ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ୫ ବର୍ଷ ମଧ୍ୟ ଭିତରେ ଓଡ଼ିଶାରେ ସର୍ବାଧିକ ଉପନିର୍ବାଚନ ହୋଇଥିଲା। ଏଥିରେ ସ୍ଵାଭାବିକ ଭାବେ ଶାସକ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। କିନ୍ତୁ ଏଥର ନିର୍ବାଚନରେ ସେହି ସବୁ ଆସନରୁ ୪ଟି ଆସନ ବିଜେଡି ହରାଇଛି। ଉପନିର୍ବାଚନରେ ଜିତିବାରେ ସଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ନିର୍ବାଚନରେ ଆଉ ଅନୁକମ୍ପା କାମ କରିନାହିଁ। ନିର୍ବାଚିତ ବିଧାୟକମାନେ ଏଥର ଭୋଟରଙ୍କ ଆସ୍ଥା ଜିତିବାରେ ସଫଳ ହେଲେ ନାହିଁ।

୬-୧ରେ ଜିତିଥିଲା ବିଜେଡି

ଝାରସୁଗୁଡ଼ା, ବ୍ରଜରାଜନଗର, ପଦ୍ମପୁର, ଧାମନଗର, ପିପିଲି, ତିର୍ତ୍ତୋଲ ଓ ବାଲେଶ୍ଵର ବିଧାୟକଙ୍କ ଅକାଳ ବିୟୋଗ ପାଇଁ ସେଠାରେ ବିଭିନ୍ନ ସମୟରେ ଉପନିର୍ବାଚନ ହୋଇଥିଲା। ଏଥିମଧ୍ୟରୁ ୬ଟିରେ ବିଜେଡି ଜିତିଥିବା ବେଳେ ଗୋଟିଏ ଆସନ ବିଜେପି ବଜାୟ ରଖିଥିଲା। ବିଜେଡି ଅନୁକମ୍ପା ଜିତିବାରେ ସଫଳ ହୋଇଥିଲା। ବିଜେପି କେବଳ ଧାମନଗରରେ ଅନୁକମ୍ପା ଜୁଟାଇବାରେ ସଫଳ ହୋଇଥିବା ବେଳେ ବାଲେଶ୍ଵରରେ ବିଫଳ ହୋଇଥିଲା। ଆଉ ଏକ ଆସନ ବିଜେଡି ଖାତାରେ ଯୋଡ଼ି ହୋଇଥିଲା।

ହତାଶ ହେଲେ ଦୀପାଳି

ପଶ୍ଚିମ ଓଡ଼ିଶା ତଥା ବିଜେଡିର ଟାଣୁଆ ନେତା ଥିଲେ ନବ କିଶୋର ଦାସ। ତାଙ୍କର ଅକାଳ ବିୟୋଗ ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ଏଠାରେ ବିଜେଡି ପ୍ରାର୍ଥୀ ହୋଇଥିଲେ ନବ ଦାସଙ୍କ ଝିଅ ଦିପାଳୀ। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଭଲ ବ୍ୟବଧାନରେ ହରାଇଥିଲେ। ତେଣୁ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ଥରେ ପ୍ରାର୍ଥୀ କରିଥିଲା ବିଜେଡି।

ବିଜେପି ମଧ୍ୟ ଟଙ୍କଧରଙ୍କୁ ପ୍ରାର୍ଥୀ କରିଥିଲା। ଏଥର ବାଜି ପଲଟିଥିଲା। ମାତ୍ର ବର୍ଷକ ତଳେ ହୋଇଥିବା ଉପନିର୍ବାଚନର ସଫଳତାକୁ ଦୋହରାଇ ପାରିଲେନି ଦୀପାଳି। ଟଙ୍କଧର ଅଳ୍ପ ଭୋଟ୍ ବ୍ୟବଧାନ ହେଉ ପଛେ ଜିତିକି ବିଧାନସଭାକୁ ଆସିଛନ୍ତି।

