(ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ)

ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ପୁରୀ। ଏହା ଅଧୀନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରୁ ପୁରୀ ଓ କାକଟପୁର ଆସନରେ ଶାସକ ବିଜେଡି କଡ଼ା ଟକ୍କରର ମୁକାବିଲା କରୁଛି। ଅନ୍ୟପକ୍ଷରେ ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ଏବଂ ନିମାପଡ଼ା ଭଳି ଚର୍ଚ୍ଚିତ ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଚାଲିଛି ବିଜେପି। ଫଳରେ ୨୦୨୪ ନିର୍ବାଚନରେ ପୁରୀ ଜିଲ୍ଲାରେ ବିଜେପିର ପ୍ରଭାବ ବିସ୍ତାରିତ ହୋଇଛି।

ପୁରୀରେ କଡ଼ା ଟକ୍କର

ପୁରୀ ବିଧାନସଭା ଆସନରେ ଗତ ନିର୍ବାଚନରେ ବିଜେପିର ଜୟନ୍ତ କୁମାର ଷଡଙ୍ଗୀଙ୍କୁ ଭୋଟର ବାଛିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଜୟନ୍ତ ବିଜେଡିରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି। ୧୧ ରାଉଣ୍ଡ ଭୋଟ୍‌ ଗଣତି ସୁଦ୍ଧା (ଅପରାହ୍ଣ ୧:୪୦) ଜୟନ୍ତଙ୍କୁ ମିଳିଛି ମୋଟ୍ ୩୩ ହଜାର ୨୯୩ ଭୋଟ୍। ସେଠାରେ ବିଜେଡିର ସୁନିଲ କୁମାର ମହାନ୍ତି ୩୪ ହଜାର ୮୦୦ ଭୋଟ୍ ପାଇ ଆଗୁଆ ଅଛନ୍ତି।

ସୁନିଲ ହେଉଛନ୍ତି ବିଜେଡିର ପୂର୍ବତନ ଟାଣୁଆ ନେତା ମହେଶ୍ୱର ମହାନ୍ତିଙ୍କ ପୁଅ। ବର୍ତ୍ତମାନ ସୁଦ୍ଧା ସୁନିଲ ଜୟନ୍ତଙ୍କଠାରୁ ୧,୫୦୦ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

କାକଟପୁରରେ ବି କଡ଼ା ଟକ୍କର

କାକଟପୁର ବିଧାନସଭା ଆସନରେ ୧୦ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ଆଗରେ ରହିଛନ୍ତି ବିଜେଡିର ତୁଷାରକାନ୍ତି ବେହେରା। ସେ ମୋଟ ୨୭ ହଜାର ୫୯୮ ଭୋଟ ପାଇଛନ୍ତି। ତାଙ୍କ ବିପକ୍ଷରେ ଥିବା ବାଇଧର ମଲ୍ଲିକ ୨୬ ହଜାର ୧୦୬ ଭୋଟ ପାଇଛନ୍ତି। ଅର୍ଥାତ ବିଜେପିଠାରୁ ବିଜେଡି ପ୍ରାର୍ଥୀ ୧,୪୯୬ ଅଧିକ ଭୋଟରେ ଆଗୁଆ ରହିଛନ୍ତି।

ପୁରୀ ଓ କାକଟପୁରରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଏପର୍ଯ୍ୟନ୍ତ ମାତ୍ର ୧,୫୦୦ ରହିଥିବାରୁ ଫଳାଫଳ କିଛି ବି ହୋଇପାରେ। ପୁରୀରେ ଆଉ ୧୩ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ କାକଟପୁରରେ ଆଉ ୧୮ରାଉଣ୍ଡ ଭୋଟ ଗଣତି ହେବ।

ନିମାପଡ଼ା, ବ୍ରହ୍ମଗିରି ଓ ସତ୍ୟବାଦୀରେ ବିଜେପି ଆଗୁଆ

ଚଳିତ ନିର୍ବାଚନରେ ନିମାପଡ଼ା ଆସନ ବେଶ୍ ଚର୍ଚ୍ଚିତ ହୋଇ ରହିଛି। ଏଠାରେ ବିଜେଡିର ଛାମୁଆ ନେତା ସମୀର ଦାସଙ୍କ ଟିକେଟ କାଟି ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ବାଛିଥିଲା। ତେବେ ୧୩ ରାଉଣ୍ଡ ସୁଦ୍ଧା ବିଜେପିର ପ୍ରଭାତୀ ପରିଡ଼ା ବିଜେଡି ପ୍ରାର୍ଥୀଙ୍କଠାରୁ ୨୬୨୭ ଭୋଟ୍ ବ୍ୟବଧାନରେ ଆଗୁଆ ଅଛନ୍ତି।

