ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହଙ୍ଗା ପଡ଼ିଲା ଯୌନ କେଳେଙ୍କାରୀ, ହାସନ ଲୋକସଭା ଆସନ ହରାଇଲେ ପ୍ରଜ୍ଜଳ ରେବନ୍ନା।

କର୍ଣ୍ଣାଟକର ହାସନ ଲୋକସଭା ଆସନରେ ଜନତା ଦଳ ସେକ୍ୟୁଲାର (ଜେଡିଏସ)ରୁ ନିର୍ବାଚନ ଲଢ଼ୁଥିବା ପ୍ରଜ୍ୱଳ ରେବନ୍ନା ପରାଜିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶ୍ରେୟସ ଏମ ପଟେଲଙ୍କଠାରୁ ୪୨, ୬୪୯ ଖଣ୍ଡ ଭୋଟ ବ୍ୟବଧାନରେ ହାରିଛନ୍ତି ରେବନ୍ନା।

ଶ୍ରେୟସ ଏମ ପଟେଲଙ୍କୁ ୬,୭୨,୯୮୮ ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରଜ୍ୱଳ ରେବନ୍ନାଙ୍କୁ ମିଳିଛି ୬,୩୦,୩୩୦ ଖଣ୍ଡ ଭୋଟ। ଜେଡିଏସର ଗଡ଼ ଥିବା ହାସନ ଲୋକସଭା ଆସନ ଏବେ କଂଗ୍ରେସ ହାତକୁ ଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ପ୍ରଜ୍ୱଳ ରେବନ୍ନା ହାସନରୁ ସାଂସଦ ଭାବେ ଜିତିଥିଲେ। ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଜେଡିଏସ ଅଧୀନରେ ରହିଥିଲା ଏହି ଆସନ। ହାସନ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କର ପାରମ୍ପରିକ ଆସନ ଥିଲା। କିନ୍ତୁ ଏହି ଆସନ ଏବେ ଜେଡିଏସ ହାତରୁ ଯାଇଛି।

ଗତ ଏପ୍ରିଲ ୨୬ ତାରିଖରେ ହାସନ ଲୋକସଭା ଆସନ ଲାଗି ଭୋଟ ପଡ଼ିଥିଲା। ମତଦାନ ପରେ ବିବାଦରେ ଫସିଥିଲେ ରେବନ୍ନା।

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଏଥର ରିଜେକ୍ଟ କରିଛନ୍ତି ହାସନ ଜନତା। ପ୍ରଜ୍ୱଳଙ୍କ କାରନାମା ଜଣାପଡ଼ିବା ପୂର୍ବରୁ ଭୋଟ ଗ୍ରହଣ ହୋଇଥିଲେ ମଧ୍ୟ ତାଙ୍କୁ ମିଳିପାରିନି ଭୋଟରଙ୍କ ସମର୍ଥନ। ପ୍ରଜ୍ୱଳ ରେବନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ତଥା ହାସନର ପୂର୍ବତନ ସାଂସଦ।

ପ୍ରଜ୍ୱଳ ଶତାଧିକ ମହିଳାଙ୍କୁ ଯୌନ ଶୋଷଣ କରିବା ସହ ପୀଡ଼ିତାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ଏଭଳି ପ୍ରାୟ ୩ ହଜାର ଭିଡିଓ ଥିବା ଶହ ଶହ ପେନଡ୍ରାଇଭ ବିଭିନ୍ନ ପବ୍ଲିକ ପ୍ଲେସରୁ ମିଳିବା ପରେ ଖୋଲିଥିଲା ଏହି ଯୌନ କେଳେଙ୍କାରୀର ପରଦା।

Tags: #Politics #KarnatakaPolitics #HasamLokSabhaElection2024 #KarnatakaSexScandal #PrajwalRevanna #ViralVideos #Politics #JDS #Karnatak

LEAVE A REPLY

Please enter your comment!
Please enter your name here