ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତମୟ ହୋଇଛି ପୁରୀ। ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ସଂକୀର୍ତ୍ତନର ଧ୍ଵନିରେ କମ୍ପୁଛି ବଡ଼ଦାଣ୍ଡ। ସମସ୍ତେ ଭାବପ୍ରବଣ ହୋଇ ବଡ଼ ଠାକୁରଙ୍କୁ ଚାହିଁ ରହିଛନ୍ତି।

ରବିବାର ଦିନ ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବାପରେ ଶ୍ରୀ ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥକୁ ନିଆଯାଇଛି।

ରଥଯାତ୍ରା ପାଇଁ ସକାଳୁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଧୀରେ ଧୀରେ ବଡ଼ଦାଣ୍ଡ ଭକ୍ତଙ୍କ ଜନସମୁଦ୍ରରେ ପରିଣତ ହୋଇଛି। କେତେକ ଭାବପ୍ରବଣ ଭକ୍ତ ରଥ ନିକଟରେ ଭିନ୍ନ ଭିନ୍ନ ଭଙ୍ଗୀରେ ନୃତ୍ୟ କରୁଛନ୍ତି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ନୀତି ଓ ସୂର୍ଯ୍ୟପୂଜା ହୋଇଥିଲା। ଏହାପରେ ଦ୍ଵାରପାଳ ପୂଜା ସରିବାପରେ ଖେଚୁଡ଼ି ଭୋଗ ଲାଗିଥିଲା।

ଏହାପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ ପରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଶ୍ରୀଜୀଉଙ୍କୁ ରଥକୁ ନିଆଯାଇଥିଲା।

ଏବେ ଶ୍ରୀଜୀଉଙ୍କ ପହଣ୍ଡି ସରିବା ପରେ ଦିନ ୧ଟାରୁ ୨ଟା ମଧ୍ୟରେ ମହାପ୍ରଭୁଙ୍କ ଚିତାଲାଗି ଏବଂ ବେଶ ଶେଷ ହେବ। ଅପରାହ୍ଣ ୪ଟାରେ ଗଜତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି କରିବେ। ୪ଟା ୩୦ରେ ଚାର ଫିଟା ଓ ଘୋଡ଼ା ସାରଥୀ ଲାଗିବା ପରେ ୫ଟାରେ ରଥଟଣା ଆରମ୍ଭ ହେବ।

ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #RathaYatra #Puri #ShreeKhetra #SriJagannath #PahandiBije

Comment