ଅଭିଷେକ ରାୟ

  • ପାଣିରେ ବୁଡ଼ିଯିବା ଯୋଗୁଁ ଗତ ୧୦ ବର୍ଷରେ ହୋଇଛି ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ।
  • ୫ରୁ ୧୪ ବର୍ଷର ବୟସର ପିଲାଙ୍କ ମଧ୍ୟରେ ମୃତ୍ୟୁର ଷଷ୍ଠ କାରଣ ପାଣିରେ ବୁଡ଼ିଯିବା।
  • ସଚେତନତା ଓ ଆବଶ୍ୟକୀୟ ପଦକ୍ଷେପର ଅଭାବରୁ ଯାଉଛି ଅନେକ ଜୀବନ – ଡବ୍ଲ୍ୟୁଏଚଓ

ଆଜି ହେଉଛି ବିଶ୍ଵ ଜଳ ଦୁର୍ଘଟଣା ନିରୋଧ ଦିବସ। ପାଣିରେ ବୁଡ଼ି ହେଉଥିବା ଜୀବନହାନି ରୋକିବା ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୫ ତାରିଖରେ ଏହି ଦିବସ ପାଳିତ ହେଉଛି।

ଆପଣ ଜାଣିଛନ୍ତି କି, ପ୍ରତି ୧୦ ବର୍ଷରେ ସାରା ଦୁନିଆରେ ବିଭିନ୍ନ କାରଣରୁ ପାଣିରେ ବୁଡ଼ି ଯେତେ ଲୋକ ପ୍ରାଣ ହରାଉଛନ୍ତି, ସେମାନଙ୍କ ସଂଖ୍ୟା ଭୁବନେଶ୍ଵର ଓ କଟକ ଟ୍ଵିନ ସିଟିର ଜନସଂଖ୍ୟାରୁ ବି ଅଧିକ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର (ଡବ୍ଲ୍ୟୁଏଚଓ) ରିପୋର୍ଟ ଅନୁସାରେ ଗତ ଦଶକରେ ପାଣିରେ ବୁଡ଼ିବା ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଅସାବଧାନତା, ଅବହେଳା, ଦୁସାହସିକତା ତଥା କାହାର ତ୍ରୁଟି ପାଇଁ ମୁହୂର୍ତ୍ତକେ ପାଣିରେ ବୁଡ଼ିବା ଯୋଗୁଁ ଅନେକ ଜୀବନ ଚାଲିଯାଉଛି।

ପାଣିରେ ବୁଡ଼ିବା ଭଳି ଅଘଟଣର କୌଣସି ବୟସ ସୀମା ନାହିଁ। ଛୋଟ ବୟସର ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହୋଇଥାନ୍ତି। ହେଲେ କେହି ଯେପରି ପାଣିରେ ବୁଡ଼ି ପ୍ରାଣ ନହରାନ୍ତି ଏହା ଆମ ଲକ୍ଷ୍ୟ ହେବା ଦରକାର ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବିଶ୍ଵ ଜଳ ଦୁର୍ଘଟଣା ନିରୋଧ ଦିବସର ଥିମ ରହିଛି ‘ଏନିଓ୍ଵାନ କ୍ୟାନ ଡ୍ରାଉନ, ନୋ ଓ୍ଵାନ ସୁଡ’। ଏହାର ଅର୍ଥ ହେଉଛି – ‘ଯେକୌଣସି ବ୍ୟକ୍ତି ପାଣିରେ ବୁଡ଼ିବାର ଶିକାର ହୋଇପାରନ୍ତି, ହେଲେ ଏଭଳି ଅଘଟଣରେ କାହାର ମୃତ୍ୟୁ ହେବା ଉଚିତ୍ ନୁହେଁ’।

ଡବ୍ଲ୍ୟୁଏଚଓର ତଥ୍ୟ ଅନୁସାରେ ପାଣିରେ ବୁଡ଼ି ଲୋକଙ୍କ ମୃତ୍ୟୁ ହେବା ଭଳି ଅଘଟଣ ବିଶ୍ଵର ପଛୁଆ ଏବଂ ବିକାଶଶୀଳ ଦେଶଗୁଡ଼ିକରେ ଅଧିକ ଦେଖିବାକୁ ମିଳୁଛି। ଏହି ସବୁ ଦେଶରେ ଜଳ ଦୁର୍ଘଟଣାକୁ ନେଇ ସଚେତନତାର ଅଭାବ ତଥା ଏହାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉନଥିବାରୁ ଅଧିକ ଲୋକଙ୍କ ଜୀବନହାନି ହେଉଛି।

