ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଫ୍ରାନ୍ସର ପ୍ୟାରିସରେ ହେବାକୁଥିବା ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୧୯୫ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩୩.୬୮ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ପକ୍ଷରୁ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି।

ଅଲିମ୍ପିକ୍ସରେ ଖେଳାଳି, ସେମାନଙ୍କ ସପୋର୍ଟ ଷ୍ଟାଫ୍‌ ଓ ଅନ୍ୟ ଅଧିକାରୀମାନଙ୍କ ଖର୍ଚ୍ଚକୁ ଧ୍ୟାନରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ କ୍ରୀଡ଼ା ସମ୍ବଦ୍ଧୀୟ କାର୍ଯ୍ୟକଳାପ, ପଦକ ଜିତୁଥିବା ଦଳ ଓ କ୍ରୀଡ଼ାବିତଙ୍କ ପୁରସ୍କାର ବାବଦ ଲାଗି ବଜେଟରେ ୧୪ କୋଟି ଟଙ୍କା ରଖାଯାଇଛି।

ଏଥିରେ ୧୯୫ ଜଣଙ୍କ ବିମାନ ଟିକେଟ୍‌ ଲାଗି ୩.୫ କୋଟି ଏବଂ ରହଣୀ ଭତ୍ତା ଖର୍ଚ୍ଚ ୨.୦୪ କୋଟି ଟଙ୍କା ରହିଛି। ଟୁର୍ଣ୍ଣାମେଣ୍ଟରେ ସବୁ ଖେଳାଳିଙ୍କୁ ଦୈନିକ ପ୍ରାୟ ୫୦ ଡଲାର ଦିଆଯିବ।

ଅଲିମ୍ପିକ୍ସରେ ଯିବା ପୂର୍ବରୁ ପ୍ରତି ଖେଳାଳିଙ୍କୁ କୋଚିଂ ଓ ଅନ୍ୟ ପ୍ରସ୍ତୁତି ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ଯୋଜନା କରାଯାଇଛି। ସେହିପରି ସେମାନଙ୍କ ସପୋର୍ଟ ଷ୍ଟାଫଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।    

ଅନ୍ୟପଟେ ଆଇଓଏର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଏବଂ ମୁଖ୍ୟାଳୟ ଅଧିକାରୀଙ୍କ ଲାଗି ୧୮.୯ କୋଟି ଟଙ୍କା ଖର୍ଚ୍ଚ ହେବ। ଇସି ସଦସ୍ୟଙ୍କ ଟିଏ ଓ ଡିଏ ଲାଗି ୮.୪ କୋଟି ଟଙ୍କା ବଜେଟ୍ ରଖାଯାଇଛି।

ଏହା ପୂର୍ବରୁ ୨୦୨୦ ମସିହାର ଟୋକିଓ ଅଲିମ୍ପିକ୍ସରେ ଖେଳାଳିଙ୍କ ପାଇଁ ୧୩.୧୩ କୋଟି ଟଙ୍କାର ବଜେଟ୍ ରହିଥିଲା।  

Tags: #ParisOlympics #IndianPlayers #Sports #IOA #India

LEAVE A REPLY

Please enter your comment!
Please enter your name here