ଡକ୍ଟର ବିଶ୍ୱରଞ୍ଜନ ଦାସ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଦେବ ଓ ଦେବୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇଥାନ୍ତି ଓ ଏଥିଯୋଗୁଁ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି କାଳକୁ ‘ଅଣସର’ ବା ‘ଅନବସର’ କୁହାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ ତିନି ପ୍ରତିମା ଉପରେ ସୁନା କୂଅର ଅଧିବାସ କରାଯାଇ ୧୦୮ ଗରା ଜଳରେ ସ୍ନାନ କରାଯାଏ। ଏହାପରେ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୁଅନ୍ତି।

ଦଇତାପତି ସେବକ ଓ ଅନ୍ୟ ସେବକମାନେ ମହାପ୍ରଭୁଙ୍କୁ ମନ୍ଦିରର ଜଗମୋହନର ଚନ୍ଦନ ଅର୍ଗଳି ନିକସ୍ଥ ଅଣସର ଘରକୁ ନେଇଥାନ୍ତି।

ଏହି ସମୟରେ ଚୁଆ, କର୍ପୂର, କସ୍ତୁରୀ, ଚନ୍ଦନ ଲେପି ଓ ଅନ୍ୟ ଜଡ଼ିବୁଟି ଦ୍ଵାରା ପାରମ୍ପରିକ ନୀତିରେ ମହାପ୍ରଭୁଙ୍କ ଉପଚାର କରାଯାଏ। କେବଳ ବିଶ୍ୱାବସୁଙ୍କ ବଂଶଧର ଦଇତାପତିମାନେ ଏହି ଅଣସର ଘରେ ସେବାକର୍ଯ୍ୟ କରିବାକୁ ଅନୁମତି ଥାଏ। ବର୍ଷକ ବାରମାସ ମଧ୍ୟରୁ ପତି, ମହାପାତ୍ର, ଓ ବ୍ରାହ୍ମଣମାନଙ୍କ ସେବା ୧୧ ମାସ ହୋଇଥିବାବେଳେ ଦଇତାମାନଙ୍କ ସେବା ହେଉଛି ଏକମାସ। ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚାଲେ।

ସ୍ନାନପୂର୍ଣ୍ଣିମା ପରମ୍ପରା

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ସ୍ନାନକର୍ମ ହୋଇଥିବା ହେତୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ‘ଆଦ୍ୟଲୀଳା’ ବୋଲି କୁହାଯାଇଥାଏ।

ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ଏକ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ। ସେତେବେଳେ ସ୍ନାମଣ୍ଡପ ନଥିବାରୁ ଏକ କାଠନିର୍ମିତ ମଞ୍ଚରେ ସ୍ନାନବିଧି ସମ୍ପନ୍ନ ହେଉଥିଲା। ସେଥିପାଇଁ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ନାମିତ କରାଯାଇଛି। ସେହି ଶାସ୍ତ୍ରୀୟ ମତାନୁସରଣରେ ଅଦ୍ୟାବଧି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ଶାସ୍ତ୍ର ମତରେ- ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା। ଏହିଦିନ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରିବାର ସୁଯୋଗ ପାଉଥିବାରୁ ଏହାକୁ ‘ପତିତପାବନ ଲୀଳା’ ବୋଲି ମଧ୍ୟ କୁହାଯାଏ। ମହାସ୍ନାନ ପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ।

ଅଣସରରେ ଦଇତାପତି ସେବକଙ୍କ ଭୂମିକା

ପବିତ୍ର ସ୍ନାନଯାତ୍ରା ପରେ ଜ୍ୱରରେ ପୀଡ଼ିତ ବିଗ୍ରହଙ୍କ ସେବାରେ ନିୟୋଜିତ ଥାଆନ୍ତି ଦଇତାପତି ସେବକମାନେ। ଅଣସର ଘର ଭିତରେ ୧୦ ଦିନ ଧରି ଉପଚାର ପରେ ଶ୍ରୀଜୀଉମାନେ ସୁସ୍ଥ ହୁଅନ୍ତି। ଶ୍ରୀଅଙ୍ଗରୁ ତାତି କମିବା ପରେ ଦଶମୀ ତିଥିରେ ଚକାବିଜେ କରନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅଣସର ନୀତି ଅନୁଷ୍ଠିତ ହୋଇଥାଏ।