ସଚେତନତାର ଅଭାବ, ପାଣିରେ ଥିବାବେଳେ ସୁରକ୍ଷା ପ୍ରତି ଧ୍ୟାନ ନଦେବା ତଥା ଅବହେଳା କରିବା ଏବଂ ବିଭିନ୍ନ ପ୍ରକାର ଜଳ ଯାତ୍ରା ସମୟରେ ସୁରକ୍ଷା ନିୟମାବଳୀକୁ ପାଳନ ନକରିବା ଯୋଗୁଁ ଜଳ ଦୁର୍ଘଟଣା ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ।

ସେହିପରି ଜଳ ଉତ୍ସ ନିକଟରେ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ଅବହେଳା ତଥା ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ନରଖିବା କାରଣରୁ ସେମାନେ ପାଣିରେ ବୁଡ଼ିବାର ଶିକାର ହେଉଛନ୍ତି। ଏହାସହ ଗ୍ରାମାଞ୍ଚଳରେ ଏହିଭଳି ଅଘଟଣ ଅଧିକ ଦେଖିବାକୁ ମିଳେ।     

“ପାଣିରେ ବୁଡ଼ିବା ଘଟଣା ମୁହୂର୍ତ୍ତକରେ ଘଟିଥାଏ। ଅନେକ ସମୟରେ ପାଣିରେ ବୁଡ଼ୁଥିବା ବ୍ୟକ୍ତି ନିଜେ ମଧ୍ୟ ଏ ବିଷୟରେ ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ। କ୍ଷଣିକରେ ଚାଲିଯାଏ ଲୋକଙ୍କର ଜୀବନ। ଲୋକଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଏହିଭଳି ଅଘଟଣକୁ କମ କରାଯାଇପାରିବ। ଏହା ସହ ପାଣିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଫାଷ୍ଟ-ଏଡ ଦେଇ ସେମାନଙ୍କ ଜୀବନ ବଞ୍ଚାଇ ହେବ। ଆମେ ସମସ୍ତେ ଏ ଦିଗରେ ସଚେତନ ହୋଇ ପଦକ୍ଷେପ ନେବାର ସମୟ ଆସିଛି”, କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଭାରତରେ ପ୍ରତିନିଧି ଡାକ୍ତର ରୋଡରିକୋ ଏଚ ଓରଫିନ୍।

ଡବ୍ଲ୍ୟୁଏଚଓର ରିପୋର୍ଟ ଅନୁସାରେ ପ୍ରତିବର୍ଷ ନଦୀ, ନାଳ, କୂଅ ଏବଂ ପୋଖରୀରେ ବୁଡ଼ି ପ୍ରାୟ ଅଢ଼େଇ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଏଥିରେରେ ୧ରୁ ୨୪ ବର୍ଷ ବୟସ ପିଲାଙ୍କ ସଂଖ୍ୟା ଅଧିକ ରହିଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପାଣିରେ ବୁଡ଼ିବା ଯୋଗୁଁ ୫୦ ପ୍ରତିଶତରୁ ଅଧିକ ମୃତ୍ୟୁ ୩୦ ବର୍ଷରୁ କମ ବୟସ୍କଙ୍କର ହେଉଛି। ସମଗ୍ର ବିଶ୍ଵରେ ୫ରୁ ୧୪ ବର୍ଷର ବୟସର ପିଲାଙ୍କର ଯେଉଁ ମୃତ୍ୟୁ ହେଉଛି, ସେଥିରେ ପାଣିରେ ବୁଡ଼ି ପ୍ରାଣ ହରାଇବା ଷଷ୍ଠ ପ୍ରମୁଖ କାରଣ ପାଲଟିଛି। ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ପାଣିରେ ବୁଡ଼ି ପ୍ରାଣ ହରାଉଛନ୍ତି।

