ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ପୁଣିଥରେ ଜନମତ ଆସୁଛି। ଅପରାହ୍ଣ ୩ଟା ସୁଦ୍ଧା ଏନଡିଏ ୨୯୪ଟି ଆସନରେ ଆଗୁଆ ରହିଛି। ସେହିପରି ଇଣ୍ଡି ମେଣ୍ଟ  ୨୩୨ଟି ଆସନରେ ଆଗୁଆ ରହିଛି। ଚଳିତ ନିର୍ବାଚନରେ ବିଜେପି ‘୪୦୦ ପାର୍’ର ଯେଉଁ ନାରା ଦେଇଥିଲା ତାହା ଏଥର ସଫଳ ହୋଇନାହିଁ।  ୨୦୧୯ ନିର୍ବାଚନ ତୁଳନାରେ ବିରୋଧୀ ଦଳଗୁଡ଼ିକ ଏଥର ଏନଡିଏକୁ କଡ଼ା ମୁକାବିଲା କରୁଥିବା ଦେଖିବାକୁ ମିଳିଛି।

ସବୁଠୁ ବଡ଼ କଥା ହେଉଛି, ବିଜେପି ଏକାକୀ ୨୪୪ଟି ଆସନ ଏବଂ କଂଗ୍ରେସ ୯୭ଟି ଆସନରେ ଆଗୁଆ ରହିଛି।

୮୦ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟରେ ଥିବା ସମାଜବାଦୀ ପାର୍ଟି ୩୬ଟି ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି। ଏଠାରେ ବିଜେପି ୩୩ଟି ଆସନରେ ଆଗୁଆ ଚାଲିଛି। ସେହିପରି ଏନଡିଏର ଅନ୍ୟ ଦଳ ଆରଏଲଡି ୨ଟି ଓ ଅପନା ଦଳ ଗୋଟିଏ ଆସନରେ ଆଗୁଆ ରହିଛି। 

୪୮ ଲୋକସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଏନଡିଏକୁ ପଛରେ ପକାଇଛି ଇଣ୍ଡି ମେଣ୍ଟ। ଏଠାରେ ଏନଡିଏରୁ ବିଜେପି ୧୩ଟି ଓ ଶିବସେନା ୫ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି ଇଣ୍ଡି ମେଣ୍ଟରେ କଂଗ୍ରେସ ୧୧ଟି, ଶିବସେନା(ୟୁବିଟି) ୧୧ଟି ଏବଂ ଏନସିପି(ପିଏସପି) ୬ଟି ଆସନରେ ଆଗୁଆ ରହିଛନ୍ତି। 

୧୦ ଆସନ ବିଶିଷ୍ଟ ହରିୟଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ଟକ୍କର ଦେଖିବାକୁ ମିଳିଛି। ଏଠାରେ ବିଜେପି ୫ଟି ଓ କଂଗ୍ରେସ ୫ଟି ଆସନରେ ଆଗୁଆ ରହିଛନ୍ତି।

୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ୩୧ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୦ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। 

ରାଜସ୍ଥାନରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ୨୫ଟିରୁ ୨୫ ଆସନ ପାଇଥିଲା। ହେଲେ ଏଥର ସ୍ଥିତି ସପୂର୍ଣ୍ଣ ବଦଳିଛି। ଏଥର ଏଠାରେ ବିଜେପି ୧୪ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୮ଟି ଓ ସିପିଆଇଏମ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ବାକି ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି।

୨୮ ଲୋକସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ ବିଜେପି ୧୬ଟି, କଂଗ୍ରେସ ୧୦ଟି ଓ ଜେଡିଏସ୍ ୨ଟି ଆସନରେ ଆଗୁଆ ରହିଛି।

୩୯ ଆସନ ବିଶିଷ୍ଟ ତାମିଲନାଡୁରେ ଇଣ୍ଡି ମେଣ୍ଟରେ ଥିବା ଡିଏମକେ ୨୧ଟି, କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି। ଏଠାରେ ସିପିଆଇ ଓ ସିପିଆଇଏମ ୨ଟି ଲେଖାଏଁ ଆସନରେ ଆଗୁଆ ରହିଛି। ବିଜେପି ଏଠାରେ ଖାତା ଖୋଲିପାରି ନାହିଁ।

Tags: #Politics #OdishaPolitics #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here