ଅଳକା ବି ନିରାଶ

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକସ୍ମାତ ପରଲୋକ ପରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା। ନବ ଦାସଙ୍କ ବିରୋଧ ସତ୍ତ୍ଵେ ସେଠାରୁ କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେ ବିଜୟୀ ହୋଇଥିଲେ। କିନ୍ତୁ ସେହି ସଫଳତାକୁ ସେ ଏଥର ନିର୍ବାଚନରେ ଦୋହରାଇ ପାରିନାହାନ୍ତି। ଏଥର ନିର୍ବାଚନରେ ବିଜେପି ନେତା ସୁରେଶ ପୂଜାରୀ ତାଙ୍କୁ ବିପୁଳ ଭୋଟ୍‌ରେ ହରାଇଛନ୍ତି।

ହାରିଗଲେ ମହାରଥୀ

କରୋନା ସମୟରେ ପ୍ରଦୀପ ମହାରଥୀଙ୍କର ପରଲୋକ ହୋଇଥିଲା। ୨୦୨୧ରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏଠାରୁ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ୨୦୧୪ରେ ସ୍ଵାଧୀନ ଓ ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ପୁଣି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ଅନୁକମ୍ପା କାମ କରିଥିଲା। ପାଖାପାଖି ୧୫ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ରୁଦ୍ର।

୨୦୨୪ରେ ବିଜେଡି ଓ ବିଜେପି ସମାନ ପ୍ରାର୍ଥୀଙ୍କୁ ମଇଦାନରେ ଅବତୀର୍ଣ୍ଣ କରାଇଥିଲେ। ଲଗାତର ନିର୍ବାଚନ ହାରି ଆସୁଥିବା ଆଶ୍ରିତ ଏଥର କିନ୍ତୁ ବାଜି ମାରି ନେଇଛନ୍ତି। ସେ ରୁଦ୍ରଙ୍କୁ ୧୫ ହଜାର ଭୋଟ୍‌ରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ବିଜେପି ଖାତାକୁ ଫେରିଲା ବାଲେଶ୍ଵର

୨୦୧୯ ନିର୍ବାଚନରେ ବାଲେଶ୍ଵର ଆସନରୁ ଜିତିଥିଲେ ମଦନମୋହନ ଦତ୍ତ। ତାଙ୍କ ବିୟୋଗ ପରେ କିନ୍ତୁ ଅନୁକମ୍ପା ଭୋଟ୍ ଯାଇନଥିଲା ବିଜେପି ଖାତାକୁ। ବିଜେଡି ରଣନୀତି ଆଗରେ ମଦନଙ୍କ ପୁଅ ମାନସ ଫେଲ୍ ମାରିଥିଲେ। ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ଜିତିଥିଲେ। କିନ୍ତୁ ଏଥର ନିର୍ବାଚନରେ ଖେଳ ଓଲଟା ହୋଇଯାଇଛି। ବିଜେଡିରୁ ସ୍ଵରୂପ ଓ ବିଜେପିରୁ ମାନସ ଦତ୍ତଙ୍କ ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ହୋଇଥିଲା। ଏଥିରେ ମାନସ ବାଜି ମାରି ନେଇଛନ୍ତି। ଉପନିର୍ବାଚନରେ ଜିତିଥିଲେ ମଧ୍ୟ ଏ ଆସନ ବିଜେଡି ଖାତାରୁ ଚାଲିଯାଇଛି।

