ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଜି ସନ୍ଧ୍ୟା ୭ଟାରେ ପରିବେଷଣ ହେବାକୁ ଯାଉଛି ଶିଶୁ ଯୌନ ନିର୍ଯାତନା ଉପରେ ବିଶେଷ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଯୌନ ପିପାସୁ କବଳରେ ପଡ଼ିଥିବା ଗୋଟିଏ ନିରୀହ ନାବାଳିକାର ଜୀବନର ଅକଥନୀୟ ଯନ୍ତ୍ରଣା ଓ ସଂଘର୍ଷକୁ ନେଇ ନାଟକର କାହାଣୀ।

‘ଇନଷ୍ଟିଚ୍ୟୁଟ୍ ଅଫ ନଲେଜ ସୋସାଇଟିଜ୍’ ବ୍ୟାନରରେ ହେଉଥିବା ଏହି ନାଟକଟି ଶନିବାର ସନ୍ଧ୍ୟା ୭ଟାରେ ମଧ୍ୟ ପ୍ରଦର୍ଶିତ ହେବ। ବୁକ୍ ମାଇଁ ସୋ’ ଆପରେ ନାଟକର ଟିକେଟ ଉପଲବ୍ଧ ରହିଛି। ଏହି ଲିଙ୍କକୁ କ୍ଲିକ କରି ଟିକେଟ ବୁକ୍ କରିହେବ। ଟିକେଟର ଦାମ ୧୦୦ ଟଙ୍କା ରହିଛି। ଏହା ସହ ଭଞ୍ଜକଳା ମଣ୍ଡପର ଟିକେଟ କାଉଣ୍ଟରେ ମଧ୍ୟ ନାଟକର ଟିକେଟ ମିଳିପାରିବ।

‘ସେପ୍ଟେମ୍ବରର ତିରିଶ ଦିନ’ ନାଟକଟି ଓଡ଼ିଆ ଭାଷାରେ ପରିବେଷଣ କରାଯିବ। ଏହି ନାଟକଟିକୁ ଭାରତର ଜଣାଶୁଣା ନାଟ୍ୟକାର ମହେଶ ଦତ୍ତାନି ହିନ୍ଦୀରେ ଲେଖିଥିବା ବେଳେ ଏହାର ଓଡ଼ିଆ ରୂପାନ୍ତର ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫେସର ଡକ୍ଟର ସତ୍ୟବ୍ରତ ରାଉତ। ନାଟକର ପ୍ରଯୋଜକ ରହିଛନ୍ତି ସଂଯୋଗିତା ମିଶ୍ର।

ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ ନାହାନ୍ତି। ସେମାନେ ପରିବାରର ନିକଟ ସମ୍ପର୍କୀୟଙ୍କ ଦ୍ଵାରା ବିଭିନ୍ନ ସମୟରେ ଯୌନ ନିର୍ଯାତନାର ଶିକାର ହେଉଥିବା ଦେଖିବାକୁ ମିଳେ। ଏଭଳି ଘଟଣା ବହୁତ ଘଟୁଥିଲେ ମଧ୍ୟ ଏ ବାବଦରେ ବାହାର ଲୋକ କିଛି ଜାଣିପାରନ୍ତି ନାହିଁ କିମ୍ବା ଅପରାଧୀକୁ ଆଇନର ପରିସର ଭିତରକୁ ଟଣାଯାଇ ପାରେନାହିଁ।

ଶିଶୁ ଯୌନ ନିର୍ଯାତନା ଲାଗି ଆଇନରେ କଠୋର ଦଣ୍ଡ ବିଧାନ ଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅନେକ ପରିବାରେ ମାମଲାକୁ ଘର ଭିତରେ ଚପେଇ ଦିଆଯାଏ। ତେବେ ସେହି ଶିଶୁକନ୍ୟାମାନେ ଯେତେବେଳେ ବଡ଼ ହୁଅନ୍ତି, ସେତେବେଳେ ଭୟ, ଆଶଙ୍କା, ଘୃଣା ତଥା ଦୁଃଖ ଓ ମାନସିକ ଚାପ ମଧ୍ୟରେ ସେମାନଙ୍କ ଜୀବନ କଟେ। ଏହି ଭଳି ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ସଚେତନତାମୂଳକ କାହାଣୀକୁ ନେଇ ନାଟକଟି ପରିବେଷିତ ହେବ।  

‘ସେପ୍ଟେମ୍ବରର ତିରିଶ ଦିନ’ ଥିଏଟର ପ୍ରଡକ୍ସନର କମ୍ୟୁନିକେସନ ପାର୍ଟନର ରହିଛି ‘ଓଡ଼ିଶାଲାଇଭ୍’।

Tags: #ThirtyDaysInSeptember #Theater #ChildSexualAbuse #Play #MaheshDattani #DrSatyabrataRout

LEAVE A REPLY

Please enter your comment!
Please enter your name here