ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାର ବାଚସ୍ପତି ଭାବେ ପୁଣି ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ସେ ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇ ବାଚସ୍ପତି ହୋଇଛନ୍ତି। ସେ ଲଗାତର ଦ୍ଵିତୀୟଥର ପାଇଁ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଏହି ନିର୍ବାଚନର ପରିଚାଳନା କରିଥିଲେ।
ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ପକ୍ଷରୁ ବାଚସ୍ପତି ପଦ ପାଇଁ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବିତ କରିଥିଲେ। ସେହିପରି ଇଣ୍ଡି ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ସୁପାରିଶ କରାଯାଇଥିଲା। ତେବେ ଏହି ନିର୍ବଚନରେ ବିନା କୌଣସି ମତଦାନରେ ଓମ୍ ବିର୍ଲା ଧ୍ୱନି ମତରେ ବିଜୟୀ ହୋଇଥିଲେ।
ଓମ୍ ବିର୍ଲା ପୁଣିଥରେ ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ।
ଏଥର ଲୋକସଭା ବାଚସ୍ପତି ପଦ ପାଇଁ ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କୁ ପୁଣି ମନୋନୀତ କରାଯାଇଥିଲା। ସେ ମଙ୍ଗଳବାର ପାର୍ଥିପତ୍ର ଦାଖଲ କରିଥିଲେ। ସେ ୨୦୧୯ରେ ମଧ୍ୟ ଲୋକସଭାର ବାଚସ୍ପତି ରହିଥିଲେ। ୨୦୧୪ ମସିହାରୁ ରାଜସ୍ଥାନର କୋଟା ଆସନରୁ ଓମ୍ ବିର୍ଲା ଲୋକସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି।
Tags: #LoksabhaSpeakerElection #OmBirla #KSuresh #NDA #INDIAllaince #Politics #India