ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ଏଥିରେ ବିଜେପି ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଏନଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି ସତ, ହେଲେ ଆଶା ଅନୁଯାୟୀ ଫଳାଫଳ ଆସିନଥିବାରୁ ବିଜେପି ଶିବିରରେ ନୈରାଶ୍ୟତା ଦେଖାଦେଇଛି। ନିର୍ବାଚନରେ ଏନଡିଏ ୪୦୦ରୁ ଅଧିକ ସିଟ ଜିତିବାକୁ ଆଶା ରଖିଥିଲେ ମଧ୍ୟ ମାତ୍ର ୨୯୩ଟି ଆସନରେ ବିଜୟୀ ହୋଇଛି। ବିଜେପି ମାତ୍ର ୨୪୦ଟି ଆସନରେ ସୀମିତ ରହିଛି।
ଏଥର ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଫେଲ୍ ମାରିଛି। ଦଳକୁ ଉତ୍ତର ପ୍ରଦେଶରେ ସବୁଠାରୁ ବଡ଼ ଝଟକା ଲାଗିଛି। ୮୦ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ଏଥର ବିଜେପି ମାତ୍ର ୩୩ଟି ଆସନ ଜିତିଛି। ସେହିପରି ଏଠାରେ ଏନଡିଏ ମେଣ୍ଟରେ ଥିବା ଆରଏଲଡି ୨ଟି ଏବଂ ଅପନା ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଯେଉଁଠାରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୬୨ଟି ଆସନରେ ବିଜୟୀ ହୋଇଥିଲା।
ଅନ୍ୟପଟେ ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟ ଚମକପୂର୍ଣ୍ଣ ପ୍ରଦର୍ଶନ କରିଛି। ଏଠାରେ ମେଣ୍ଟରେ ଥିବା ସମାଜବାଦୀ ପାର୍ଟି ୩୭ଟି ଏବଂ କଂଗ୍ରେସ ୬ଟି ଆସନ ହାତେଇବାରେ ସଫଳ ହୋଇଛନ୍ତି। ଏହି ଦୁଇ ଦଳ ଭାରତର ସବୁଠାରୁ ଅଧିକ ଆସନ ବିଶିଷ୍ଟ ରାଜ୍ୟରେ ବିଜେପିର ଆଶା ଆକାଂକ୍ଷାକୁ ଧୂଳିସାତ କରିଛନ୍ତି।
ଜାଣନ୍ତୁ ଅନ୍ୟ କେଉଁ ରାଜ୍ୟରେ ଫେଲ ମାରିଛି ବିଜେପି
ମହାରାଷ୍ଟ୍ର
୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାରତର ଦ୍ଵିତୀୟ ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ। ଏଠାରେ ମଧ୍ୟ ଏନଡିଏକୁ ପଛରେ ପକାଇଦେଇଛି ଇଣ୍ଡି ମେଣ୍ଟ। ଏଠାରେ ଏନଡିଏରୁ ବିଜେପି ୯ଟି, ଶିବସେନା ୭ଟି ଏବଂ ଏନସିପି ଗୋଟିଏ ଆସନରେ ଜିତିଛି। ସେହିପରି ଇଣ୍ଡି ମେଣ୍ଟରେ କଂଗ୍ରେସ ୧୩ଟି, ଶିବସେନା(ୟୁବିଟି) ୯ଟି ଏବଂ ଏନସିପି (ପିଏସପି) ୮ଟି ଆସନ ହାତେଇଛି।
୨୦୧୯ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ଏଥିରେ ବିଜେପି ୨୩ଟି ଓ ଶିବସେନା ୧୮ଟି ଆସନ ଜିତିଥିଲା। ଅନ୍ୟପଟେ ୟୁପିଏ ମେଣ୍ଟରେ ଏନସିପି ୪ଟି ଓ କଂଗ୍ରେସ ଗୋଟିଏ ଆସନରେ ସୀମିତ ରହିଥିଲା।
ପଶ୍ଚିମବଙ୍ଗ
୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ୨୯ଟି ଆସନରେ ବଡ଼ ବିଜୟ ହାସଲ କରି ବିଜେପିକୁ ରୋକିବାରେ ସଫଳ ହୋଇଛି। ଏଠାରେ ବିଜେପି ମାତ୍ର ୧୨ଟି ଆସନରେ ଜିତିଛି। ଏହାସହ କଂଗ୍ରେସ ଗୋଟିଏ ଆସନ ହାତେଇଛି।
୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନରେ ଜିତିଥିଲା। ସେହିପରି ଟିଏମସି ୨୨ଟି ଆସନ ହାତେଇଥିଲାବେଳେ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା।
ରାଜସ୍ଥାନ
ରାଜସ୍ଥାନରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ୨୫ଟିରୁ ୨୫ ଆସନ ପାଇଥିଲା। ହେଲେ ଏଥର ସ୍ଥିତି ସପୂର୍ଣ୍ଣ ବଦଳିଛି। ଏଥର ଏଠାରେ ବିଜେପି ୧୪ଟି ଆସନରେ ସୀମିତ ହୋଇଛି। ଅନ୍ୟପଟେ କଂଗ୍ରେସ ୮ଟି ଓ ସିପିଆଇଏମ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ବାକି ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଜିତିଛନ୍ତି।
କର୍ଣ୍ଣାଟକ
୨୮ ଲୋକସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ ବିଜେପି ୧୭ଟି, କଂଗ୍ରେସ ୯ଟି ଓ ଜେଡିଏସ୍ ୨ଟି ଆସନରେ ବିଜୟୀ ହୋଇଛନ୍ତି। ହେଲେ ଗତଥର ନିର୍ବାଚନରେ ବିଜେପି ଏକାକୀ ଏଠାରେ ୨୫ଟି ଆସନରେ ଜିତିଥିଲା।
ତାମିଲନାଡୁ
୩୯ ଆସନ ବିଶିଷ୍ଟ ତାମିଲନାଡୁରେ ଇଣ୍ଡି ମେଣ୍ଟ ସବୁ ସିଟ ଜିତି କ୍ଲିନ୍ ସ୍ଵିପ୍ କରିଛି। ଏଠାରେ ଡିଏମକେ ୨୨ଟି, କଂଗ୍ରେସ ୯ଟି ଆସନ ହାତେଇଛି। ସେହିପରି ମେଣ୍ଟରେ ଥିବା ସିପିଆଇ, ସିପିଆଇଏମ ଓ ଭିସିକେ ୨ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବାବେଳେ ଏମଡିଏମକେ ଗୋଟିଏ ଆସନ ଜିତିଛି। ବିଜେପି ଓ ଏନଡିଏର ଅନ୍ୟ ଦଳମାନେ ଏଠାରେ ଖାତା ଖୋଲିପାରି ନାହାନ୍ତି।
ଏନଡିଏରେ ଆଗକୁ ହେବ କ’ଣ?
ବିଜେପି ୨୦୧୯ ନିର୍ବାଚନରେ ଏକାକୀ ୩୦୩ ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ଦଳ ୨୪୦ ଆସନରେ ସୀମିତ ରହିଥିବାରୁ ସରକାର ଗଠନ ପାଇଁ ସହଯୋଗୀ ଦଳଙ୍କ ସମର୍ଥନ ଉପରେ ନିର୍ଭର କରିବାକୁ ପଡ଼ିବ। ଏହା ବିଜେପି ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
Tags: #LoksabhaElectionResults #BJP #NDA #INDIAlliance #Elections #Politics #India