ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁତ ସ୍ଵଳ୍ପ ସମୟର ରାଜନୈତିକ ଜୀବନ। ନିର୍ବାଚନର କେଇ ମାସ ତଳେ ବିଜେଡିରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ। କିନ୍ତୁ ନିଜେ ସେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନିର୍ବାଚନରେ ବିଜେଡିର ପରାଜୟ ପରେ ସମସ୍ତଙ୍କ ନଜରରେ ଥିଲେ ପାଣ୍ଡିଆନ। କ’ଣ ହେବ ତାଙ୍କର ପରବର୍ତ୍ତୀ ପଦକ୍ଷେପ। ଅନେକ କ୍ଷମତାକେନ୍ଦ୍ର ବିବାଦୀୟ ସ୍ଥିତିରେ ଦଳରୁ ବିଦାୟ ନେଇଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ପଲିଟିକାଲ ଏକ୍ପପେରିମେଣ୍ଟ ଫେଲ୍ ହେବା ପରେ ଭିକେ ପାଣ୍ଡିଆନ ନିଜେ ରାଜନୀତିରୁ ବିଦାୟ ନେଇଛନ୍ତି। ପୁଣି ଥରେ ରାଜନୀତିକୁ ଫେରିବେ କି ନାହିଁ ତାହା କିନ୍ତୁ କହିବା ସମ୍ପୂର୍ଣ୍ଣ ଅସମ୍ଭବ।

କମ ସମୟ: ବେଶୀ ପ୍ରଭାବ

ଏତେ କମ୍ ସମୟ ରାଜନୀତି କରିଥିବା ଲୋକଙ୍କ ସମ୍ପର୍କରେ ପ୍ରାୟ କେବେ ଏମିତି ଲେଖା ହୋଇନଥିବ। ଭିକେ ପାଣ୍ଡିଆନ ରାଜନୀତି ଓ ପ୍ରଶାସନରେ ଏତେ ମାତ୍ରାରେ ପ୍ରାସଙ୍ଗିକ ହୋଇ ରହିଥିଲେ ଯେ ଶୋଚନୀୟ ପରାଜୟ ପରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଜଣେ ଅଣ ଓଡ଼ିଆ ଆଇଆଇଏସଙ୍କୁ ପ୍ରାଧାନ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିଲା। କିନ୍ତୁ ନବୀନ ତାଙ୍କୁ ସୁରକ୍ଷା ଦେଇଥିଲେ।

କାହିଁକି ରାଜନୀତି ଛାଡ଼ିଲେ?

ରାଜନୀତିରେ ହାର୍ଜିତ୍ ରହିଛି। ହାରିଯାଇଥିବା ନେତା ରାଜନୀତି ଛାଡ଼ନ୍ତି ନାହିଁ। କିନ୍ତୁ ପାଣ୍ଡିଆନ କାହିଁକି ଛାଡ଼ିଲେ ରାଜନୀତି, ଏହା ହିଁ ବର୍ତ୍ତମାନ ସମୟର ଏକ ବଡ଼ ରାଜନୈତିକ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜନୀତି ଛାଡ଼ିବା ପାଇଁ ପରାମର୍ଶ ଦେଲେ ନା ଦଳ ଭିତରେ ସୃଷ୍ଟି ହୋଇଥିବା ବିରୋଧ ଆଗକୁ ବଡ଼ ରୂପ ନେବ ବୋଲି ପାଣ୍ଡିଆନ ଅନୁଭବ କଲେ। ନା ଆଉ କିଛି ଚାପ ତାଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ବାଧ୍ୟ କଲା। ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜନୀତି ସମୀକ୍ଷକ।

ନାଁ ବଦଳାଇଥିଲେ ପାଣ୍ଡିଆନ

ନିଜକୁ ଓଡ଼ିଶା ରାଜନୀତିରେ ଗ୍ରହଣୀୟ କରିବା ପାଇଁ ନିଜର ନାମ ବଦଳାଇଥିଲେ। ତାଙ୍କୁ ଓଡ଼ିଆ ଭାବେ ଯେମିତି ଲୋକେ ଗ୍ରହଣ କରିବେ ସେଥିପାଇଁ ସେ ତାଙ୍କ ନାଁରେ ଥିବା କାର୍ତ୍ତିକେୟନକୁ କାର୍ତ୍ତିକ ଭାବେ ବଦଳାଇଦେଇଥିଲେ। ତଥାପି ଲୋକେ ତାଙ୍କୁ ଗ୍ରହଣ କରିନଥିବା ଏହି ଜନାଦେଶ ପ୍ରମାଣିତ କରିଛି।

