ଓଡ଼ିଶାଲାଇଭ୍ ବ୍ୟୁରୋ

ବାର୍ବାଡୋସରୁ ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନ ବୁଧବାର ଅପରାହ୍ଣରେ ଭାରତୀୟ ଖେଳାଳି ଓ ଅନ୍ୟମାନଙ୍କୁ ନେଇ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି।

ଗୁରୁବାର ସକାଳ ୬ଟା ବେଳେ ଟିମ୍ ଇଣ୍ଡିଆର ଖେଳାଳିମାନେ ଦିଲ୍ଲୀରେ ପହଞ୍ଚିବେ। ଏହାପରେ ସେମାନେ ସକାଳ ୧୦ଟା ବେଳେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳିମାନେ ମୁମ୍ବାଇ ଅଭିମୁଖେ ବାହାରିବ।

ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତେ ଏକ ଖୋଲା ବସରେ ଶୋଭାଯାତ୍ରାରେ ଆସି ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ଏଠାରେ ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ବିଶ୍ଵକପ ବିଜୟ ପାଇଁ ବିସିସିଆଇ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ତେବେ ଟି-ଟ୍ୱେଣ୍ଟି ବିଶ୍ଵକପ ଗତ ଶନିବାରରୁ ଶେଷ ହୋଇଥିଲେ ମଧ୍ୟ ବାର୍ବାଡୋସରେ ବାତ୍ୟା ସକାଶେ ଭାରତୀୟ ଦଳ ସେଠାରେ ଫସି ରହିଥିଲା। ପାଗ ଖରାପ ଯୋଗୁଁ ସେଠାକୁ ୩ ଦିନ ଧରି ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା।

ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି ବିମାନରେ ଖେଳାଳିଙ୍କ ସହ ଦଳର ସହଯୋଗୀ ଷ୍ଟାଫ୍, ଖେଳାଳିଙ୍କ ପରିବାରର ସଦସ୍ୟ, ବିସିସିଆଇର କିଛି ସଦସ୍ୟ ଓ ଭାରତୀୟ ଗଣମାଧ୍ୟମର କିଛି ସାମ୍ବାଦିକ ଭାରତ ଫେରୁଛନ୍ତି।  

Tags: #IndianCricketTeam #WorldChampions #TeamIndia #BCCI #Sports

LEAVE A REPLY

Please enter your comment!
Please enter your name here