ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆବର୍ଷରୁ ରାଜ୍ୟରେ ପୁଣି ବଢ଼ିଲା ଶୀତ
  • ଆଜି ରାଉରକେଲା ସବୁଠାରୁ ଥଣ୍ଡା ସହର
  • ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଓଡ଼ିଶାରେ ନୂଆବର୍ଷରୁ ପୁଣି ଆରମ୍ଭ ହୋଇଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗୁରୁବାର ସକାଳେ ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ରାଉରକେଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୮ ଡିଗ୍ରୀ, କେନ୍ଦୁଝରରେ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୯.୭ ଡିଗ୍ରୀ ଓ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ପାଗ ଶୁଷ୍କ ରହିବା ସହ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟରେ ଘନ ତଥା ମଧ୍ୟମ ଧରଣର କୁହୁଡ଼ି ପାଇଁ ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ଶୁକ୍ରବାର ଯାଏଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଜାନୁଆରି ମାସର ପ୍ରଥମ ସପ୍ତାହରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Weather #Winter #MCBBSR #IMD #Odisha

LEAVE A REPLY

Please enter your comment!
Please enter your name here