ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଛି କର୍ଣ୍ଣାଟକର ମାନ୍ୟବର ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ। ଏହା ଆମ ଦେଶରେ ରାଜନୀତିର ଏକ ଘୃଣ୍ୟ ଚିତ୍ରକୁ ଲୋକଲୋଚନକୁ ଆଣିଛି। ଏହି ମାମଲାରେ ସାମିଲଥିବା ଅଭିଯୋଗ ପ୍ରଜ୍ଜ୍ଵଳଙ୍କ ବାପା ଏଚଡ଼ି ରେଭନ୍ନାଙ୍କୁ ଏବେ ୭ ଦିନ ନାୟିକ ହେପାଜତକୁ ପଠାଇ ଦିଆଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ଵଳ ଫେରାର ଥିବାବେଳେ, ସେ ଏବେ କେଉଁଠି ଅଛନ୍ତି ଏନେଇ ନାନା କଳ୍ପନା ଜଳ୍ପନା ସାମ୍ନାକୁ ଆସୁଛି।

ତେବେ ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେବନ୍ନା ଫେରାର ହୋଇ ଜର୍ମାନୀ କିମ୍ବା ଦୁବାଇରେ ଥିବା କୁହାଯାଉଛି। ଭାରତ ମାଟି ଛୁଇଁବା ମାତ୍ରେ ପ୍ରଜ୍ଜ୍ୱଳଙ୍କୁ ଗିରଫ କରିବାକୁ ପରୱାନା ଜାରି କରିଛି କର୍ଣ୍ଣାଟକ ପୋଲିସ୍। ଏହାସହ ପ୍ରଜ୍ଜ୍ୱଳଙ୍କ ଗତିବିଧି ସମ୍ପର୍କରେ ଠାବ କରିବା ଲାଗି ଇଣ୍ଟରପୋଲ୍ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଛି।

କେମିତି ଗାୟବ ହେଲେ ପ୍ରଜ୍ଜ୍ଵଳ

୨୦୧୯ ଭଳି ଚଳିତ ବର୍ଷ କର୍ଣ୍ଣାଟକର ହାସନ ଲୋକସଭାରୁ ଜେଡିଏସ୍ ପ୍ରାର୍ଥୀ ହୋଇଥିଲେ ପ୍ରଜ୍ଜ୍ଵଳ। ଏପ୍ରିଲ ୨୬ ତାରିଖରେ ଏଠାରେ ଭୋଟ ଗ୍ରହଣ ହୋଇଥିଲା। କିନ୍ତୁ ମତଦାନର ଅଳ୍ପ କିଛି ଦିନ ପୂର୍ବରୁ ରେବନ୍ନାଙ୍କ କଳା କାରନାମାର ହୋଇଥିଲା ପର୍ଦ୍ଦାଫାସ। ହାତକୁ ହାତ ବୁଲିଥିଲା ରେବନ୍ନା ବିଭିନ୍ନ ମହିଳାଙ୍କୁ କରିଥିବା ଶାରୀରିକ ଶୋଷଣର ଭିଡିଓ।

ପ୍ରଜ୍ଜ୍ଵଳ ନିଜ ଯୌନ କେଳେଙ୍କାରୀ ପ୍ରଘଟ ହୋଇଯିବା ଜାଣି ଭୋଟ ଗ୍ରହଣର ଠିକ ପରଦିନ କର୍ଣ୍ଣାଟକରୁ ଗାୟବ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ସେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟ ବ୍ୟବହାର କରି ଜର୍ମାନୀ ଚାଲିଯିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି।

ସାଂସଦ ରେବନ୍ନାଙ୍କ ନାଁରେ ପୋଲିସ ନିକଟରେ ଏକାଧିକ ଏଫ୍‌ଆଇଆର୍ ଦାଖଲ ହୋଇଛି। ଏସଆଇଟି ଗଠନ କରି କର୍ଣ୍ଣାଟକ ପୋଲିସ ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ପ୍ରଜ୍ଜ୍ୱଳଙ୍କ ବିରୋଧରେ ଆଇପିସିର ୩୭୬, ୩୫୪-ଏ, ୩୫୪-ଡି, ୫୦୬ ଏବଂ ୫୦୯ ଆଦି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

କେଉଁଠି ଅଛନ୍ତି ପ୍ରଜ୍ଜ୍ଵଳ

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲର ଖତରନାକ ଖେଳାଳି ରେବନ୍ନା ଏବେ କେଉଁଠି? ଜଣେ ର୍ନିବାଚିତ ଲୋକପ୍ରତିନିଧି ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ସେ କାହିଁକି ଆଇନ ନିକଟରେ ଆତ୍ମ ସମର୍ପଣ କରିନାହାନ୍ତି? ଏସବୁ ପ୍ରଶ୍ନର ସଠିକ ଉତର କାହା ପାଖରେ ନାହିଁ। ତେବେ ଇତିମଧ୍ୟରେ ପ୍ରଜ୍ଜ୍ୱଳ ତାଙ୍କ ଓକିଲଙ୍କ ମାଧ୍ୟମରେ କର୍ଣ୍ଣାଟକ ପୋଲିସକୁ ଏକ ସଂକ୍ଷିପ୍ତ ଚିଠି ଲେଖିଛନ୍ତି ।

ସେଥିରେ ତାଙ୍କ ଓକିଲ ଲେଖିଛନ୍ତି ଯେ, ପ୍ରଜ୍ଜ୍ୱଳ ଏବେ ବେଙ୍ଗାଳୁରୁ ବାହାରେ ଅଛନ୍ତି। ଆସନ୍ତା ୭ ଦିନରେ ସେ ଫେରିବା ପରେ ତଦନ୍ତ ପାଇଁ ସହଯୋଗ କରିବେ। ପ୍ରଜ୍ଜ୍ୱଳ ନିଜେ ଟୁଇଟ କରି ଏହି ଚିଠିକୁ ସେୟାର କରିଥିଲେ। ତେବେ ସେ ମାଗିଥିବା ୭ ଦିନର ସମୟ ମଙ୍ଗଳବାର ଦିନ ଶେଷ ହୋଇଛି।

ଅନ୍ୟପଟେ ଏହି ଯୌନ ନିର୍ଯାତନା ମାମଲାରେ ଏଚଡ଼ି ରେଭନ୍ନାଙ୍କୁ ଏସଆଇଟି ପକ୍ଷରୁ ଗିରଫ କରାଯାଇ ବେଙ୍ଗାଳୁରୁର ଏସିଏମଏମ କୋର୍ଟରେ ହଜାର କରାଯାଇଥିଲା। ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରି ଏଚଡ଼ି ରେଭନ୍ନାଙ୍କୁ ମେ’ ୧୪ ତାରିଖ ଯାଏଁ ନାୟିକ ହେପାଜତକୁ ପଠାଇଛନ୍ତି।

ଜଣେ ସାଂସଦଙ୍କ ନାଁରେ ଗୁରୁତର ସେକ୍ସ ସ୍କାଣ୍ଡାଲ ଅଭିଯୋଗ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ବିଜେପିର ସହଯୋଗୀ ଜେଡିଏସ୍ ନେତା ପ୍ରଜ୍ଜ୍ୱଳଙ୍କ ଯୌନ କେଳାଙ୍କାରୀକୁ ନେଇ କର୍ଣ୍ଣାଟକ ସହିତ ଦିଲ୍ଲୀ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

Tags: #KarnatakaSexScandal #PrajwalRevanna #ViralVideos #Politics #JDS #Karnataka #India

Comment