ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଏଥିରେ କିଟ୍ ବିଶ୍ଵବିଦ୍ୟାଳୟର ୧୧ ଜଣ ଖେଳାଳି ଭାରତର ପ୍ରତିନିଧିନତ୍ଵ କରିବେ। କିଟ୍ ପକ୍ଷରୁ ପ୍ରତି ଖେଳାଳିଙ୍କ ପାଇଁ ୭ ଲକ୍ଷ ତାଙ୍କ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍‍ ହେଉଛି ଦେଶର ପ୍ରଥମ।

ଗୁରବାର ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସବୁ ଖେଳାଳିଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ।

“କିଟ୍‍ ଓ କିସ୍‍ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି। ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍‍, ୨ଜଣ ପାରାଅଲିମ୍ପିଆନ୍‍ କିଟରୁ ବାହାରିସାରିଲେଣି। ସେମାନଙ୍କ ମଧ୍ୟରେ ୭ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେମାନେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏଥର ମଧ୍ୟ ଆମ ଖେଳାଳିମାନେ ଅଲିମ୍ପିକ୍ସରେ ନିଜର ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଦେଶ ପାଇଁ ଗୌରବ ଆଣିବେ ବୋଲି ମୋର ବିଶ୍ଵାସ”, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

ପ୍ୟାରିସ୍‍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା କିଟ୍ ବିଶ୍ଵବିଦ୍ୟାଳୟର ଖେଳାଳିମାନେ ହେଲେ

୧. ଅମିତ ରୋହିଦାସ – ହକି

୨. କିଶୋର କୁମାର ଜେନା – ଜାଭେଲିନ୍‍ ଥ୍ରୋ

୩. ଅନୁ ରାଣୀ – ଜାଭେଲିନ୍‍ ଥ୍ରୋ

୪. ତେଜିନ୍ଦର ସିଂହ ତୁର – ସଟ୍‍ପୁଟ

୫. ପାରୁଲ ଚୌଧୁରୀ – ୩୦୦୦ ମିଟର ଷ୍ଟିପଲଚେଜ, ୫୦୦୦ ମିଟର ଦୌଡ଼

୬. ପ୍ରିୟଙ୍କା ଗୋସ୍ୱାମୀ – ୨୦ କିଲୋମିଟର ରେସ୍‍ ୱାକ୍‍ ଓ ମାରାଥନ ରେସ୍‍ ୱାକ୍‍ ମିକ୍ସଡ୍ ରିଲେ

୭. ଜ୍ୟେତି ୟାରାଜି – ୧୦୦ ମିଟର ହର୍ଡଲ୍ସ

୮. ପ୍ରାଚୀ ଚୌଧୁରୀ –  ୪x୪୦୦ ମିଟର ରିଲେ ଟିମ୍

୯. ଅଙ୍କିତା ଧୟାନୀ – ୫୦୦୦ ମିଟର ଦୌଡ଼

୧୦. ପରମଜିତ୍‍ ସିଂହ ବିଷ୍ଟ – ୨୦ କିଲୋମିଟର ରେସ୍‍ ୱାକ୍‍

୧୧. ସୂରଜ ପନୱାର – ମାରାଥନ ରେସ୍‍ ୱାକ୍‍ ମିକ୍ସଡ୍ ରିଲେ

ଅଲିମ୍ପିକ୍ସ ପାଇଁ ଖେଳାଳିମାନେ ୟୁରୋପର ବିଭିନ୍ନ ଦେଶରେ ବର୍ତ୍ତମାନ ତାଲିମ ନେଉଛନ୍ତି। ସେମାନେ ସେଠାରୁ ପ୍ୟାରିସ ଗସ୍ତ କରିବେ।  

Tags: #ParisOlympics2024 #Players #KIITUniversity #Sports #Odisha

Comment