ଦଇତାମାନେ ଶ୍ରୀଜୀଉଙ୍କୁ ଚକା ଉପରେ ଚକାବିଜେ କରାଇବା ପରେ ଚକଟା ଓ ପଣାଭୋଗ ଲାଗି କରାଯାଏ। ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବାକୁ ବିଭିନ୍ନ ଆୟୁର୍ବେଦ ପଦ୍ଧତିରେ ଉପଚାର ଚାଲେ। ଏଥିପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ପ୍ରସ୍ତୁତ କରାଯାଇଥାଏ। ଶାଳପର୍ଣ୍ଣି, ବେଲ, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡ଼ା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଇତ୍ୟାଦି ଦ୍ରବ୍ୟ ମିଶାଇ ଦଶମୂଳାରିଷ୍ଟ ପ୍ରସ୍ତୁତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଏହାକୁ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର ପରେ ଏକାଦଶୀ ଦିନ ଶ୍ରୀଜୀଉଙ୍କୁ ଲାଗି କରାଯାଇଥାଏ।

ତ୍ରୟୋଦଶ ଶତାବ୍ଦୀରେ ଦ୍ୱିତୀୟ ଅନଙ୍ଗ ଭୀମଦେବଙ୍କ ଶାସନ ସମୟରେ ଶ୍ରୀମନ୍ଦିରରେ ଏହି ଶାସ୍ତ୍ରବୈଦ୍ୟ ସେବା ସର୍ବପ୍ରଥମେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଅନବସର ଦଶମୀ ସନ୍ଧ୍ୟାରୁ ମହାପ୍ରଭୁଙ୍କ ଲାଗି ଦଶମୂଳ ପ୍ରସ୍ତୁତ କରାଯାଉଛି। ଦଶମୂଳମୋଦକ ସେବନ ପରେ ଦ୍ୱାଦଶୀ ତିଥିରେ ଦଇତାପତିମାନେ ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରିବାକୁ ସେବକମାନେ ଶ୍ରୀନଅରରୁ ରାଜପ୍ରସାଦ ବିଜେ କରନ୍ତି।

ପଟିଦିଅଁ (ଉତ୍କଳୀୟ ପଟ୍ଟଚିତ୍ର)

ଅଣସର ସମୟରେ ଶ୍ରୀଜୀଉଙ୍କ ଅସୁସ୍ଥତା ହେତୁ ଶ୍ରୀମନ୍ଦିର ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଏ। ବଳଭଦ୍ରଙ୍କ ପଟିଦିଅଁ ହେଲେ ବାସୁଦେବ, ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ହେଲେ ନାରାୟଣ ଓ ସୁଭଦ୍ରାଙ୍କ ପଟିଦିଅଁ ହେଲେ ଭୁବନେଶ୍ୱରୀ ବା ଯାଜ୍ଞସେନୀ।

ଦାରୁଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି, ପଟ୍ଟଚିତ୍ରଗୁଡ଼ିକରେ ସେହି ଆକୃତିର ନୁହେଁ। ଉତ୍କଳୀୟ କାରୁକଳା ଅଙ୍କିତ ପଟ୍ଟଚିତ୍ର କାଷ୍ଠନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଦୃଶ୍ୟମାନ ହୁଏ। ଅଙ୍କିତ ହୋଇଥିବା ଏହି ଚିତ୍ରରେ ସମସ୍ତ ଦିଅଁ ଚର୍ତୁହସ୍ତ ଓ ଦୁଇପାଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି।

ଶ୍ରୀବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହୋଇଥାଏ। ଚର୍ତୁହସ୍ତରେ ସେ ଧରିଥାନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ। ହରିଦ୍ରବର୍ଣ୍ଣା ଦେବୀ ସୁଭଦ୍ରା ଦୁଇ ଉର୍ଦ୍ଧ୍ୱହସ୍ତରେ ପଦ୍ମ ଧାରଣ କରିଥାନ୍ତି ଓ ନିମ୍ନ ହସ୍ତ ଦୁଇଟିଥାଏ ବରଦା ମୁଦ୍ରାରେ। କଳା ରଙ୍ଗରେ ଚିତ୍ରିତ ଶ୍ରୀଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାଆନ୍ତି। ସମସ୍ତ ଦେବତାଙ୍କ ପୃଷ୍ଟପଟ୍ଟ ଗାଢ଼ ନାଲି ରଙ୍ଗ ହୋଇଥାଏ।