ରାଜନୀତିରେ ପଶିବା କେବଳ ତାଙ୍କର ନିଷ୍ପତ୍ତି ନଥିଲା। ଏବେ ରାଜନୀତି ଛାଡ଼ିବା ବି କେବଳ ତାଙ୍କର ନିଷ୍ପତ୍ତି ହୋଇନଥିବ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି।

ଓଡ଼ିଆ ଅସ୍ମିତାରେ ଫସିଲେ

ବିରୋଧୀ ଦଳ ଓଡ଼ିଆ ଅସ୍ମିତାକୁ ଏକ ରାଜନୈତିକ ପ୍ରସଂଗ କରିବାରେ ସଫଳ ହୋଇଥିଲା। ମୋଟାମୋଟି ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା ବୋଲି ଏବେ ଚର୍ଚ୍ଚା ହେଉଛି। ବିଜେଡିରେ ଦିନେ ସର୍ବମାନ୍ୟ ଥିବା ପାଣ୍ଡିଆନଙ୍କୁ ନେଇ ଦଳ ମଧ୍ୟରେ ମଧ୍ୟ ବିରୋଧ ସୃଷ୍ଟି ହୋଇଥିବା ଖବର ପଦାକୁ ଆସିଛି। ଇଲେକ୍ସନ ପରେ ଏକଦମ ନୀରବ ହୋଇଯାଇଥିବା ପାଣ୍ଡିଆନ ଆଜି ମୁହଁ ଖୋଲିଛନ୍ତି।

ଯେଉଁଦିନ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ଠିକ୍ ସେହି ଦିନକୁ ତାଙ୍କର ବିଦାୟ ଦିନ ଭାବେ ବାଛିଛନ୍ତି ଭି କେ ପାଣ୍ଡିଆନ। ଅନେକ ପ୍ରାକ୍ ନିର୍ବାଚନୀ ସଭାରେ ସେ ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରିଥିଲେ। ତାଙ୍କୁ ମଧ୍ୟ ବିରୋଧୀ ଦଳ ନେତାମାନେ ସିଧାସଳଖ ଟାର୍ଗେଟ କରିଥିଲେ। ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ ବୋଲି ଏବେ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଚର୍ଚ୍ଚା କରୁଛନ୍ତି।

ପ୍ରଶାସନରୁ ରାଜନୀତି

ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଭିକେ ପାଣ୍ଡିଆନ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିଥିଲେ। ଧୀରେ ଧୀରେ ସେ କ୍ଷମତାଶାଳୀ ହୋଇଥିଲେ। ପ୍ରଶାସନିକ ଅଧିକାରୀ ଭାବେ ସେ କନିଷ୍ଠ ହୋଇଥିଲେ ମଧ୍ୟ ପ୍ରଶାସନରେ ସେ ବହୁତ ପ୍ରଭାବଶାଳୀ ଥିଲେ। ୫-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲା ଗସ୍ତ କରୁଥିଲେ। ନିଜକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଉପସ୍ଥାପିତ କରିଥିଲେ। ଏହା ପରେ ପ୍ରଶାସନିକ ସେବାରୁ ଅବସର ନେଇ ସେ ରାଜନୀତିରେ ସାମିଲ ହୋଇଥିଲେ। କିନ୍ତୁ ଏହା ବେଶୀ ଦିନ ପାଇଁ ଚାଲିନାହିଁ। ତାଙ୍କୁ ରାଜନୀତି ଛାଡ଼ିବାକୁ ପଡ଼ିଛି।

Tags: #Politics #odishapolitics #vkpandian #BJD #vkpandianquitspolitics

LEAVE A REPLY

Please enter your comment!
Please enter your name here