ସଫଳ ହେଲେ ସୂରଜ ସୂର୍ଯ୍ୟବଂଶୀ

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ବିଜେପି ତାଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ମଧ୍ୟ ଏଠାରୁ ପ୍ରାର୍ଥୀ ବଦଳାଇଥିଲା। ମହିଳା କାର୍ଡ ଖେଳିଥିଲା ବିଜେଡି। ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। କିନ୍ତୁ ବିଜେଡିର ଏହି ରଣନୀତି କାମ କରିନଥିଲା। ଏହା ସହିତ ୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ ସ୍ଵାଧୀନ ଭାବେ ଲଢ଼ି ବିଜେଡି ଭୋଟ୍ ଭାଗ କରିଥିଲେ। ସୂରଜ ସୂର୍ଯ୍ୟବଂଶୀଙ୍କୁ ଧାମନଗର ଭୋଟର ବିଧାନସଭା ପଠାଇଥିଲେ।

୨୦୨୪ ବିଧାନସଭା ନିର୍ବାଚନରେ ମଧ୍ୟ ପୁଣି ବିଜେପି ପ୍ରାର୍ଥୀ ହୋଇଥିଲେ ସୂରଜ ସୂର୍ଯ୍ୟବଂଶୀ। ବିଜେଡି ପ୍ରାର୍ଥୀ କରିଥିଲା ଜଣେ ଯୁବ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ। ଏଠାରେ ଲଢ଼େଇ ଦ୍ଵିମୁଖୀ ହୋଇଥିଲା। ବିଜେପି ସପକ୍ଷରେ ରାଜ୍ୟରେ ଅନ୍ତଃସ୍ରୋତ ପ୍ରବାହିତ ହୋଇଥିଲା। ଏହା ସହିତ ସୂରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଭୋଟର ପୁଣି ପସନ୍ଦ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ସେ ବିପୁଳ ଭୋଟ୍‌ରେ ହରାଇ ବିଧାନସଭାକୁ ଆସିଛନ୍ତି।

ତେବେ ଉପନିର୍ବାଚନ ହୋଇଥିବା ଅନ୍ୟ ଆସନ ମଧ୍ୟରୁ ୨୦୨୪ ନିର୍ବାଚନରେ ବିଜେଡି ପଦ୍ମପୁର ଓ ତିର୍ତ୍ତୋଲ ଆସନକୁ ବଜାୟ ରଖିବାରେ ସଫଳ ହୋଇଛି। ତଥାପି ଝାରସୁଗୁଡ଼ା, ବ୍ରଜରାଜନଗର, ବାଲେଶ୍ଵର ଓ ପିପିଲି ବିଜେଡିର ଗଡ଼ ହୋଇଥିବାବେଳେ ସେଠାରେ ପରାଜୟ ଦେଖିବାକୁ ମିଳିଛି।

୨୦୨୩ ଓ୍ଵାର୍ଲ୍ଡକପ୍ ଦଶା ଭୋଗିଲା ବିଜେଡି

୨୦୨୩ ଓ୍ଵାର୍ଲ୍ଡ କପ୍‌ରେ ଭାରତ ଭଳି ବିଜେଡି ସମାନ ଦଶା ଭୋଗିଛି। ଭାରତ ସବୁ ମ୍ୟାଚ ଜିତିଥିଲେ ମଧ୍ୟ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଯାଇଥିଲା। ତୃତୀୟ ବିଶ୍ଵକପ୍‌ ଟାଇଟଲ୍‌ ଆଶା ମଉଳି ଯାଇଥିଲା। ସେହିପରି ସବୁ ଜିଲ୍ଲାପରିଷଦ ଓ ଅଧିକାଂଶ ମ୍ୟୁନିସିପାଲିଟି ଦଖଲ କରିଥିଲା ବିଜେଡି। ଉପନିର୍ବାଚନଗୁଡ଼ିକରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ୨୦୨୪ ଫାଇନାଲରେ ହାରି ଷଷ୍ଠ ଥର ପାଇଁ ସରକାର ଗଠନ କରିବାରେ ବିଫଳ ହୋଇଛି।

Tags: #Politics #OdishaPolitics #OdishaAssemblyElection2024 #OdishaElections2024 #BJD #BJP #Congress #Odisha

LEAVE A REPLY

Please enter your comment!
Please enter your name here