ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଛନ୍ତି ଶ୍ରୀଜିଉ। ରବିବାର ଅପରାହ୍ଣ ୫ଟାରେ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିବାବେଳେ ଶ୍ରୀମନ୍ଦିରରୁ ଅଳ୍ପ ଦୂରରେ ଅଟକିଯାଇଛି ୩ ରଥ। ସୋମବାର ସକାଳେ ପୁଣି ରଥଟଣା ହେବ।

ରବିବାର ସନ୍ଧ୍ୟାରେ ରଥଟଣା ବନ୍ଦ ହେବା ସୁଦ୍ଧା ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରିଚିକୋଟ ଛକରେ ଅଟକି ଯାଇଥିଲା। ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଥିବାବେଳେ ଏହା ପଛକୁ ଶ୍ରୀମନ୍ଦିରରୁ ଅଳ୍ପ ଦୂରରେ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ଯାଇଛିଥିଲା।

ରଥଯାତ୍ରା ପାଇଁ ଶନିବାର ବିଳମ୍ବିତ ରାତିରୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୨ଟାରେ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବା ପରେ ରାତି ୨ଟା ୧୦ରେ ମଇଲମ ନୀତି, ୨ଟା ୩୦ରେ ଅବକାଶ ନୀତି, ୨ଟା ୪୦ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା ଦ୍ଵାରପାଳ ପୂଜା, ବେଶ ନୀତି ସରିବାପରେ ଦିନ ୧୨ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ।

ଛେରାପହଁରା ନୀତି ସରିବାପରେ ରଥରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ବାହାର କରାଯାଇ ଘୋଡ଼ା ଲଗାଯାଇଥିଲା। ଏହାପରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ଗଡ଼ିଥିଲା ତାଳଧ୍ୱଜ ରଥ। ଏହା ପରେ ଦର୍ପଦଳନ ଏବଂ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲା ନନ୍ଦିଘୋଷ ରଥ। 

Tags: #RathaYatra #ShreeGundichaJatra #Puri #ShreeKhetra #SriJagannath

Comment