ଏହି ପଟିଦିଅଁଙ୍କୁ ବଂଶାନୁକ୍ରମିକ ଭାବେ କେତେକ ଚିତ୍ରକର ଅତ୍ୟନ୍ତ ନିଷ୍ଠାର ସହ ପ୍ରସ୍ତୁତ କରିଥାଆନ୍ତି। ଚିତ୍ର କରିବା ସମୟ ଅବଧିରେ ସେମାନେ ସମ୍ପୂର୍ଣ୍ଣ ନିରାମିଶ ଭକ୍ଷଣ କରିଥାନ୍ତି। କାମ ଚାଲିଥିବା କୋଠରୀକୁ ସ୍ତ୍ରୀଲୋକଙ୍କ ପ୍ରବେଶ ନିଷେଧ ଥାଏ। ଚିତ୍ର ପାଇଁ ଶଙ୍କରୁ ଧଳାରଂଗ ପ୍ରସ୍ତୁତ ହେଉଥିବା ବେଳେ କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦ୍ୱୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳରଙ୍ଗ ପ୍ରସ୍ତୁତ କରାଯାଇଥାଏ।

ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ ବାଇଦ ବଜାଇ ଚିତ୍ରକରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଗୋଟିଏ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ପାଖରେ ଭୋଗ ଲଗାଯାଇଥାଏ।

ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟ୍ଟିଦିଅଁଙ୍କୁ ଅନ୍ନଭୋଗ କରାଯାଏ। ଗର୍ଭଗୃହକୁ ଲାଗି ଦକ୍ଷିଣ ଘରୁ ସେବାୟତମାନେ ୭ଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି। ଶ୍ରୀବଳଭଦ୍ରଙ୍କ ଆସ୍ଥାନ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଓ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କୁ ବିଷ୍ଣୁଙ୍କ ରୂପରେ ଦର୍ଶନ କରିଥାଆନ୍ତି।

ଶ୍ରୀଅଲାରନାଥ ଦର୍ଶନ ପରମ୍ପରା

ପ୍ରଭୁ ଅଲାରନାଥ ନାରାୟଣଙ୍କ ସ୍ୱରୂପ। ଶ୍ରୀମନ୍ଦିର ଅଣସର ଘରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସମୟରେ ଭକ୍ତମାନେ ଧାଇଁଆସନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠକୁ। ଏହି କାଳରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିବା ବର୍ଷକଯାକ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମାନ ବୋଲି ମାନ୍ୟତା ରହିଛି।

ଶ୍ରୀମନ୍ଦିର ପୂଜାପଣ୍ଡାଙ୍କ କହିବା ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମଲୋକକୁ ଯାଇଥିଲେ। ସେଠାରେ ବ୍ରହ୍ମାଙ୍କୁ ନ ପାଇବାରୁ ମର୍ତ୍ତ୍ୟପୁରରେ ବ୍ରହ୍ମଗିରି ପାହାଡ଼ ନିକଟକୁ ଆସିଥିଲେ। ଯେଉଁଠାରେ ବ୍ରହ୍ମା ନାରାୟଣଙ୍କୁ ପୂଜା କରୁଥିଲେ। ସେହି ସମୟରେ ବ୍ରହ୍ମା ଏହି ତପଭୂମିକୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଯାଇଥିଲେ। ଅଲାରନାଥ ପୀଠରେ ବର୍ଷ ତମାମ୍ ଖିରିଭୋଗ ହୋଇଥାଏ। ଏପରିକି ପ୍ରଭୁ ଅଲାରନାଥଙ୍କୁ ଖିରିଖିଆ ଠାକୁର ବୋଲି କୁହାଯାଏ।

