ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ୮ ହଜାରରୁ ଅଧିକ ଅତିଥି ଯୋଗ ଦେବେ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଭାରତର ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା, ଶ୍ରୀଲଙ୍କାର ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ, ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ, ଭୁଟାନର ପ୍ରଧାନମନ୍ତ୍ରୀ ସେରିଂ ତୋବଗେ, ମରିଶସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏବଂ ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମଧ୍ୟ ଉପରୋକ୍ତ ରାଷ୍ଟ୍ରାଧ୍ୟକ୍ଷମାନେ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି। ଏଥିସହ ରବିବାର ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାତ୍ରି ଭୋଜନରେ ସାମିଲ ହେବେ।

ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଭବନ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ତଥା ଏନଏସଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଏହାସହ ରବିବାର ଦିଲ୍ଲୀର କିଛି ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଯାଇ ବିମାନ, ହେଲିକପ୍ଟର, ବେଲୁନ୍‌, ଓ ଡ୍ରୋନ୍‌ ଆଦିର ଉଡ଼ିବା ଉପରେ ରୋକ ଲଗାଯାଇଛି।  

ତେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମାନେ ସାମିଲ ହେବେ ସେ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ ବୋଲି ଆଲୋଚନା ହେଉଛି।

Tags: #NarendraModi #OathTaking #PrimeMinister #India

LEAVE A REPLY

Please enter your comment!
Please enter your name here