ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୪କୁ ନେଇ ବଡ଼ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କ ରେଜଲ୍ଟକୁ ରଦ୍ଦ ହୋଇଛି। ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଜୁନ୍ ୨୩ରେ ନିଟ୍ ପରୀକ୍ଷା ଦେବେ। ଏହାପରେ ୩୦ ଜୁନରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ତେବେ ଗୁରୁବାର ଶୁଣାଣିବେଳେ ନିଟ୍ ପରୀକ୍ଷାକୁ ରଦ୍ଦ କରିବା ଏବଂ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହାସହ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ ୮ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। 

ଚଳିତବର୍ଷ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ପରୀକ୍ଷାରେ ହେରଫେର୍‌ ହୋଇଥିବା ଅଭିଯୋଗରେ ଅନେକ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ସେମାନେ ଦାବି କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।

ନିଟ୍-୨୦୨୪ ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ପୂରା ୭୨୦ ନମ୍ବର ପାଇ ଟପ୍ପର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଗୋଟିଏ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ଥିଲେ। ଯାହାକୁ ନେଇ ବିବାଦ ହୋଇଥିଲା। ତେବେ ପରୀକ୍ଷାର ଏକ ପେପରରେ ଦିଆଯାଇଥିବା ଗ୍ରେସ ନମ୍ବର ଯୋଗୁଁ ଏପରି ହୋଇଥିବା ଏନଟିଏ ପକ୍ଷରୁ କୁହାଯାଇଥିଲା। ତେବେ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ।

୨୦୨୪ ମେ’ ୫ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ପ୍ରାୟ ୨୩ ଲକ୍ଷ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଜୁନ୍ ୪ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇଥିଲା।  

Tags: #NEETExam #MedicalEntrance #Education #Students #SupremeCourt

LEAVE A REPLY

Please enter your comment!
Please enter your name here