କିମ୍ବଦନ୍ତୀ ଅନୁଯାୟୀ, ଥରେ ଶ୍ରୀ ଅଲାରନାଥଙ୍କ ପୂଜକ ଅଲାଲ୍ୟ ଜ୍ୱରରେ ପୀଡ଼ିତ ଥିଲେ। ସେ ନିଜର ପାଞ୍ଚବର୍ଷର ପୁଅକୁ ଶ୍ରୀଜୀଉଙ୍କ ସମ୍ବନ୍ଧରେ କେତେକ ଶିକ୍ଷାଦେଇ ପୂଜାପାଠ ପାଇଁ ପଠାଇଥିଲେ। ପୂଜା କରିବାର ପଦ୍ଧତି, ମନ୍ତ୍ରପାଠ, ନୀତିକାନ୍ତି ସମ୍ପର୍କରେ ଶିଶୁପୁତ୍ର ସମ୍ପୂର୍ଣ୍ଣ ଅଜ୍ଞ। କିନ୍ତୁ ଅଲାରନାଥ ସେବା କରିବା ପାଇଁ ଖୁବ୍ ଆଗ୍ରହୀ। ତେବେ ସେ ତା’ର ମା’ଙ୍କ ହାତତିଆରି ଖିରିକୁ ଠାକୁରଙ୍କୁ ଅର୍ପଣ ପୂର୍ବକ ତିନିଥର ତାଳି ମାରିଥିଲା ଓ ବାପା ତା’ର ଅସୁସ୍ଥ ଥିବା କଥା ଜଣାଇଥିଲା। ଏହାପରେ ଶିଶୁଟି କବାଟ ବନ୍ଦ କରି କିଛି ସମୟ ବନ୍ଦ କବାଟ ପାଖରେ ଅପେକ୍ଷା କରିଥିଲା।

ଶ୍ରୀ ଅଲାରନାଥ ଖିରି ଖାଉଛନ୍ତି କି ନାହିଁ ଜାଣିବା ପାଇଁ କବାଟ ଫାଙ୍କରେ ଚାହିଁବାରୁ ସତକୁ ସତ ଠାକୁର ଖିରି ଖାଉଥିବାର ଦେଖିଲା। ଏହାପରେ ବଳକା ଭୋଗପାତ୍ର ଧରି ମା’ଙ୍କ ପାଖକୁ ଧାଇଁଲା ଓ ଠାକୁର ଖିରି ଖାଇଥିବା କଥା ସେ ଆଖିରେ ଦେଖିଛି ବୋଲି ମା’ଙ୍କୁ କହିଲା। ମା’ ତା’ର ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ପୂଜକ ଜଣଙ୍କ ପୁନର୍ବାର ଖିରି ତିଆରି କରି ମନ୍ଦିରକୁ ଗଲେ। ଭୋଗ ଲଗାଇ ପୁଅର କଥା କେତେ ସତ ଜାଣିବାକୁ କବାଟ ଫାଙ୍କରୁ ଚାହିଁଲେ। ଘନ ଅନ୍ଧକାର ଭିତରେ ଜଣେ କଳା ପୁରୁଷ ଚକାପାରି ବସି ଖିରି ଖାଉଥିବା ସେ ଦେଖିବାକୁ ପାଇଲେ। ଖିରିଖାଇ ତରତରରେ ବାହାରିଗଲା ବେଳେ ହାତରେ ଥିବା ଗରମ ଖିରି ହାତ ଓ ଓଠ ପୋଡ଼ି ଦେଇଥିଲା। ସେହି ପୋଡ଼ାଦାଗ ବିଗ୍ରହଙ୍କ ଛାତି, ହାତ ଓ ଓଠରେ ଏବେବି ବିଦ୍ୟମାନ। ପ୍ରଭୁ ଅଲାରନାଥ ପୂଜକଙ୍କୁ ଦର୍ଶନ ଦେଇ ପୂଜାରେ ସନ୍ତୁଷ୍ଟ ଓ ତୁମ ପରିବାର ବୈକୁଣ୍ଠରେ ସ୍ଥାନ ପାଇବ ବୋଲି ଆଶୀର୍ବାଦ କଲେ। ସେହିଦିନଠାରୁ ଅଲାରନାଥଙ୍କଠାରେ ଖିରି ଭୋଗ ହୁଏ।

