ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କୌଣସି ସ୍ଵତନ୍ତ୍ର ଅନୁଦାନ ଘୋଷଣା ହୋଇନାହିଁ। କେବଳ ପର୍ଯ୍ୟଟନର ବିକାଶ ନାଁରେ ଲଲିପପ୍ ଧରାଇଛନ୍ତି କେନ୍ଦ୍ର ସରକାର। ବିଜେଟରେ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

ମଙ୍ଗଳବାର ଦିନ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି, “ନିର୍ବାଚନ ସମୟରେ ବିଜେପି ଓଡ଼ିଶାବାସୀଙ୍କୁ ବଡ଼ ବଡ଼ କଥା କହିବା ସହ ପ୍ରତିଶ୍ରୁତି ବର୍ଷା କରିଥିଲା। କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା କରାଗଲା। ବିଜେପି ନିଜ ମେନିଫେଷ୍ଟୋରେ ଓଡ଼ିଶାକୁ ସ୍ଵତନ୍ତ୍ର ବର୍ଗ ମାନ୍ୟତା ଦେବାକୁ ମଧ୍ୟ କହୁଥିଲା। କିନ୍ତୁ ଆନ୍ଧ୍ରପ୍ରଦେଶ ଏବଂ ବିହାର ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଥିବାବେଳେ ଓଡ଼ିଶା ପାଇଁ କିଛି ନାହିଁ।”

କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ବିଚାରଧୀନ ରହିଥିବା ଓଡ଼ିଶାର କୋଇଲା ରୟାଲ୍ଟିର ସଂଶୋଧନ ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଏଥିପାଇଁ ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କାର ରାଜସ୍ଵ ହରାଇବାକୁ ପଡ଼ିବ ବୋଲି ନବୀନ କହିଛନ୍ତି।

ନିର୍ବାଚନ ସମୟରେ ବିଶେଷ କରି କୃଷି, ଏମଏସଏମଇ ଏବଂ ଶିଳ୍ପ କ୍ଷେତ୍ରକୁ ନେଇ ଓଡ଼ିଶାବାସୀଙ୍କୁ ବିଜେପି ପକ୍ଷରୁ ବଡ଼ ବଡ଼ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଆଜିର ବଜେଟ ଓଡ଼ିଶାବାସୀଙ୍କ ମନରେ ନିରାଶା ଭରିଦେଲା ବୋଲି ବିରୋଧୀ ଦଳର ନେତା କହିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶା ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ପାଇଁ ଅନୁରୋଧ କରାଯାଇଥିଲା, କିନ୍ତୁ ଏଥିରେ ମଧ୍ୟ ଓଡ଼ିଶାକୁ ନିରାଶ କରିଛନ୍ତି କେନ୍ଦ୍ର ସରକାର। କେବଳ ସେତିକି ନୁହେଁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ ମଧ୍ୟ ଚଳିତ ବଜେଟରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ।”

ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, ପୋଲାଭରମକୁ ନେଇ ଆମର ଲଢ଼େଇ ଜାରି ରଖିଛୁ। ଆମର ଅସଲ ଅଭିଯୋଗକୁ ଅଣଦେଖା କରି କେନ୍ଦ୍ର ସରକାର ପୋଲାଭରମ ପାଇଁ ଅଧିକରୁ ଅଧିକ ପାଣ୍ଠି ଆବଣ୍ଟନ କରିବା ଓଡ଼ିଶା ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

କେନ୍ଦ୍ରରେ ଏନଣ୍ଡିଏ ସରକାର ୧୦ ବର୍ଷରୁ ଅଧିକ ସମୟ ରହିଥିଲେ ମଧ୍ୟ ଓଡ଼ିଶା ସହ ପୂର୍ବଭାରତ ଉପରେ ଧ୍ୟାନ ଦେବାକୁ ପ୍ରତି ବଜେଟରେ ଆଲୋଚନା ହେଉଛି, କିନ୍ତୁ କିଛି କାର୍ଯ୍ୟକାରୀ କରାଯାଉ ନାହିଁ।

ଶେଷରେ ନବୀନ କହିଛନ୍ତି, “ଦେଶ ପାଇଁ ଓଡ଼ିଶାର ଯଥେଷ୍ଟ ଅବଦାନ ରହିଥିଲେ ମଧ୍ୟ ଓଡ଼ିଶାକୁ ବାରମ୍ବାର କେନ୍ଦ୍ର ଅବହେଳାର ଶିକାର ହେବାକୁ ପଡ଼ୁଛି। ଓଡ଼ିଶାକୁ କେନ୍ଦ୍ର ବଜେଟରେ ଅବହେଳା କରାଯିବା ମୋତେ ନିରାଶ କରିଛି।”

ତେବେ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ବଜେଟରେ ଘୋଷଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।

Tags: #OdishaAssembly #AssemblySession #Budget2024 #Odisha #BJD #BJP #Congress #Politics #OdishaPolitics #NaveenPatnaik

LEAVE A REPLY

Please enter your comment!
Please enter your name here