ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ଏହି ନାଟକର ପ୍ରଥମ ସୋ’କୁ ଦର୍ଶକୀୟ ଆଦୃତି ମିଳିଛି। ବିଭିନ୍ନ ବୟସ ଓ ବର୍ଗର ଦର୍ଶକମାନେ ଏହି ନାଟକ ଦେଖିବାକୁ ଆସି ଏକ ବିଶେଷ ବାର୍ତ୍ତା ନେଇ ଫେରିଛନ୍ତି।

ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ବ୍ୟାନରରେ ପ୍ରସ୍ତୁତ ‘ସେପ୍ଟେମ୍ବରର ତିରିଶ ଦିନ’ ନାଟକ ଶିଶୁ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ଲାଗି ସମାଜକୁ ଏକ ଶକ୍ତ ବାର୍ତ୍ତା ଦେଉଛି। ଏହି ନାଟକଟି ଭାରତର ଜଣାଶୁଣା ନାଟ୍ୟକାର ମହେଶ ଦତ୍ତାନିଙ୍କର ମୂଳ ଇଂରାଜୀ ନାଟକ ‘ଥାର୍ଟି ଡେଜ୍ ଇନ ସେପ୍ଟେମ୍ବର’ର ଓଡ଼ିଆ ରୂପାନ୍ତର। ଡକ୍ଟର ସତ୍ୟବ୍ରତ ରାଉତ ଏହାକୁ ଓଡ଼ିଆ ଭାଷାରେ ରୂପାନ୍ତର କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ନାଟକ ମଞ୍ଚନ ପୂର୍ବରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଭଳି ନାଟକର ଆୟୋଜନ ପାଇଁ ସେମାନେ ପ୍ରଯୋଜନା ସଂସ୍ଥାକୁ ଅଭିନନ୍ଦନ ଜଣାଇବା ସହ ‘ସେପ୍ଟେମ୍ବରର ତିରିଶ ଦିନ’ର ମୂଳ ବାର୍ତ୍ତା ପ୍ରତି ଘରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଦୁଇ ଅତିଥିଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ଘରେ ଘରେ ଘଟୁଥିବା ସତ୍ୟ ଘଟଣାରୁ ଅନୁପ୍ରାଣିତ ‘ସେପ୍ଟେମ୍ବରର ତିରିଶ ଦିନ’ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଶିଶୁକନ୍ୟା ପ୍ରତି ମା’ର ଭୂମିକା ଓ ଦାୟିତ୍ୱବୋଧକୁ ନାଟକରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ନାଟକକୁ ଆମେ ପରିବେଷଣ କରିଛୁ। ଶିଶୁ ଯୌନ ନିର୍ଯାତନା ଭଳି ଗମ୍ଭୀର ପ୍ରସଙ୍ଗ ବାବଦରେ ଦର୍ଶକମାନେ ସଚେତନ ହେବେ ଏବଂ ସମାଜର ଅନ୍ୟମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବେ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି ନାଟକର ସହପ୍ରଯୋଜକ ତଥା କଳାକାର ସଂଯୋଗିତା ମିଶ୍ର।

‘‘ଏହା କେବଳ ଏକ ନାଟକ ନୁହେଁ, ବରଂ ସମାଜକୁ ବିଶେଷ ବାର୍ତ୍ତା ଦେବା ପାଇଁ ଏକ ଉଦ୍ୟମ। ଆମେ ଏହି ବିଷୟଟିକୁ ବେଶ୍ ସମ୍ବେଦନଶୀଳ ଭାବେ ପରିବେଷଣ କରିବାକୁ ଚେଷ୍ଟା କରିଛୁ ନାଟକ ଏକ ପ୍ରଭାବଶାଳୀ ଗଣମାଧ୍ୟମ ତେଣୁ ଏଭଳି କାହାଣୀ ପରିବାର ଭିତରେ ଶିଶୁ ଯୌନ ନିର୍ଯାତନା ରୋକିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଶେଷ ସହାୟକ ହେବ,’’ କହିଛନ୍ତି ନାଟକର ନିର୍ଦ୍ଦେଶକ ଡକ୍ଟର ସତ୍ୟବ୍ରତ ରାଉତ।

ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ, ବିଶେଷକରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ ନାହାନ୍ତି। ସେମାନେ ପରିବାରର ନିକଟ ସମ୍ପର୍କିୟଙ୍କ ଦ୍ୱାରା ବିଭିନ୍ନ ସମୟରେ ଯୌନ ନିର୍ଯାତନାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ସେହି ଶିଶୁକନ୍ୟାମାନେ ଯେତେବେଳେ ବଡ଼ ହୁଅନ୍ତି, ସେତେବେଳେ ଭୟ, ଆଶଙ୍କା, ଘୃଣା ତଥା ଦୁଃଖ ଓ ମାନସିକ ଚାପ ମଧ୍ୟରେ ସେମାନଙ୍କ ଜୀବନ କଟେ।

‘ସେପ୍ଟେମ୍ବରର ତିରିଶ ଦିନ’ ନାଟକର ମୁଖ୍ୟ ଚରିତ୍ର ମାଳା ନିଜ ମାମୁଙ୍କ ଦ୍ୱାରା ପିଲାଟିବେଳୁ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇଛି। ମାଳାର ମା’ ଏ ବିଷୟ ଜାଣି ମଧ୍ୟ ଦୀର୍ଘ ଦିନ ନୀରବ ରହିଛନ୍ତି। ଶେଷରେ ଦିନେ ସବୁ ନୀରବତାକୁ ଭାଙ୍ଗି ଏକ ବିସ୍ଫୋରଣ ହୋଇଛି, ଯାହା ସତ୍ୟକୁ ସ୍ୱୀକାର କରିବାକୁ ସମସ୍ତଙ୍କୁ ବାଧ୍ୟ କରିଛି। ଗୋଟିଏ ନିରୀହ ନାବାଳିକାର ଜୀବନର ଏହି ଯନ୍ତ୍ରଣା ଓ ସଂଘର୍ଷକୁ ନେଇ ନାଟକର କାହାଣୀ ପ୍ରସ୍ତୁତ ହୋଇଛି।

ଶୁକ୍ରବାର ଦିନ ପ୍ରଥମ ସୋ’ରେ ନାଟକଟି ଦର୍ଶକଙ୍କ ମନ ଜିତିଛି। ଶନିବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଏହି ନାଟକର ପରବର୍ତ୍ତି ସୋ’ ମଞ୍ଚସ୍ଥ ହେବାକୁ ଯାଉଛି। ଓଡ଼ିଶାଲାଇଭ୍ ‘ସେପ୍ଟେମ୍ବରର ତିରିଶ ଦିନ’ ଥିଏଟର ପ୍ରଡକ୍ସନର କମ୍ୟୁନିକେସନ ପାର୍ଟନର ରହିଛି।

‘ସେପ୍ଟେମ୍ବରର ତିରିଶ ଦିନ’ ନାଟକର ପ୍ରଥମ ସୋ’ ଦେଖିବା ପାଇଁ ବହୁ ଥିଏଟରପ୍ରେମୀଙ୍କ ସହ ମଞ୍ଚ ଓ ସିନେ କଳାକାର ଏବଂ କଳା, ସଂସ୍କୃତି ଓ ସାମାଜିକ କ୍ଷେତ୍ର, ସାହିତ୍ୟିକ ଏବଂ ଗଣମାଧ୍ୟମର ବ୍ୟକ୍ତିମାନେ ପହଞ୍ଚିଥିଲେ। ଏହି ଅବସରରେ ନାଟକର ପ୍ରଯୋଜନା ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ପକ୍ଷରୁ ସହପ୍ରଯୋଜକ ଚନ୍ଦ୍ରଭାନୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନେକ ଲୋକ ଅନଲାଇନ ଓ ଅଫଲାଇନରେ ଟିକେଟ କିଣି ନିଜ ପରିବାର ସହ ଆସି ନାଟକ ଦେଖିଥିବାରୁ ଆୟୋଜକଙ୍କ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Tags: #ThirtyDaysofSeptember #Theater #ChildSexualAbuse #Play #MaheshDattani #DrSatyabrataRout

LEAVE A REPLY

Please enter your comment!
Please enter your name here