ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ରାଜ୍ୟର ତୃତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ। ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ପ୍ରଥମ ମୁଖ୍ୟମନ୍ତ୍ରୀ। 

ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ। ମେଣ୍ଟ ସରକାରରେ ଦୁଇଥର ବିଧାୟକ ହୋଇଥିରେ ମଧ୍ୟ ମିଳିନଥିଲା ମନ୍ତ୍ରୀପଦ। ଏଥର କିନ୍ତୁ ଚମତ୍କାର ହେଲା। କେନ୍ଦୁଝରର ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିବା ମୋହନଙ୍କୁ ମିଳିଛି ରାଜ୍ୟ ଶାସନର ଭାର। ମୋହନଙ୍କ ସଂଘର୍ଷପୂର୍ଣ୍ଣ  କାହାଣୀ କାଲିଯାଏଁ ଅଖ୍ୟାତ ଥିବା କେନ୍ଦୁଝରର ସେହି ଗାଁରେ ଲେଖା ହୋଇଥିଲା।  କିନ୍ତୁ ସଫଳତାର ଧ୍ଵନି ଆଜି ସାରା ଓଡ଼ିଶାରେ ପ୍ରତିଧ୍ଵନିତ ହେଉଛି। ମୋହନଙ୍କ କାହାଣୀକୁ ଆଜି ସମଗ୍ର ଓଡ଼ିଶା ମନ ଦେଇ ପଢୁଛି।

ରେସ୍‌ରେ ନ ଥିଲେ, କିନ୍ତୁ ମିଳିଲା ମୁକୁଟ

ଚାରି ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ମୋହନ ଚରଣ ମାଝୀ। ଦୁଇଥର ମେଣ୍ଟ ସରକାରରେ ଓ ଅନ୍ୟ ଦୁଇଥର ରାଜ୍ୟରେ ବିଜେଡି ହାଓ୍ଵାକୁ ଭାଙ୍ଗି। ବିଧାନସଭାରେ ତାଙ୍କର ପ୍ରଦର୍ଶନ ବି ବେଶ ଭଲ ରହିଛି। ପ୍ରଶ୍ନଉତ୍ତର ହେଉ କି ଶୂନ୍ୟ କାଳ। ସରକାରଙ୍କୁ ପ୍ରଶ୍ନବାଣରେ ଅଡୁଆରେ ପକାଉଥିବା ବିଧାୟକଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ମୋହନ ମାଝୀ। ୨୨ ବିଧାୟକ ଥିଲେ ମଧ୍ୟ ମୋହନ ବିଜେପିକୁ ଶହେ ବିଧାୟକଙ୍କ ବଳ ଦେଉଥିଲେ। ଯୋଗ୍ୟତା ଥାଇ ମଧ୍ୟ ସେ ରେସରେ ନଥିଲେ। ମନ୍ତ୍ରୀ ହେବେ ବୋଲି ଆଶା ଥିଲା। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ ପ୍ରମାଣିତ ହେବା ଭଳି ସମସ୍ତ ଗଣମାଧ୍ୟମର ଚର୍ଚ୍ଚାକୁ ଭୁଲ୍‌ ପ୍ରମାଣିତ କରି ବିଜେପିର ପ୍ରଥମ ପସନ୍ଦ ହୋଇଥିଲେ ମୋହନ ଚରଣ ମାଝୀ।

ଶିଶୁ ମନ୍ଦିରରୁ ବିଧାନସଭା

ଅତି ଗରିବ ପରିବାରରେ ଜନ୍ମ ହୋଇଥିଲେ ମୋହନ ଚରଣ ମାଝୀ। କେନ୍ଦୁଝର ସଦର ଅଞ୍ଚଳର ରାଇକଳା ଗାଁର ପୁଅ ମୋହନ। ପିଲା ବେଳୁ ପଢ଼ିବା ପାଇଁ ସଂଘର୍ଷ କରିଛନ୍ତି। ଅନେକ ବାଧାବିଘ୍ନ ସତ୍ତ୍ଵେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। କିଛି ଦିନ ପାଇଁ ଶିଶୁ ମନ୍ଦିରରେ ଶିକ୍ଷକତା କରିଥିଲେ। ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ।

ପରେ ତାଙ୍କୁ ରାଜନୀତିରେ ଆଗ୍ରହ ସୃଷ୍ଟି ହୋଇଥିଲା। ପ୍ରଥମେ ସମିତି ସଭ୍ୟ ନିର୍ବାଚନରେ ହାରିଥିଲେ ଓ ପରେ ୧୯୯୭ ମସିହାରେ ସରପଞ୍ଚ ନିର୍ବାଚନରେ ଜିତିଥିଲେ। ଏହା ପରେ ସେ ୨୦୦୦ ମସିହାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୪ରେ ମଧ୍ୟ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ଓ ୨୦୧୪ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ୨୦୧୯ରେ କେନ୍ଦୁଝର ଜିଲ୍ଲାର ସମସ୍ତ ଆସନ ଓ ଲୋକସଭା ଆସନକୁ ବିଜେଡି ପୋଛି ନେଇଥିଲେ ମଧ୍ୟ ଏକମାତ୍ର ବିଜେପି ପାର୍ଥୀ ଭାବେ ମୋହନ ହିଁ ଜିତିଥିଲେ। ୨୦୨୪ରେ ଜିତି ସେ କେନ୍ଦୁଝର ଜିଲ୍ଲା ପାଇଁ ନୂଆ ଇତିହାସ ଲେଖିଛନ୍ତି।

