ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।
ଏହି ବାହୁଡ଼ାଯାତ୍ରାରେ ବିଭିନ୍ନ ଦେଶ ଓ ସମ୍ପ୍ରଦାୟର ପ୍ରାୟ ୫୦୦୦ ଭକ୍ତ ସାମିଲ ହୋଇଥିଲେ। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ଓ ଅନ୍ୟ ସଦସ୍ୟମାନେ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ସବୁ ନୀତିକାନ୍ତିରେ ସହଯୋଗ କରିଥିଲେ। ଶ୍ରୀଜୀଉଙ୍କ ସବୁ ନୀତି ସରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା।
“ଚଳିତବର୍ଷ ବାହାରିନରେ ବହୁ ଆନନ୍ଦ ଉତ୍ସାହର ସହିତ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ହଜାର ହଜାର ଭକ୍ତଙ୍କ ଗହଣରେ ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଚେତନା ଓ ଦର୍ଶନକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବା ଲାଗି ଏହା ଏକ କ୍ଷୁଦ୍ର ପ୍ରୟାସ। ଏଥିରେ ସବୁ ଓଡ଼ିଆଙ୍କ ଯୋଗଦାନ ପାଇଁ ମୁଁ ଗର୍ବିତ”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।
ବାହୁଡ଼ାଯାତ୍ରା ଅବସରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମହାପ୍ରସାଦ ସେବା, ସଂକୀର୍ତ୍ତନ ତଥା ନାମଯଜ୍ଞ ଆଦି ସମ୍ପାଦିତ ହୋଇଥିଲା। ଯାତ୍ରାରେ ସାମିଲ ହୋଇଥିବା ସବୁ ଭକ୍ତଙ୍କୁ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଡକ୍ଟର ଅରୁଣ କୁମାର ପ୍ରହରାଜ କୃତଜ୍ଞତା ଜଣାଇଥିଲେ।
ସୋମବାର ସନ୍ଧ୍ୟାରେ ଏଠାରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଶ୍ରୀଜଗନ୍ନାଥ ଭକ୍ତି ଗୀତ, ରାଧାକୃଷ୍ଣ ନୃତ୍ୟ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ।
Tags: #BahudaJatra #SrinathjiTemple #BahrainOdiaSamaj #Bahrain