ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ଆହୁରି ୧୦୦ରୁ ଅଧିକ ଲୋକ ମାଡ଼ି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୱାୟନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ଭୋର ସମୟରେ ଏକାଧିକ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ଯୋଗୁଁ ପାହାଡ଼ ତଳେ ରହୁଥିବା ଲୋକେ ମାଟି ଅତଡ଼ା ତଳେ ଫସି ଯାଇଥିଲେ।  

ଏହାପରେ ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ଏସଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ମାଟି ଭିତରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ କରାଯାଇଛି।

ଏବେ ଉଦ୍ଧାର ଅଭିଯାନରେ ଭାରତୀୟ ସେନାର ଯବାନମାନଙ୍କୁ ନିୟୋଜିତ କରାଯାଇଛି। ଅଭିଯାନରେ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁ ସେନା ହେଲିକେପ୍ଟରର ସହାୟତା ନିଆଯାଉଛି।

ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Tags: #Landslide #Rain #Disaster #Wayanad #Kerela

LEAVE A REPLY

Please enter your comment!
Please enter your name here