ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ଅଧିବେଶନର ଦ୍ଵିତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିଥିଲେ।
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିନଥିଲା ବିଧାନସଭା ଗୃହକାର୍ଯ୍ୟ। ଗୃହରେ ଅଚଳାବସ୍ଥା ଦେଖି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ପ୍ରସଙ୍ଗ ଉଠାଇ ଗତକାଲି, ସୋମବାର ଦିନ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଏଯାଏଁ ରାଜ୍ୟ ସରକାର କାହିଁକି ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
ସମାନ ପ୍ରସଙ୍ଗରେ ମଙ୍ଗଳବାର ଅପରାହ୍ଣରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିବା ସହ ହୋ ହାଲ୍ଲା କରିଥିଲେ। ଏମିତିକି ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।
ଜୁଲାଇ ୭ ତାରିଖରୁ ଘଟଣା ଘଟିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ସେ ଆହୁରି ଅଭିଯୋଗ କରିଛନ୍ତି, “ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାର ଓଡ଼ିଆ ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ନ୍ୟାୟ ମିଳିପାରୁ ନାହିଁ। ଆଇନ ମନ୍ତ୍ରୀ କହୁଛନ୍ତି ଏହି ଘଟଣାର ଜିଲ୍ଲାପାଳ ତଦନ୍ତ କରିବେ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ଚପାଇବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି।”
ବିରୋଧୀଙ୍କ ମନ୍ତବ୍ୟ ପରେ ଜବାବ ରଖିଛି ବିଜେପି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିରୋଧୀ ଦଳ ଅସହିଷ୍ଣୁ ହୋଇପଡ଼ିଛନ୍ତି। ୨୪ ବର୍ଷର ସରକାର ଯାହା କରିପାରିନଥିଲେ, ବିଜେପି ସରକାର ଗୋଟିଏ ମାସ ଭିତରେ ତାହା କରି ଦେଖାଇଛନ୍ତି। ବିଜେଡି ସରକାରରେ ଅନେକ ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ଅଭିଯୋଗ ରହିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ।
ଏପଟେ କଂଗ୍ରେସ ଅଭିଯୋଗ କରିଛି ବିଜେଡି ଏବଂ ବିଜେପି ଆଲୋଚନା କରି ଗୃହ ବନ୍ଦ କରୁଛନ୍ତି। ଏହି କାରଣରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇପାରୁ ନାହିଁ।
ସୋମବାର ଦିନ ଆରମ୍ଭ ହୋଇଛି ନୂଆ ସରକାରଙ୍କ ସପ୍ତଦଶ ବିଧାନସଭା ଅଧିବେଶନ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ।
Tags: #OdishaAssembly #AssemblySession #Budget2024 #Odisha #BJD #BJP #Congress #Politics #OdishaPolitics


















