ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିନରେ ପୁଣି ପଦକ ହାତଛଡ଼ା କରିଛି ଭାରତ। ସୁଟିଂର ୧୦ ମିଟର ଏୟାର ରାଇଫଲ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ଅର୍ଜୁନ ବବୁତା ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବରୁ ଏହାର ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ସୁଟର ରମିତା ଜିନ୍ଦଲ ମଧ୍ୟ ସପ୍ତମ ସ୍ଥାନରେ ରହି ପଦକ ହାତଛଡ଼ା କରିଥିଲେ।

୧୦ ମିଟର ଏୟାର ରାଇଫଲର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ଅର୍ଜୁନ ବବୁତା ୨୦୮.୪ ପଏଣ୍ଟ ସ୍କୋର କରିଥିଲେ। ଏହାପରେ ସେ ତୃତୀୟ ସ୍ଥାନ ପାଇଁ ହୋଇଥିବା ଏଲିମିନେସନରେ ବାହାର ହୋଇଯାଇଥିଲେ। ଏହି ଇଭେଣ୍ଟରେ ଚୀନର ଲିଆଓ ସିୟାଙ୍ଗ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ସ୍ଵିଡେନର ଭିକ୍ଟର ଲିଣ୍ଡଗ୍ରେନ ରୌପ୍ୟ ଏବଂ କ୍ରୋଏସିଆର ମିରାନ ମାରିକିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଅନ୍ୟପଟେ ସୋମବାର ଏହାପୂର୍ବରୁ ହୋଇଥିବା ମହିଳା ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ରମିତା ଜିନ୍ଦଲ କେବଳ ୧୪୫.୩ ପଏଣ୍ଟ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସେ ସପ୍ତମ ସ୍ଥାନ ପାଇଁ ହୋଇଥିବା ଏଲିମିନେସନରେ ବାଦ ପଡ଼ିଥିଲେ। ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ହୟୋଜିନ ବାନ ସ୍ଵର୍ଣ୍ଣ ପଦକ ଜିତିଥିବାବେଳେ ଚୀନର ୟୁଟିଙ୍ଗ ହୁଆଙ୍ଗ ରୌପ୍ୟ ଏବଂ ସୁଇଜରଲାଣ୍ଡର ଅଉଡ୍ରେ ଗୋଗନିଆତ ବ୍ରୋଞ୍ଜ ପଦକ ପାଇଥିଲେ।

ତେବେ ସୁଟିଂର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଯୋଗ୍ୟତା ଇଭେଣ୍ଟରେ ଭାରତୀୟ ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ତୃତୀୟ ସ୍ଥାନରେ ରହିଛନ୍ତି। ସେମାନେ ମଙ୍ଗଳବାର ବ୍ରୋଞ୍ଜ ପଦକ ପାଇଁ ଦକ୍ଷିଣ କୋରିଆର ଯୋଡ଼ି ସହ ପ୍ରତିଦ୍ଵନ୍ଦ୍ଵିତା କରିବେ।

Tags: #ParisOlympics #Shooting #Medal #TeamIndia #Sports

Comment