ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ପ୍ୟାରିସରେ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ବିଶ୍ଵ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ-୨୦୨୪। ଶୁକ୍ରବାର ରାତିରେ ଏହାର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ବହୁତ ଖାସ ରହିଛି। ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଷ୍ଟାଡିୟମରେ ନୁହେଁ ବରଂ ନଦୀରେ ଅନୁଷ୍ଠିତ ହେବାକୁ ଯାଉଛି।
୨୦୨୪ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପ୍ୟାରିସ ସହର ଦେଇ ଯାଇଥିବା ସେନ୍ ନଦୀରେ ହେବ। ୧୦୦ଟି ନୌକାରେ ବସି ବିଭିନ୍ନ ଦେଶର ୧୦,୦୦୦ରୁ ଅଧିକ ଖେଳାଳି ନଦୀରେ ପ୍ୟାରିସର ବହୁ ଐତିହାସିକ ସ୍ଥଳୀ ଦେଇ ଅତିକ୍ରମ କରିବେ। ନଦୀର ଦୁଇ ପାର୍ଶ୍ୱରେ ହଜାର ହଜାର ଦର୍ଶକ ଖେଳାଳିମାନଙ୍କୁ ସ୍ଵାଗତ କରିବେ।
୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି ସମାରୋହରେ ଆତସବାଜି ସହ ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ କରାଯିବ। ବହୁ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ କ୍ରୀଡ଼ା, ରାଜନୀତି ତଥା ବିଶ୍ଵ ଚଳଚ୍ଚିତ୍ର ଓ କଳା ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଯୋଗ ଦେବେ। ଉତ୍ସବରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଓ ଟେବୁଲ୍ ଟେନିସ୍ ତାରକା ଅଚନ୍ତ ଶରତ କମଲ ଭାରତୀୟ ଦଳର ନେତୃତ୍ଵ ନେବେ।
ଏହି ଉଦଘାଟନୀ ସମାରୋହରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ଜ୍ଵଳିତ କରାଯିବ। ଏହାପରେ ଅଲିମ୍ପିକ ପତାକା ଉତ୍ତୋଳନ ସହ ଅଲିମ୍ପିକ୍ସ ସଂଗୀତ ଗାନ କରାଯିବ। ପରେ ପ୍ରତିଯୋଗିତାର ଖେଳାଳି, ବିଚାରକ ଓ ଅଧିକାରୀ ଶପଥ ଗ୍ରହଣ କରିବେ।
ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୬ ଦେଶର ୧୦,୭୧୪ ଜଣ ଖେଳାଳି ୩୨ଟି କ୍ରୀଡ଼ାର ୩୨୯ ଇଭେଣ୍ଟରେ ପ୍ରତିଦ୍ଵନ୍ଦ୍ଵିତା କରିବେ। ଅଲିମ୍ପିକ୍ସରେ ଏଥର ଭାରତର ୧୧୭ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ଵ କ୍ରୀଡ଼ାର ଏହି ସର୍ବବୃହତ୍ ମହାକୁମ୍ଭ। ଏଥିପାଇଁ ପ୍ୟାରିସରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଭାରତୀୟ ସମୟ ଶୁକ୍ରବାର ରାତି ୧୧ଟାରେ ଆରମ୍ଭ ହେବ। ଜିଓ ସିନେମା ଆପ୍ ଓ ସ୍ପୋର୍ଟସ-୧୮ ଚ୍ୟାନେଲରେ ଭାରତୀୟ ଦର୍ଶକ ଏହାର ମଜା ଉଠାଇପାରିବେ।
Tags: #Olympics-2024 #OpeningCeremony #Sports #Paris