ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ ଧର୍ମଘଟ ପୁଣି ତେଜିଲା। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରଖିବାକୁ ପୁଣି ନିଷ୍ପତ୍ତି ନେଇଛି ମୟୂରଭଞ୍ଜ ଘରୋଇ ବସ୍ ମାଲିକ ସଂଘ।

ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀରୁ ପ୍ରାୟ ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ଉଭୟ ପକ୍ଷରୁ ୧୦ ଜଣଙ୍କୁ ବାରିପଦା ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହାର ପ୍ରତିବାଦରେ ପୁଣି ନିଜ ନିଷ୍ପତ୍ତି ବଦଳାଇଛି ବସ ମାଲିକ ସଂଘ। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୭ଟାରୁ ବସ ଚଳାଚଳ ସ୍ଵାଭାବିକ ହେବ ବୋଲି କିଛି ଘଣ୍ଟା ପୂର୍ବରୁ ବସ ମାଲିକ ସଂଘ ପ୍ରତିଶ୍ରୁତି ଦେଇଥିବା କହିଥିଲେ ମୟୂରଭଞ୍ଜ ଏସପି। ବସ ଧର୍ମଘଟ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି।

Tags: #Mayurbhanj #BusStrike #BaripadaBusStand #PoliceCase #Odisha

Comment