ଆମ ଦେଶରେ ତଥା ରାଜ୍ୟରେ ବିଭିନ୍ନ କାରଣରୁ ଲୋକେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇବା ଭଳି ଅଘଟଣ ନିୟମିତ ଭାବେ ଦେଖିବାକୁ ମିଳୁଛି। ଜାତୀୟ ଅପରାଧୀକ ରେକର୍ଡ ବ୍ୟୁରୋ ଅନୁସାରେ ଭାରତରେ ୨୦୨୧ରେ ପାଣିରେ ବୁଡ଼ି ୩୬,୩୬୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଲେଖିବା ସମୟରେ ମଧ୍ୟ ଓଡ଼ିଶାର ଦୁଇଟି ସ୍ଥାନରେ ପାଣିରେ ବୁଡ଼ି ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବାର ଦୃଷ୍ଟାନ୍ତ ମଧ୍ୟ ମିଳିଛି।

ପାଣିରେ ବୁଡ଼ି ମୃତ୍ୟୁ ଯୋଗୁଁ ମୃତକଙ୍କ ପରିବାରକୁ ଯେଉଁ ଗଭୀର ଆଘାତ ଲାଗୁଛି। ପରିବାର ଲୋକେ ନିଜ ପ୍ରିୟଜନଙ୍କୁ ହରାଇ ଯନ୍ତ୍ରଣାରେ କାଳ କାଟୁଛନ୍ତି। ଏହାକୁ ଅନୁଭବ କରି ମିଳିତ ଜାତିସଂଘ ୨୦୨୧ ଏପ୍ରିଲ ମାସରେ ଓ୍ଵାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ ଡେ’ ବା ଜଳ ଦୁର୍ଘଟଣା ନିରୋଧ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ପାରିତ କରିଥିଲେ।

୨୦୨୧ ଜୁଲାଇ ୨୫ ତାରିଖରେ ପ୍ରଥମ ଥର ପାଇଁ ଜଳ ଦୁର୍ଘଟଣା ନିରୋଧ ଦିବସ ପାଳନ କରାଯାଇଥିଲା। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେବେଠାରୁ ପ୍ରତିବର୍ଷ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

କେମିତି ବଞ୍ଚାଇବେ ଜୀବନ?

  • ପାଣିରେ ବୁଡ଼ିବା ସମୟରେ ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ଜ୍ଞାନକୌଶଳ ଶିଖାଇବା ଆବଶ୍ୟକ
  • ଛୋଟ ପିଲାଙ୍କୁ ପାଣି ନିକଟରେ ଥିବା ସମୟରେ ସେମାନଙ୍କ ଉପଯୁକ୍ତ ଧ୍ୟାନ ରଖିବା ଜରୁରୀ
  • ପାଣିରେ ବୁଡ଼ୁଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଏବଂ ଫାଷ୍ଟ-ଏଡ ପ୍ରଶିକ୍ଷଣ ବ୍ୟବସ୍ଥା
  • ପାଣିକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ଦରକାର
  • ନଦୀ ଏବଂ ସମୁଦ୍ରକୁ ଯିବା ସମୟରେ ଲାଇଭ୍ ଜ୍ୟାକେଟ ପିନ୍ଧିବା ଜରୁରୀ ତଥା ସୁଇମିଂ ପୁଲରେ ଭଲ ଭାବେ ଫେନସିଂ କରାଯିବା ଦରକାର
  • ନଦୀ, ସମୁଦ୍ର ଏବଂ ପୋଖରୀ ଆଦି ନିକଟରେ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ

ବିଭିନ୍ନ ସମୟରେ ପାଣିରେ ବୁଡ଼ି ପ୍ରାଣ ହରାଇବାକୁ ଦୁର୍ଘଟଣା ନୁହେଁ ବରଂ ଅବହେଳା, ଅସାବଧାନତା ବୋଲି କୁହାଯାଇପାରେ। ଅନେକ ନିଶାଗ୍ରସ୍ତ ବ୍ୟକ୍ତି ମଧ୍ୟ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ପ୍ରାଣ ହରାଇଥାନ୍ତି। ପ୍ରାକୃତିକ ବିପର୍ଜୟ ମଧ୍ୟ ଏକ କାରଣ ରହିଛି। ଗୋଟିଏ ଗୋଟିଏ ମୁହୂର୍ତ୍ତରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏ ଦିଗରେ ଲୋକଙ୍କୁ ସଚେତନ କରି ଜୀବନ ବଞ୍ଚାଇବାର ଏବେ ସମୟ ଆସିଛି।

Tags: #WorldDrowningPreventionDay #WHO #DrowningDeath #LifeCare

LEAVE A REPLY

Please enter your comment!
Please enter your name here