ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଫ୍ଲପ୍ ମାରିଲେ ଟପ୍ ନେତା, ନିର୍ବାଚନ ବୈତରଣୀ ପାର କରିପାରିଲେନି ତିନି ଦଳର ମୁଖିଆ।

ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ଓଡ଼ିଶାରେ ଦୀର୍ଘ ୨୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଶାସନରେ ଥିବା ବିଜେଡିର ଗଡ଼ ଭାଙ୍ଗିଛି। ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି ବିଜେପି।

ଚଳିତ ନିର୍ବାଚନରେ ସମସ୍ତଙ୍କୁ ବିସ୍ମିତ କରିଛି ଦଳ ମୁଖିଆମାନଙ୍କର ନୈରାଶ୍ୟ ଜନକ ପ୍ରଦର୍ଶନ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ସଭାପତିଙ୍କୁ ଏଥର ମିଳିପାରିନି ଜନତାଙ୍କ ସମର୍ଥନ। ବିଜେପି ରାଜ୍ୟ ସଭାପତି ଥିବା ମନମୋହନ ସାମଲ ୨୦୨୪ ନିର୍ବାଚନରେ ହାରିଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନରେ ଫେଲ୍ ମାରିଛନ୍ତି। ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଦଳରେ ଟପ୍, ନିର୍ବାଚନରେ ଫ୍ଲପ

ଓଡ଼ିଶାରେ ବିଜେପିର ବଡ଼ ବିଜୟ ସତ୍ଵେ ନିର୍ବାଚନ ବୈତରଣୀ ପାର କରିପାରିଲେ ନାହିଁ ମନମୋହନ ସାମଲ। ବରିଷ୍ଠ ନେତା ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ଆସନ ଲାଗି ପ୍ରତିଦ୍ଵନ୍ଦ୍ଵିତା କରି ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଛନ୍ତି।

ବ୍ୟୋମକେଶ ରାୟ ୮୩,୦୬୩ ଖଣ୍ଡ ଭୋଟ ପାଇଥିବାବେଳେ ମନମୋହନ ସାମଲଙ୍କୁ ମିଳିଛି ୮୧,୧୪୭ ଖଣ୍ଡ ଭୋଟ। ମାତ୍ର ୧,୯୧୬  ଖଣ୍ଡ ଭୋଟ ବ୍ୟବଧାନରେ ବ୍ୟୋମକେଶଙ୍କଠାରୁ ହାରିଛନ୍ତି ମନମୋହନ। ଓଡ଼ିଶାରେ ମୋଦୀ ଲହର କାମ କରିଥିବାବେଳେ ମନମୋହନଙ୍କ ପାଇଁ ଫଳପ୍ରଦ ହୋଇପାରି ନଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଶରତଙ୍କୁ ମିଳିଲାନି ଜନତାଙ୍କ ସମର୍ଥନ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ୨୦୨୪ ନିର୍ବାଚନରେ ମିଳିଲା ନାହିଁ ସଫଳତା। ବଡ଼ ଭୋଟ ବ୍ୟବଧାନରେ ତାଙ୍କୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ପରାଜିତ ହେବାକୁ ପଡ଼ିଛି। ପିସିସିର ମଙ୍ଗ ଧରିବା ପରେ ୯ରୁ ୯୦ ଡାକରା ଦେଇଥିଲେ ଶରତ ପଟ୍ଟନାୟକ। କେବଳ ସେତିକି ନୁହେଁ ଓଡ଼ିଶାରେ ଏଥର କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିଲେ। ତେବେ ସେ ନିଜ ଆସନ ବଞ୍ଚାଇ ପାରିଲେ ନାହିଁ।

ନୂଆପଡ଼ା ବିଧାସନଭା ଆସନରୁ ନିର୍ବାଚନ ଲଢ଼ୁଥିବା ଶରତ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୪୬,୩୨୧ ଖଣ୍ଡ ଭୋଟ ବ୍ୟବଧାନରେ ହାରିଛନ୍ତି। ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଶରତ ପଟ୍ଟନାୟକଙ୍କୁ ମିଳିଛି ମାତ୍ର ୧୫,୫୦୧ ଖଣ୍ଡ ଭୋଟ। ଏଥର ଦଳ ମୁଖ୍ୟଙ୍କୁ ମିଳିଲା ନାହିଁ ଜନତାଙ୍କ ସମର୍ଥନ।

କଣ୍ଟାବାଞ୍ଜି ନବୀନଙ୍କ ହାତରୁ ଗଲା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ୨୦୨୪ ନିର୍ବାଚନରେ ଲାଗିଛି ବଡ଼ ଝଟକା। ଏଥର ଗୋଟିଏ ଆସନରେ ହାରିଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି, ଦୁଇଟି ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ଜିଞ୍ଜିଳିରେ ବିପୁଳ ବିଜୟ ମିଳିଥିଲେ ମଧ୍ୟ କଣ୍ଟାବାଞ୍ଜି ଆସନ ନବୀନଙ୍କ ହାତରୁ ଯାଇଛି। ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିଛନ୍ତି ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬,୩୪୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ୯୦,୮୭୬ ଖଣ୍ଡ ଭୋଟ ମିଳିଥିବାବେଳେ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ପଡ଼ିଛି ୭୪,୫୩୨ ଖଣ୍ଡ ଭୋଟ।

ଓଡ଼ିଶାରେ ବିପୁଳ ବିଜୟ ହାସଲ କରିଛି ବିଜେପି। ମୋଟ ୭୮ଟି ବିଧାନସଭା ଆସନ ଏବଂ ୨୦ଟି ଲୋକସଭା ଆସନ ହାତେଇଛି ବିଜେପି। ଦୀର୍ଘ ୨୪ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ଶାନସରେ ଥିବା ବିଜେଡିକୁ ୫୧ଟି ବିଧାନସଭା ଆସନରେ ସଫଳତା ମିଳିଥିବାବେଳେ ଲୋକସଭାରେ ଖାତା ଖୋଲିପାରିଲା ନାହିଁ। ଚଳିତ ଥର କଂଗ୍ରେସର ଆସନ ସଂଖ୍ୟା ବଢ଼ିଛି। ୧୪ଟି ବିଧାନସଭା ଆସନ ଜିତିବାରେ ସଫଳ ହୋଇଛି କଂଗ୍ରେସ। ତେବେ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ସଭାପତି ରାଜନୀତି ପରୀକ୍ଷାରେ ଏଥର ଫେଲ୍ ମାରିଛନ୍ତି।

Tags: #Politics #OdishaPolitics #OdishaAssemblyElections2024 #NaveenPatnaik #ManmohanSamal #SaratPatnaik #Odisha #BJD #BJP #Congress

LEAVE A REPLY

Please enter your comment!
Please enter your name here