ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି। ୧୪୭ଟି ଆସନରୁ ବିଜେପି ୭୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୫୭ ଏବଂ କଂଗ୍ରେସ ୧୪ଟିରେ ଆଗୁଆ ରହିଥିବା ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶାରେ ବିଜେପିର ଗଡ଼ ଥିଲା। ସେଠି ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା। ତେବେ ବର୍ତ୍ତମାନର ଟ୍ରେଣ୍ଡରୁ ଯାହା ଚିତ୍ର ଆସୁଛି ସେଥିରୁ ଜଣାପଡୁଛି ଯେ ବିଜେପି କେବଳ ପଶ୍ଚିମ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ମଧ୍ୟ ବିଜେପି ପୂର୍ବ ନିର୍ବାଚନ ଅପକ୍ଷା ଭଲ ଫଳାଫଳ କରୁଥିବା ଜଣାପଡୁଛି।

ବିଜେପି କାହିଁକି ଆଗରେ?

ଚଳିତ ନିର୍ବାଚନରେ ବିଜେପିର ଶୀର୍ଷ ନେତୃବୃନ୍ଦ ଓଡ଼ିଶା ଉପରେ ଫୋକସ୍ କରିଥିଲେ। ପ୍ରଧାନମନ୍ତ୍ରୀ ନର୍ଦ୍ରେ ମୋଦୀଙ୍କଠାରୁ ଅରମ୍ଭ କରି ଅମିତ ଶାହ, ରାଜନାଥ ସିଂହ, ଜେ ପି ନଡ୍ଡା ଏବଂ ଅନ୍ୟ କେନ୍ଦ୍ର ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରି ବିଜୁ ଜନତା ଦଳ ସରକାରର ବିଫଳତାକୁ ଅସ୍ତ୍ର କରିବା ସହ ମୋଦୀ ସରକାରଙ୍କ ସଫଳତାର କଥା କହିଥିଲେ। ଏହା ଓଡ଼ିଶା ଭୋଟରଙ୍କ ମନକୁ ଛୁଇଁଥିବା କୁହାଯାଉଛି।

ସେହିପରି ବିଜେପି ଏଥର ଓଡ଼ିଆ ଅସ୍ମିତା କଥା ଉଠାଇ ଭୋଟରଙ୍କ ପାଖକୁ ଯାଇଥିଲା। ଏହାକୁ ଭୋଟରଙ୍କ ଉପରେ ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି।

ବିଜେଡି ଚଳିତ ନିର୍ବାଚନରେ ନବୀନ ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରିଥିଲା। ନବୀନ ଗ୍ୟାରେଣ୍ଟି କଥା କହି ଭୋଟରଙ୍କ ପାଖକୁ ଯାଇଥିଲା। ହେଲେ ଏହା ଚଳିତ ନିର୍ବାଚନରେ ଭୋଟରଙ୍କ ମନକୁ ଛୁଇଁ ନଥିବା ଅନୁମାନ କରାଯାଉଛି।

ଓଡ଼ିଶା ବିଧାନସଭାରେ ମୋଟ ଆସନ ସଂଖ୍ୟା ହେଉଛି ୧୪୭। ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି। ତେଣୁ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ବିଜେପିର ମୁଖପାତ୍ରମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଆଗକୁ ଆହୁରି ୧୨ରୁ ୧୩ ରାଉଣ୍ଡ ଭୋଟ ଗଣତି ବାକି ରହିଛି। ତେଣୁ ଆଉ କିଛି ଘଣ୍ଟା ଭିତରେ ଟ୍ରେଣ୍ଡ ବଦଳିବାର ସମ୍ଭାବନା ରହିଛି। ଆଗକୁ ଚିତ୍ର କ’ଣ ରହୁଛି ତାହା ଅପେକ୍ଷା କରି ଦେଖିବାର କଥା।

(ବିଶେଷ ସୂଚନା:  ଅପରାହ୍ଣ ୧ଟା ୩୦ ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

Tags: #Politics #OdishaPolitics #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here