ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୭୫ ବର୍ଷର ଗଣତାନ୍ତ୍ରିକ ଇତିହାସରେ ବହୁ ବର୍ଷ ପରେ ଲୋକସଭାର ବାଚସ୍ପତି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ ବିଜେପି ସାଂସଦ ଓମ୍ ବିର୍ଲା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ସାଂସଦ କେ ସୁରେଶ। ବୁଧବାର ଲୋକସଭାରେ ବାଚସ୍ପତି ନିର୍ବାଚନ ପାଇଁ ମତଦାନ ହେବ।

ଏ ଯାଏଁ ଲୋକସଭାର ବାଚସ୍ପତି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇ ଆସୁଥିଲେ। ଚଳିତ ବର୍ଷ ଏନଡିଏ ଓ ଇଣ୍ଡି ମେଣ୍ଟ ବାଚସ୍ପତି ପଦ ପାଇଁ ଏକମତ ନହେବାରୁ ଉଭୟେ ନିଜ ନିଜର ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇଛନ୍ତି।

ଏଥର ଲୋକସଭା ବାଚସ୍ପତି ପଦ ପାଇଁ ବିଜେପି ପକ୍ଷରୁ ଓମ୍ ବିର୍ଲାଙ୍କୁ ପୁଣି ମନୋନୀତ କରାଯାଇଛି। ସେ ୨୦୧୯ରେ ମଧ୍ୟ ଲୋକସଭାର ବାଚସ୍ପତି ରହିଥିଲେ। ସେ ୨୦୧୪ ମସିହାରୁ ରାଜସ୍ଥାନର କୋଟା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଆସୁଛନ୍ତି।

ଅନ୍ୟପଟେ ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ ସୁରେଶ ଜଣେ ବରିଷ୍ଠ କଂଗ୍ରେସ ନେତା। ସେ କେରଳରୁ ୧୯୮୯ ମସିହାରୁ ସାଂସଦ ହୋଇଆସୁଛନ୍ତି। କେବଳ ୧୯୯୮ ଓ ୨୦୦୪ ମସିହା ନିର୍ବାଚନକୁ ଛାଡ଼ିଦେଲେ ସେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ବାଚସ୍ପତି ନିର୍ବାଚନକୁ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ତେବେ ନିର୍ଦ୍ଵନ୍ଦ୍ଵରେ ବାଚସ୍ପତି ନିର୍ବାଚନ କରାଇବା ପାଇଁ ଏନଡିଏ ପକ୍ଷରୁ ଇଣ୍ଡି ମେଣ୍ଟ ସହ ଆଲୋଚନା ମଧ୍ୟ କରାଯାଇଥିବା ଚର୍ଚ୍ଚା ହେଉଥିଲା। ତେବେ ଇଣ୍ଡି ମେଣ୍ଟ ପକ୍ଷରୁ ଉପବାଚସ୍ପତି ପଦ ଦାବି କରାଯିବାରୁ ଏହି ଆଲୋଚନା ବିଫଳ ହୋଇଥିବା କୁହାଯାଉଛି।

ଅଷ୍ଟାଦଶ ଲୋକସଭାରେ ଏନଡିଏ ପାଖରେ ୨୯୩ଟି ଆସନ ସହ ସଂଖ୍ୟାଗରିଷ୍ଠତା ଥିବା ବେଳେ ବିଜେପି ପାଖରେ ୨୪୦ଟି ଆସନ ରହିଛି। ସେହିପରି ଇଣ୍ଡି ମେଣ୍ଟ ପାଖରେ ୨୩୪ଟି ଆସନ ଥିବାବେଳେ କଂଗ୍ରେସର ୯୯ଟି ଆସନ ରହିଛି।

Tags: #LoksabhaSpeakerElection #OmBirla #KSuresh #NDA #INDIAllaince #Politics #India

LEAVE A REPLY

Please enter your comment!
Please enter your name here