୍ଥୀ ସାରଦା ୬୪ ହଜାର ୬୬୦ ଭୋଟ ପାଇଛନ୍ତି।

ରାଉରକେଲାରେ କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ସେ ମୋଟ ୮ ହଜାର ୭୫୧ ଭୋଟ ପାଇଛନ୍ତି।

ବାରବାଟୀ-କଟକରେ ଜିତିରେ ସୋଫିଆ

ବାରବାଟୀ-କଟକ ବିଧାନସଭା ଆସନରେ ଏଥର ରୋଚକ ଚିତ୍ର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି। ସେ ତାଙ୍କ ବାପା ମହମ୍ମଦ ମୋକିମଙ୍କ ଗଡ଼କୁ ବଜାୟ ରଖିଛନ୍ତି।

୨୦୧୯ରେ ବାରବାଟୀ-କଟକ ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ମହମ୍ମଦ ମୋକିମ ବିଜୟୀ ହୋଇଥିଲେ। ସେତେବେଳେ କଟକ ଜିଲ୍ଲାରେ ସବୁ ବିଧାନସଭା ଆସନ ବିଜେଡି କବ୍ଜାରେ ରହିଥିଲା। କେବଳ ବାରବାଟୀ-କଟକ ଆସନ କଂଗ୍ରେସ ଖାତାକୁ ଆସିଥିଲା।

୨୦୨୪ ନିର୍ବାଚନରେ ମୋକିମ ଅଦାଲତରୁ ଝଟକା ପାଇଥିଲେ। ତେଣୁ, ମୋକିମ ନିର୍ବାଚନ ନ ଲଢ଼ି ଝିଅ ସୋଫିଆ ଫିର୍ଦୋଶଙ୍କୁ ମଇଦାନକୁ ପଠାଇଥିଲେ। ସୋଫିଆ ଏଥର ୫୩ ହଜାର ୩୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ୪୫ ହଜାର ୩୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଜେଡିର ପ୍ରକାଶ ଚନ୍ଦ୍ର ବେହେରା ୪୦ ହଜାର ୩୫ଟି ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

Tags: #Politics #OdishaPolitics #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here