ପୂର୍ବରୁ ଆଲବରଦାୟ ସମ୍ପ୍ରଦାୟର ଆଦିବାସମାନେ ନିଜର ଇଷ୍ଠଦେବ ରୂପେ ଶ୍ରୀ ଅଲରନାଥଙ୍କୁ ଏହି ସ୍ଥାନରେ ପୂଜା କରିଆସୁଥିଲେ। କାଳକ୍ରମେ ଆଲବରଦାୟ ନାମଟି ଅପଭ୍ରଂଶ ହୋଇ ଅଲାରନାଥ ଦେବଙ୍କ ନାମରେ ପରିଣତ ହୋଇଛି। କ୍ଷୀର, ଅରୁଆ ଚାଉଳ, ଖୁଆ, ଚିନି ମିଶ୍ରଣରେ ଏଠାରେ ସ୍ୱାଦିଷ୍ଟ ଖିରିଭୋଗ ହୁଏ ଓ ଏହାକୁ ପାଇବା ଲାଗି ଭକ୍ତଙ୍କ ଭିଡ଼ ଜମିଥାଏ।

ଅଲୌକିକ ଦର୍ଶନ

ଶରଧାବାଲିରେ ଶ୍ରୀଜୀଉଙ୍କର ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବା ଉତ୍ତାରେ ଯେତେବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଲାଗିଯାଏ ଓ ସନ୍ଧ୍ୟା କାରଣରୁ ମହାପ୍ରଭୁ ଗହଳ ଲଗାଇ ପଛରେ ଆସୁଥାଆନ୍ତି, ସେତିକିବେଳେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତିନି ରଥରେ ମହାପ୍ରଭୁଙ୍କ ଅଲୌକିକ ଲୀଳା। ଲୀଳାମୟ ମହାପ୍ରଭୁଙ୍କ ମାନବୀୟ ଲୀଳାର ଏ ମହିମା ଅପାର। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜ କବିତାରେ ଲେଖିଛନ୍ତି-

“ମହିମା ଅନନ୍ତ ପ୍ରଭୋ ମହିମା ଅନନ୍ତ /

ମନୋହରୀ ସହୋଦର ହୋଇ ଯା’ର ଖ୍ୟାତ ।”

ଦେଶବିଦେଶରୁ ଭକ୍ତ ଆସିଥାନ୍ତି ଏହି ଲାଳା ସନ୍ଦର୍ଶନ କରି କୋଟି ଜନ୍ମର ପାପରୁ ମୁକ୍ତି ପାଇବାକୁ। ପତିତଙ୍କୁ ଉଦ୍ଧାର ପାଇଁ ଧରାଧାମରେ ଅବତାର ନେଇଥାନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ। ଅଖିଳ ବ୍ରହ୍ମାଣ୍ଡରେ ପ୍ରଭୁଙ୍କ ମହିମାର ନାହିଁ ଅନ୍ତ। ସେ କୃପାବାରିଧି। ସେ ବିଶ୍ୱରୂପୀ। ସେ ଦୀନବାନ୍ଧବ। ସେ ମହାବ୍ରହ୍ମ, ଅନନ୍ତ ଓ ସର୍ବବ୍ୟାପୀ। ସତ୍ୟ, ଧର୍ମ, ଦୟା, ଜ୍ଞାନର ସ୍ୱରୂପ। ଚତୁର୍ଦ୍ଦଶ ଭୁବନ ଈଶ୍ୱର। ଭକ୍ତ ଯିଏ ଯେଉଁ ଭାବରେ ଦର୍ଶନ କରେ, ତାକୁ ସେହି ରୂପ ଦେଖାଇଥାନ୍ତି ଶ୍ରୀହରି।

(ଲେଖକ ହେଉଛନ୍ତି ଭଦ୍ରକ ବିଏନଏମଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ। ମତାମତ ନିଜସ୍ଵ।)

Tags: #LordJagannath #AnasaraRitual #SriAlarnath #RathaJatra #Culture #Puri #Odisha

LEAVE A REPLY

Please enter your comment!
Please enter your name here