ବିଧାନସଭାରେ ଚମତ୍କାର ରେକର୍ଡ

ଅବ୍ୟବସ୍ଥା ବିରୋଧରେ ଲଢ଼େଇ କରିବା ତାଙ୍କ ରକ୍ତରେ ଥିଲା। ବିରୋଧୀ ଦଳର ବିଧାୟକ ଭାବେ ସେ ଭୂମିକା ବେଶ ଭଲ ଭାବେ ନିର୍ବାହ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପଦ ତାଙ୍କୁ ମିଳିଥିଲା। ସେ ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରୁଥିଲେ। ଗୃହରେ ବିଜେପିର ନେତୃତ୍ଵ ନେଇ ଅନେକ ପ୍ରସଂଗରେ ସରକାରଙ୍କୁ ଘେରୁଥିଲେ। ବିଧାନସଭାର ଅନେକ ସ୍ଥାୟୀ କମିଟିର ସଦସ୍ୟ ଭାବେ ଦାୟିତ୍ଵ ତୁଲାଇଛନ୍ତି। ୧୬ ତମ ବିଧାନସଭାରେ ସମ୍ଭବତଃ ସବୁଠାରୁ ଅଧିକ ଆଲୋଚନାରେ ଭାଗ ନେଇଛନ୍ତି ମୋହନ ମାଝୀ। ପବ୍ଲିକ ଆକାଉଣ୍ଟସ କମିଟିର ମଧ୍ୟକ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଛନ୍ତି ମୋହନ ଚରଣ ମାଝୀ।

ଗତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ମୋହନ ଚରଣ ମାଝୀ ୭ରୁ ଅଧିକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଗତ କରିଛନ୍ତି। ଓଡ଼ିଶା ହ୍ଵିସିଲ ବ୍ଲୋୟର ପ୍ରୋଟେକ୍ସନ ବିଲ୍-୨୦୨୦ ସରକାରୀ ସ୍କୁଲ  ଛାତ୍ରଛାତ୍ରୀ ବିଲ୍-୨୦୨୧, ଓଡ଼ିଶା ମହିଳା ଗ୍ରାମସଭା ବିଲ୍, ଓଡ଼ିଶା ଭୂତଳ ଜଳ ସଂରକ୍ଷଣ ବିଲ୍ ଭଳି ବିଲ୍ ସେ ଆଗତ କରିଥିଲେ।

ସଂଗଠନରେ ବି ଥିଲା ଗୁରୁତ୍ଵ

ଏମିତି ହଠାତ୍ ମୋହନ ଚରଣ ମାଝୀ ବିଧାୟକ ଦଳ ନେତା ନିର୍ବାଚିତ ହୋଇନଥିଲେ। ବିଧାୟକ ଭାବେ ତାଙ୍କର ଚମତ୍କାର ପ୍ରଦର୍ଶନ ସାଂଗକୁ ସଂଗଠନରେ ମଧ୍ୟ ତାଙ୍କର ଢେର୍ ଗୁରୁତ୍ଵ ଥିଲା। ସଂଗଠନର ଆଦିବାସୀ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ଵ ବହୁ ବର୍ଷ ତୁଲାଇଛନ୍ତି। ଜନଜାତିଙ୍କ ସମସ୍ୟାର ସମାଧାନ ପାଇଁ ସେ ଲଢ଼େଇ କରିଛନ୍ତି। ଦୁର୍ନୀତି ବିରୋଧୀ ଲଢ଼େଇରେ ବି ସେ ସାମିଲ ହୋଇଥିଲେ।

ବିଧାନସଭାରେ ଲମ୍ବା ସମୟର ଅଭିଜ୍ଞତା, ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ପବ୍ଲିକ ଆକାଉଣ୍ଟସ ଭଳି ଗୁରୁତ୍ଵପୂର୍ଣ୍ଣ କମିଟିର ଦାୟିତ୍ଵ ତୁଲାଇଥିଲେ। ତେଣୁ ସରକାର ଚଳାଇବା ଦିଗରେ ଏସବୁ ଅଭିଜ୍ଞତା ନିଶ୍ଚିତ କାମ କରିବ।

ଗଣତନ୍ତ୍ରର ଚମତ୍କାରିତା ହେଉଛି ଯେ ଏହା ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଲୋକଟିକୁ ବି ଶାସନ ଓ ପ୍ରଶାସନର ନେତୃତ୍ଵ ଦେଇପାରେ। ବୋଧ ହୁଏ ସେଥିପାଇଁ କେନ୍ଦୁଝରର ଏକ ଅଖ୍ୟାତପଲ୍ଲୀରେ ଜନ୍ମ ହୋଇଥିବା ମୋହନ ଆଜି ଶାସନର ଶୀର୍ଷ ଆସନରେ ବସିଛନ୍ତି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here