ଅପରାହ୍ଣ ସୁଦ୍ଧା ନିମାପଡ଼ାରେ ୧୩ ରାଉଣ୍ଡ  ଭୋଟ୍ ଗଣତି ହୋଇଛି। ସେଠାରେ ଆଉ ୧୫ ରାଉଣ୍ଡ ଭୋଟ୍ ଗଣତି ହେବ। ବର୍ତ୍ତମାନ ସୁଦ୍ଧା ଥିବା ଭୋଟ୍ ବ୍ୟବଧାନ ଅଧିକ ହୋଇନଥିଲେ ମଧ୍ୟ ବିଜେଡି ତା’ର ଏହି ପାରମ୍ପରିକ ସିଟ୍‌ରେ ବିଜେପିଠାରୁ କଡ଼ା ଟକ୍କରର ମୁକାବିଲା କରୁଛି।

ବ୍ରହ୍ମଗିରି ଆସନରେ ଏଥର ମଧ୍ୟ ପଦ୍ମ ଆଗରେ ରହିଛି। ୨୦୧୯ରେ ବିଜେପିର ଲଳିତେନ୍ଦୁ ମହାପାତ୍ର ସଞ୍ଜୟ ଦାସବର୍ମାଙ୍କୁ ହରାଇଥିଲେ। ଚଳିତ ଭୋଟ୍‌ରେ ଲଳିତେନ୍ଦୁଙ୍କ ଝିଆରୀ ତଥା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଅପରାହ୍ଣ ୨ଟା ସୁଦ୍ଧା ଉପାସନା ୪୩ ହଜାର ୭୪୦ ଭୋଟ୍ ପାଇଛନ୍ତି। ଏହି ୧୨ ରାଉଣ୍ଡ ଫଳାଫଳ ସୁଦ୍ଧା ଉପାସନା ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୪୭୬୧ ଭୋଟ୍‌ରେ ଆଗୁଆ ଅଛନ୍ତି।

ସେହିପରି ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଆଗୁଆ ଅଛନ୍ତି। ସେ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସ ବର୍ମାଙ୍କଠାରୁ ଆଗୁଆ ଅଛନ୍ତି। ସେଠାରେ ୧୬ ରାଉଣ୍ଡ ସୁଦ୍ଧା ବିଜେପି ୧୧ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଆଗରେ ଚାଲିଛି।

ପିପିଲି ବିଜେଡିର ଦୁର୍ଗ ଭାବେ ପରିଚିତ। ଏଠାରେ ବହୁବାର ପ୍ରଦୀପ ମହାରଥୀ ନିର୍ବାଚିତ ହୋଇ ବିଜେଡି ସରକାରରେ ମନ୍ତ୍ରୀ ରହିଥିଲେ। ପ୍ରଦୀପଙ୍କ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ ମଧ୍ୟ ଏହି ଆସନରୁ ଦଳୀୟ ଟିକେଟରେ ନିର୍ବାଚିତ ହୋଇଛନ୍ତି। ହେଲେ ଚଳିତ ନିର୍ବାଚନରେ ରୁଦ୍ରଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ଆଶ୍ରିତ ପଟ୍ଟନାୟକ।

୧୧ ରାଉଣ୍ଡ ସୁଦ୍ଧା ଆଶ୍ରିତ ରୁଦ୍ରଙ୍କଠାରୁ ୬ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ପିପିଲିରେ ଆଉ ୧୭ ରାଉଣ୍ଡ ଭୋଟ୍ ଗଣତି ବାକି ରହିଛି। ଗତ ନିର୍ବାଚନରେ ହାରି ଯାଇଥିବା ଆଶ୍ରିତ ଏଥର ରୁଦ୍ରଙ୍କଠାରୁ ଭାରି ପଡ଼ିଥିବା ଅନୁମାନ କରାଯାଉଛି।

Tags: #Politics #OdishaPolitics #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here