ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନର ମନାମା ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଧୂମଧାମରେ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜର ସହଯୋଗରେ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ପାଳନ କରାଯାଇଛି।

ଏହି ସ୍ନାନ ପୂର୍ଣ୍ଣିମା ଉତ୍ସବରେ ୧୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏଠାରେ ବାହାରିନ ଓଡ଼ିଆ ସମାଜର ସଭାପତି ଡାକ୍ତର ଅରୁଣ କୁମାର ପ୍ରହରାଜ ଓ ଇସ୍କନ ମନ୍ଦିର ସଭାପତି ମଙ୍ଗଳ ଦାସ ମହାପ୍ରଭୁଙ୍କୁ କ୍ଷୀର ଏବଂ ମହୁ ସହିତ ସ୍ନାନ କରାଇଥିଲେ।

“ଏହି ପବିତ୍ର ସ୍ନାନ ପୁର୍ଣିମାରେ ଉପସ୍ଥିତ ଭକ୍ତଙ୍କ ଗହଣରେ ଠାକୁରଙ୍କ ରୀତିନୀତି ଅନୁସାରେ ପୂଜା ହେବା ଅଧିକ ଆନନ୍ଦଦାୟକ। ବାହାରିନ ଏକ ମୁସଲିମ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ପାଇଁ ଧାର୍ମିକ ସ୍ଵଧୀନତା ମିଳିବା ଆମ ପାଇଁ ଗର୍ବର ବିଷୟ। ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ଡାକ୍ତର ଅରୁଣ କୁମାର ପ୍ରହରାଜ।

ଏହି ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଏଠାରେ ଭକ୍ତମାନେ ଜଗନ୍ନାଥ ନାମ ସଂକୀର୍ତ୍ତନ କରିଥିଲେ। ଠାକୁରଙ୍କ ସ୍ନାନ ନୀତି ସରିବାପରେ ଭକ୍ତମାନେ ମହାପ୍ରସାଦ ସେବନ କରିଥିଲେ।

ଆଗକୁ ବାହାରିନରେ ଜୁଲାଇ ୭ ତାରିଖରେ ହେବାକୁଥିବା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ ଅଧିକ ସଂଖ୍ୟାରେ ଯୋଗ ଦେବାପାଇଁ ଡାକ୍ତର ଅରୁଣ ପ୍ରହରାଜ ଓ ମଙ୍ଗଳ ଦାସ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି।

Tags: #SnanaPurnima #IskconJagannathTemple #BahrainOdiasamaj #Bahrain

LEAVE A REPLY

Please enter your comment!
Please enter your name here